ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ । ଶେଷ ଦିନରେ ଭାରତୀୟ ଜନତା ପାର୍ଟି କଂଗ୍ରେସ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି । ସୋନିଆଙ୍କ କର୍ଣ୍ଣାଟକ ସାର୍ବଭୌମତ୍ବ ମନ୍ତବ୍ୟକୁ ବିରୋଧ କରି ବିଜେପି ଆୟୋଗଙ୍କ ନିକଟରେ ଅଭିଯୋଗ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି । କଂଗ୍ରେସ କାହାକୁ ବି କର୍ଣ୍ଣାଟକର ଅଖଣ୍ଡତା ଓ ସାର୍ବଭୌମତ୍ବ ନଷ୍ଟ କରିବାକୁ ଅନୁମତି ଦେବ ନାହିଁ ବୋଲି ସୋନିଆ କହିଥିଲେ ।
- https://twitter.com/INCIndia/status/1654882853744787456?s=20
କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧିମଣ୍ଡଳୀ ନିର୍ବାଚନ ଆୟୁକ୍ତଙ୍କୁ ଭେଟିଛନ୍ତି । ସୋନିଆଙ୍କ ଏପରି ମନ୍ତବ୍ୟ ନିର୍ବାଚନ ଆଚରଣ ବିଧିର ଖୋଲା ଉଲଙ୍ଘନ ଦର୍ଶାଇ ଆୟୋଗ ତାଙ୍କ ବିରୋଧରେ ଏତଲା ଦାଏର କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି ପ୍ରତିନିଧି ଟିମ୍ ଦାବି କରିଛି ।
6 ତାରିଖ ସଂଧ୍ୟାରେ କର୍ଣ୍ଣାଟକର ହୁବଲିରେ ଦଳ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାକୁ କଂଗ୍ରେସର ପୂର୍ବତନ ହାଇକମାଣ୍ଡ ସୋନିଆ ଗାନ୍ଧୀ ସମ୍ବୋଧିତ କରିଥିଲେ । ଏହାପରେ ଦଳ ପକ୍ଷରୁ ଏକ ଟ୍ବିଟ୍ କରାଯାଇଥିଲା । ଏଥିରେ କୁହାଯାଇଥିଲା,"କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କର୍ଣ୍ଣାଟକର ସାଢେ 6 କୋଟି ଲୋକଙ୍କୁ ଏକ ଦୃଢ ବାର୍ତ୍ତା ପ୍ରଦାନ କରିଛନ୍ତି । ରାଜ୍ୟର ପ୍ରତିଷ୍ଠା, ଅଖଣ୍ଡତା ଓ ସାର୍ବଭୌମତ୍ବ ନଷ୍ଟ କରିବା ପାଇଁ କଂଗ୍ରେସ କାହାକୁ ଅନୁମତି ଦେବ ନାହିଁ ।" ତେବେ ଏହି ଟ୍ବିଟ୍ ସାମ୍ନାକୁ ଆସିବା ପରେ ସାର୍ବଭୌମତ୍ବ ଶବ୍ଦକୁ ନେଇ ବିବାଦ ଆରମ୍ଭ ହୋଇଥିଲା । କାରଣ ଏହି ଶବ୍ଦ କେବଳ କୌଣସି ସ୍ବାଧୀନ ରାଷ୍ଟ୍ର କ୍ଷେତ୍ରରେ ହିଁ ବ୍ୟବହାର ହୋଇଥାଏ । ଦେଶରେ କୌଣସି ନିର୍ଦ୍ଦିଷ୍ଟ ରାଜ୍ୟର ସାର୍ବଭୌମତ୍ବ ନଥାଏ ।