କୋଲକାତା:ମଣିପୁରରେ ୨ ଆଦିବାସୀ ଯୁବତୀଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ବିଜେପି ଉପରେ ବର୍ଷିଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପିର ବେଟି ବଚାଓ କ୍ୟାମ୍ପେନ ଏବେ ବେଟି ଜଲାଓରେ ପରିଣତ ହୋଇଛି ବୋଲି କହିଛନ୍ତି ଦିଦି । ଏହାସହିତ ଆଗାମୀ ଦିନରେ ବିଜେପିକୁ ଦେଶର ଶାସନ ଗାଦିରୁ ମହିଳା ହଟାଇବେ ବୋଲି ଦିଦି କହିଛନ୍ତି । ମଣିପୁରରେ ଘଟିଥିବା ଲଜ୍ଜାଜନକ ଘଟଣାକୁ ନେଇ ବିଜେପିକୁ କ୍ରମାଗତ ଭାବେ ଆକ୍ରମଣ କରୁଥିବା ମମତା ଶୁକ୍ରବାର ରାଜଧାନୀ କୋଲକାତାରେ ଆୟୋଜିତ ଟିଏମସି ଶହୀଦ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଏପରି କହିଛନ୍ତି ।
ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର 'ବେଟି ବଚାଓ'କୁ ନେଇ ସ୍ଲୋଗାନ ଦେଇଥିଲେ । ହେଲେ ସେହି ସ୍ଲୋଗାନକୁ ବଜାୟ ରଖିବାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ମମତା । ଦୀର୍ଘ ଦିନ ଧରି ହିଂସାକାଣ୍ଡରେ ଜଳୁଥିବା ମଣିୁପରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମମତା । ସେପଟେ ଗତ ବୁଧବାର ଆଦିବାସୀ ଯୁବତୀଙ୍କ ଉଲଗ୍ନ ଭିଡିଓ ଭାଇରାଲ ହେବା ପରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ହେଲେ ସେଥିମଧ୍ୟରୁ କିଛି ଅଭିଯୁକ୍ତ ଜାମିନରେ ଆସିଥିବାକୁ ନେଇ ମମତା କ୍ଷୋଭ ପ୍ରକାଶ କରିଛନ୍ତି । ବହୁଚର୍ଚ୍ଚିତ ବିଲକିସ ବାନୋ ଓ କୁସ୍ତିଯୋଦ୍ଧା ଆନ୍ଦୋଳନ ପ୍ରସଙ୍ଗରେ ଏଯାବତ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରିନି କହି ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଶ୍ନ କରିଛନ୍ତି ।
ଏହା ବି ପଢନ୍ତୁ-Manipur Women Paraded Naked: ରାଜଧାନୀରେ ଜଣେ ଅଭିଯୁକ୍ତ ଘର ଭାଙ୍ଗି ନିଆଁ ଲଗାଇଲେ ଉତ୍ତ୍ୟକ୍ତ ମହିଳା
ପୀଡ଼ିତାଙ୍କୁ ନ୍ୟାୟ ମିଳୁନଥିବାରୁ ଏହା ବିରୋଧରେ ଦେଶରେ ସମସ୍ତ ମହିଳା ଏକତ୍ରିତ ହୋଇ ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ଲାଗି ସେ ଆହ୍ବାନ ଦେଇଛନ୍ତି । ଏହାସହିତ ଆଗାମୀ ନିର୍ବାଚନରେ ବିଜେପିକୁ ଶାସନ କ୍ଷମତାରୁ ହଟାଇବା ଲାଗି ସେ ଶପଥ ନେଉଥିବା ମଧ୍ୟ କହିଛନ୍ତି । ସୂଚନା ଥାଉ କି ଗତ ବୁଧବାର ମଣିପୁରରୁ ଏକ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ କିଛି ଯୁବକ ୨ ଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଉଛନ୍ତି । ଏହାସହିତ ସେମାନଙ୍କୁ କ୍ଷେତକୁ ନେଇ ଗଣଦୁଷ୍କର୍ମ କରିଥିବା ମଧ୍ୟ ସୂଚନା ମିଳିଥିଲା । ଯାହାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଛି ।
ଗତ ମେ ୪ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏହା ଏବେ ଲୋକଲୋଚନକୁ ଆସିଛି । ଏହାପରେ ବିଜେପି ଶାସିତ ମଣିପୁରରେ ଆଇନ ଶୃଙ୍ଖଳାକୁ ନେଇ ବିରୋଧୀ ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଇସ୍ତଫା ପତ୍ର ମଧ୍ୟ ଦାବି କରିଛନ୍ତି । ମଣିପୁର ହିଂସାକାଣ୍ଡ ପ୍ରସଙ୍ଗକୁ ନେଇ ବିରୋଧୀ ମହାମେଣ୍ଟ 'INDIA'ର ସମସ୍ତ ମୁଖ୍ୟମନ୍ତ୍ରୀ ଏକାଠି ମଣିପୁର ଗସ୍ତ କରିବେ । ମଣିପୁରର ମାଆ ଭଉଣୀ ଦେବଳ ଉତ୍ତର-ପୂର୍ବାଞ୍ଚଳର ନୁହେଁ, ବରଂ ସାରା ଦେଶର ବୋଲି କହିଛନ୍ତି ମମତା । ସେପଟେ ୨ ଆଦିବାସୀ ଯୁବତୀଙ୍କ ଉଲଗ୍ନ କରିବା ଘଟଣା ସାମ୍ନାକୁ ଆସିବା ପରେ ଦୋଷୀଙ୍କୁ ଛଡ଼ାଯିବନି ବୋଲି ଦେଶବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।