କୋଲକାତା: ଦେଶର ଅଧିକାଂଶ ରାଜ୍ୟ ଦଖଲ କରିସାରିଥିବା ବିଜେପିର ନଜର ଏବେ ପଶ୍ଚିମବଙ୍ଗ ଉପରେ । ମମତାଙ୍କ ଗଡ ଦଖଲ କରିବାକୁ ଲକ୍ଷ୍ୟ ରଖିଛି ବିଜେପି । ଏନେଇ ସାଂଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
ଗୃହମନ୍ତ୍ରୀ ଶାହ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି, ମମତା ବାନାର୍ଜୀଙ୍କ ହାତରେ ବଙ୍ଗଳାର ଦାୟିତ୍ବ ଦିଆଯାଇଥିଲା । ହେଲେ ଆଜି ମା, ମାଟିର ସ୍ଲୋଗାନକୁ ତୁଷ୍ଟିକରଣ, ଏକଛତ୍ରବାଦୀ ଶାସନ ପରିବର୍ତ୍ତନ କରାଯାଇଛି। ତେବେ ପଶ୍ଚିମବଙ୍ଗରେ ବିଜେପି 200 ରୁ ଅଧିକ ସିଟ ଜିତିବାକୁ ଦାବି କରିଛନ୍ତି ଶାହ ।
ଶାହ କହିଛନ୍ତି ନିଶ୍ଚିତ ଭାବେ ଆଗାମୀ ନିର୍ବାଚନରେ ଆମେ 200ରୁ ଅଧିକ ଆସନ ଜିତି ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛୁ। ପଶ୍ଚିମବଙ୍ଗ ଗସ୍ତ ସମୟରେ ବିଜେପିର ବିଭିନ୍ନ ମୋର୍ଚ୍ଚାର କର୍ମୀଙ୍କୁ ଭେଟିଥିଲେ ଶାହ। 180 ରୁ ଅଧିକ ସଂଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ଗୃହମନ୍ତ୍ରୀ କହିଛନ୍ତି ଯେ 2010 ଏପ୍ରିଲ 11ରେ ମା, ମାଟିର ସ୍ଳୋଗାନ ଦେଇ ପଶ୍ଚିମବଙ୍ଗରେ ଏକ ପରିବର୍ତ୍ତନ ଆସିଥିଲା । ରାଜ୍ୟବାସୀଙ୍କ ଅନେକ ଆଶା ଓ ଆକାଂକ୍ଷା ଥିଲା ବୋଲି କହିଛନ୍ତି ଶାହ । ଜନସାଧାରଣଙ୍କ ଆଶା ପୂରଣ କରିବାରେ ତୃଣମୂଳ କଂଗ୍ରେସ ସରକାର ସକ୍ଷମ ହୋଇ ନାହାଁନ୍ତି ବୋଲି କହିଛନ୍ତି ଶାହ ।
ଗୃହମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମବଙ୍ଗ ଜନସାଧାରଣଙ୍କ ଠାରେ ଏକ ଅଦ୍ଭୁତ ପ୍ରକାର ମାହୋଲ ପରିଲକ୍ଷିତ ହେଉଛି । ଯେତେବେଳେ ଲୋକମନେ ଭାରତ ମାତା କି ଜୟ, ବନ୍ଦେ ମାତାରାମ, ଜୟ ଶ୍ରୀ ରାମର ସ୍ଲୋଗାନ ଦେଉଥିଲେ, ସେତେବେଳେ ସେମାନେ ଆମ ସ୍ବାଗତଠାରୁ ମମତା ବାନାର୍ଜୀ ସରକାରଙ୍କୁ ଅଧିକ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା ।
ଅମିତ ଶାହା କହିଛନ୍ତି ଯେ ମୁଁ ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ସୁନିଶ୍ଚିତ କରିବାକୁ ଆସିଛି ଯେ ଆପଣ ମଧ୍ୟ କଂଗ୍ରେସକୁ ସୁଯୋଗ ଦେଇଛନ୍ତି, କମ୍ୟୁନିଷ୍ଟମାନଙ୍କୁ ମଧ୍ୟ ବାରମ୍ବାର ସୁଯୋଗ ଦେଇଛନ୍ତି ଏବଂ ମମତାଙ୍କୁ 2ଟି ସୁଯୋଗ ଦେଇଛନ୍ତି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପିକୁ ଗୋଟିଏ ସୁଯୋଗ ଦିଅନ୍ତୁ । ବିଜେପି 5 ବର୍ଷ ମଧ୍ୟରେ ସୁନାର ବଙ୍ଗଳା କରିବାକୁ ପ୍ରତିଶୃତି ଦେଉଛି ବୋଲି କହିଛନ୍ତି ଗୃହମନ୍ତ୍ରୀ ।