ଲକ୍ଷ୍ନୌ:ଉତ୍ତରପ୍ରଦେଶ ଦୁଧି ବିଜେପି ବିଧାୟକ ରାମଦୁଲାର ଗୋଣ୍ଡଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୋନଭଦ୍ର ଏମପି ଏମଏଲଏ କୋର୍ଟ । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ ମିଳିଛି । ଏହାସହିତ ତାଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲାଗିଛି । ଦୀର୍ଘ ୯ ବର୍ଷ ଧରି ଏହି ମାମଲା ଚାଲିଥିବା ବେଳେ ଶେଷରେ ପୀଡିତାଙ୍କୁ ନ୍ୟାୟ ମିଳିଛି । ଗତ ଡିସେମ୍ବର ୧୨ ତାରିଖରେ ବିଧାୟକ ରାମଦୁଲାରଙ୍କୁ କୋର୍ଟ ନ୍ୟାୟିକ ହେପାଜତରେ ପଠାଇଥିବା ବେଳେ ଆଜି ମାମଲାର ଶୁଣାଣି କରି ତାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।
ରାଜ୍ୟର ଦୁଧି ବିଧାନସଭା ଆସନରୁ ବିଧାୟକ ଥିବା ରାମଦୁଲାର ଗୋଣ୍ଡଙ୍କ ବିରୋଧରେ ଗତ ୨୦୧୪ ମସିହାରେ ଉକ୍ତ ଅଞ୍ଚଳରୁ ଜଣେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହାପରେ ବିଧାୟକଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଥିଲା । ପୀଡ଼ିତା ଜଣକ ଅଭିଯୋଗ ଆଣିଥିଲେ ଯେ ବିଜେପି ବିଧାୟକ ଜଣକ ୧ ବର୍ଷ ଧରି ତାଙ୍କୁ ଦୁଷ୍କର୍ମ କରୁଥିଲେ । ସେହି ସମୟରେ ପୀଡିତାଙ୍କ ବୟସ ୧୫ ବର୍ଷ ଥିଲା । ସେହି ସମୟରେ ବିଧାୟକ ରାମଦୁଲାରଙ୍କ ପତ୍ନୀ ଗାଁର ମୁଖିଆ ଥିଲେ । ଗାଁରେ ବିଧାୟକ ରାମଦୁଲାର ଜଣେ ଦବଙ୍ଗ ନେତା ଭାବେ ପରିଚିତ ଥିଲେ ।
ଏହା ବି ପଢନ୍ତୁ- ଖାକିରେ ଦାଗ, ନାବାଳିକା ସହ ଦୁଷ୍କର୍ମ ଅଭିଯୋଗରେ ଏଏସଆଇ ଗିରଫ