ବେଙ୍ଗାଲୁର: କର୍ଣ୍ଣାଟକ ମହୀଶୂର-କୋଡାଗୁ ( Mysuru) ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଥିବା ବିଜେପି ଲୋକସଭା ସାଂସଦ ପ୍ରତାପ ସିମହା(Pratap Simha) ଆଜି (ସୋମବାର) ରୋଡରେ ଥିବା ଏକ ବସ ଷ୍ଟପେଜ ଉପରେ ବୁଲଡୋଜର ଚଢାଇ ଦେବାକୁ ଚେତାବନୀ ଦେଇଛନ୍ତି । ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । କାରଣ ବସ ଷ୍ଟପେଜ (ସେଲଟର) ଟି ମସଜିଦ ଭଳି ଦେଖାଯାଉଛି । ଯାହାକୁ ନେଇ ଏହାକୁ ଭାଙ୍ଗିଦେବାକୁ ବିଜେପି ସାଂସଦ ଚେତାବନୀ ଦେଇଛନ୍ତି ।
ମହୀଶୂରରେ ଏକ ସାଧାରଣ ସଭାରେ ଯୋଗଦେଇ ସାଂସଦ ପ୍ରତାପ ସିମହା କହିଛନ୍ତି କୃଷ୍ଣରାଜା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଏକ ବସ ଷ୍ଟପେଜ ଉପରେ ଗୁବନ୍ଦ(ଡୋମ୍ସ) ଆକାରର ଦୁଇଟି ଛୋଟ ଡୋମ୍ସ ଓ ଗୋଟିଏ ବଡ ଡୋମ୍ସ ରହିଛି । ଯାହା କେବଳ ମୁସଲିମ ସମ୍ପ୍ରଦାୟର ମସଜିଦରେ ଦେଖାଯାଇଥାଏ । ଏହି ବସ ଷ୍ଟପେଜକୁ ଭାଙ୍ଗିଦେବା ଆବଶ୍ୟକ । ଏଥିପାଇଁ ମୁଁ ସମ୍ବନ୍ଧୀତ ଅଧିକାରୀ ଇଞ୍ଜିନିୟର୍ସଙ୍କୁ ନିର୍ଦ୍ଦେଶ ଦେଇଛି । ଯଦି ଅଧିକାରୀ ଏହା ନକରନ୍ତି ତେବେ ସେ ନିଜେ ଜେସିବି ନେଇ ଭାଙ୍ଗି ଦେବେ ବୋଲି ଚେତାବନୀ ଦେଇଛନ୍ତି ।