ହାଇଦ୍ରାବାଦ: ଭାରତୀୟ ଜନତା ପାର୍ଟି ପାଳୁଛି ଆଜି 44 ତମ ସ୍ଥାପନା ଦିବସ । 6 ଏପ୍ରିଲ 1980 ଆଜିର ଦିନରେ ଆରବ ସାଗର ଉପକୂଳରେ ଜନ୍ମ ନେଇଥିଲା ବିଜେପି । ଶୂନ୍ୟରୁ ଆରମ୍ଭ ହୋଇଥିବା ଦଳ ଆଜି ଶିଖରରେ ଉଡାଉଛି ଗୈରିକ ପତାକା । ସଂଘର୍ଷ, ବିଚାରଧାରା, ରାଷ୍ଟ୍ରବାଦ, ମାନବତା, ସୁଶାସନ ଓ ହିନ୍ଦୁତ୍ବକୁ ନେଇ ଦଳ ନିଜ ଲକ୍ଷ୍ୟପଥରେ ଆଗକୁ ବଢୁଛି ।
ପୂର୍ବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ଆଜିକୁ 4 ଦଶନ୍ଧୀ ପୂର୍ବେ ଆରବ ସାଗର ଉପକୂଳରେ ଯେଉଁ ଶିଶୁ ବିଜେପି ଜନ୍ମ ହୋଇଥିଲା ଆଜି ତାହା ବଟ୍ଟବୃକ୍ଷରେ ପରିଣତ ହୋଇଛି । ଶିଶୁ ବିଜେପିକୁ ନେଇ ଅଟଳ ଯେଉଁ ଭବିଷ୍ୟତବାଣୀ କରିଥିଲେ ତାହା ଆଜି ସତ ସାବ୍ୟସ୍ତ ହୋଇଛି । 6 ଏପ୍ରିଲ 1980 ରେ ମୁମ୍ବାଇ ସ୍ଥିତ ଆରବ ସାଗର ଉପକୂଳରେ ଭାରତୀୟ ଜନତା ପାର୍ଟିର ପ୍ରଥମ ରାଷ୍ଟ୍ରୀୟ ଅଧିବେଶନ(କାର୍ଯ୍ୟକାରିଣୀ)କୁ ସମ୍ବୋଧିତ କରି ଅଟଳ କହିଥିଲେ... ଅନ୍ଧେରା ହଟେଗା... ସୁରଜ୍ ନିକଲେଗା... କମଳ ଖିଲେଗା... ଅଟଳ ଏହା ମଧ୍ୟ କହିଥିଲେ, ‘‘ଯେ ବିଜେପି କେବଳ ହିନ୍ଦୀ ହ୍ୟାଟଲ୍ୟାଣ୍ଡରେ ସୀମିତ ରହିବ ନାହିଁ । ସମୟ ଆସିବ ଭାରତବର୍ଷର ଉତ୍ତର ପୂର୍ବ ପାହାଡି ଭୂଇଁରେ ମଧ୍ୟ କମଳ ଫୁଟିବ । କାଶ୍ମୀରରୁ କନ୍ୟାକୁମାରୀ... କଚ୍ଛରୁ କୋହିମା ଯାଏଁ ବିଜେପିର ଜୟଗାନ ହେବ । ବିଜେପିକୁ ଜନତା ପୂର୍ଣ୍ଣ ବହୁମତ ଦେବେ । ବିଜେପି ରାମ ମନ୍ଦିର ନିର୍ମାଣ କରିବ। ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବ ।’’ ଆଜି ଅଟଳ ନାହାଁନ୍ତି ସତ । ହେଲେ ସେ କରିଥିବା ଭବିଷ୍ୟତବାଣୀ ସତ ହେଉଛି । ସେ ପକାଇ ଯାଇଥିବା ମୂଳଦୂଆ ଉପରେ ଦଳ ଆଜି ବିଶାଳ ମହଲ ନିର୍ମାଣ କରିସାରିଛି । ଅଟଳଙ୍କ ଅନ୍ତେ ବିଜେପି ଆଜି 2 ଟି ଆସନରୁ 3 ଶହ ପାର କରିସାରିଛି । 11 ଜଣ ସଦସ୍ୟଙ୍କୁ ନେଇ ପଡିଥିବା ବିଜେପିର ମୂଳଦୁଆ ଆଜି 11 କୋଟି ସଦସ୍ୟ ସଂଖ୍ୟା ପାର କରି ବିଶ୍ବର ସର୍ବବୃହତ ରାଜନୈତିକ ଦଳର ମାନ୍ୟତା ପାଇଛି ।
ଜନସଂଘରୁ ବିଜେପିର ଜନ୍ମ: 6 ଏପ୍ରିଲ 1980 ଆଜିର ଦିନରେ ଦିବଂଗତ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ବିଜେପିର ସ୍ଥାପନ ହୋଇଥିଲା । ପ୍ରଥମ ଅଧ୍ୟକ୍ଷ ଭାବେ ଅଟଳ ବିଜେପିର ମୂଳଦୂଆକୁ ମଜବୁତ କରିବାରେ ସଫଳ ହୋଇଥିଲେ । ଆଜି ଯେଉଁ ବିଜେପି ଶାସନର ଶୀର୍ଷରେ ଅଛି, ସେହି ଦଳର ନିର୍ମାଣରେ ଅନେକ ରାଜନେତାଙ୍କ ତ୍ୟାଗ ବଳିଦାନ ରହିଛି । ଜନସଂଘ ବର୍ଷ 1952ରେ ହୋଇଥିବା ଦେଶରେ ସାଧାରଣ ନିର୍ବାଚନ ଲଢିଥିଲା । କଂଗ୍ରେସର ଅଦ୍ଭୁତ ପୂର୍ବ ସଫଳତା ସତ୍ତ୍ବେ ଜନସଂଘ 3ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା । ପରେ 1957 ନିର୍ବାଚନରେ ଜନସଂଘ 4 ଟି ଆସନ ଜିତି ନିଜ ଆତ୍ମବିଶ୍ବାସକୁ ବଢାଇବାରେ ସଫଳ ହେଲା ।
1962 ନିର୍ବାଚନରେ ଜନସଂଘ 14ଟି ଆସନ ଜିତିଲା । ଫଳରେ ଧୀରେ ଧୀରେ ଜନସଂଘର ଲୋକପ୍ରିୟତା ବଢିବା ସହ 1967ରେ ହୋଇଥିବା ଚତୁର୍ଥ ଲୋକସଭା ନିର୍ବାଚନରେ 35 ଟି ଆସନ ଦଖଲ କଲା । ପରେ 1971 ନିର୍ବାଚନରେ ଦଳ ଆସନ ସଂଖ୍ୟା 22କୁ ଖସି ଆସିଲା । ଏହାପରେ ବର୍ଷ 1975-1976 ରେ ଦେଶରେ ଜରୁରୀ କାଳୀନ ସ୍ଥିତି ଲାଗୁ ହେଲା । ଇନ୍ଦିରା ଗାନ୍ଧୀଙ୍କୁ ପରାସ୍ତ କରିବା ପାଇଁ ଜନସଂଘ ସମେତ ଅନ୍ୟ ଛୋଟ ଦଳ ଗୁଡିକ ମିଶି ଜନତା ଦଳ ଗଠନ କଲେ । ଆଉ 1977 ରେ ହୋଇଥିବା ଷଷ୍ଠ ଲୋକସଭା ନିର୍ବାଚନରେ କଂଗ୍ରେସକୁ କ୍ଷମତାଚ୍ୟୁତ କରି 295ଟି ଆସନ ଜିତି ସରକାର ଗଠନ କରିଥିଲା ଜନତା ଦଳ । ହେଲେ 1980ରେ ହୋଇଥିବା ସପ୍ତମ ଲୋକସଭା ନିର୍ବାଚନରେ ଜନତା ଦଳ କୁ ଲାଗିଥିଲା ଜବରଦସ୍ତ ଝଟକା । 295 ଆସନରୁ ଖସି ମାତ୍ର 35 ଟି ଆସନରେ ସୀମିତ ହୋଇଗଲା ।
1980 ସପ୍ତମ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ 4 ଏପ୍ରିଲରେ ଜନତା ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ବୈଠକ ଆୟୋଜିତ ହେଲା । ବୈଠକର ଉଦ୍ଦେଶ୍ୟ ଥିଲା ଦ୍ବେତ ସଦସ୍ୟତା ଗ୍ରହଣ କରିଥିବା ନେତାଙ୍କୁ ଦଳରୁ ବହିଷ୍କୃତ କରିବା । ହେଲେ ଦଳକୁ ସଂଗଠିତ କରିବା ପାଇଁ ମୋରାଜୀ ଦେଶାଇଙ୍କ ଉଦ୍ୟମ ବିଫଳ ହୋଇଥିଲା । ମୂଳ ଜନସଂଘ ନେତାଙ୍କୁ ଅସାମ୍ବିଧାନିକ ଭାବେ ଜନତା ଦଳରୁ ବହିଷ୍କାର କରାଯାଇଥିଲା । ହେଲେ ଏହାପରେ ଜନତା ଦଳ ଏକ ଅବଶେଷରେ ହିଁ ରହିଯାଇଥିଲା ।
ଅଟଳ ଦେଇଥିଲେ ‘ବିଜେପି’ ନାଁ:ଜନତା ଦଳରୁ ବହିଷ୍କୃତ ହେବା ପରେ ଏହାର ଯଥେଷ୍ଟ ପୂର୍ବରୁ ନୂଆ ଇତିହାସ ରଚନା କରିବା ପାଇଁ ରଣନୀତି ରଚି ସାରିଥିଲେ ଅଟଳ ବିହାରୀ ବାଜପେୟୀ । ପରଦିନ ଅର୍ଥାତ 5 ଓ 6 ଏପ୍ରିଲରେ ଦୁଇ ଦିନ ଧରି ଏକ ରାଷ୍ଟ୍ରୀୟ ଅଧିବେଶନ ଡାକିଲେ ଅଟଳ ବିହାରୀ ବାଜପେୟୀ । ଯେଉଁଥିରେ 3 ହଜାରରୁ ଅଧିକ ନେତା ଯୋଗଦେଇଥିଲେ । ଆଉ ଅନେକ ବିଚାର ବିମର୍ଶ ପରାମର୍ଶ ପରେ 6 ଏପ୍ରିଲ 1980 ସଂଧ୍ୟାରେ ଅଟଳ ବିହାରୀ ବାଜପେୟୀ ଆରବ ସାଗର ଉପକୂଳରୁ ଘୋଷଣା କରିଥିଲେ ଭାରତୀୟ ଜନତା ପାର୍ଟିର ଜନ୍ମ ।
ଆରମ୍ଭରୁ ବିପର୍ଯ୍ୟୟ ଦେଖିଥିଲା ବିଜେପି: ନୂଆ ଦଳ ନୂଆ ଲକ୍ଷ୍ୟ ସହ ବର୍ଷ 1984 ସାଧାରଣ ନିର୍ବାଚନକୁ ଓହ୍ଲାଇଥିଲା ବିଜେପି । ହେଲେ ଦଳକୁ ପ୍ରଚଣ୍ଡ ପରାଜୟ ଭୋଗିବାକୁ ପଡିଥିଲା । ଦଳ ମାତ୍ର 2ଟି ଆସନରେ ବିଜୟୀ ହେବାକୁ ସକ୍ଷମ ହୋଇଥିଲା । ଏହାକୁ ନେଇ ସେତେବେଳେ ଅଟଳଙ୍କୁ ଅନେକ ରାଜନୈତିକ ଦଳ କଡା କଟାକ୍ଷ କରିଥିଲେ । ଆଉ ଲୋକସଭାରେ ବିରୋଧୀଙ୍କୁ ଏହାର ଜବାବ ଦେଇ ଅତ୍ୟନ୍ତ ଭାବବିହ୍ବଳ କଣ୍ଠରେ ଅଟଳ କହିଥିଲେ, ଆମକୁ ବହୁମତ ମିଳିଲା ନାହିଁ । ଆମେ ଦେଶବାସୀଙ୍କ ବିଶ୍ବାସ ଜିତିପାରିଲୁ ନାହିଁ । ହେଲେ ଆମେ ଆମର ନିଷ୍ଠା, ସାଧନା, ସଂଘର୍ଷ, ସେବା ଓ ରାଷ୍ଟ୍ରବାଦକୁ ନେଇ ଲଢେଇ କରିବୁ । ଆଜି ଆମେ ଲୋକସଭାରେ 2 ଜଣ ସଦସ୍ୟ ଅଛୁ ବୋଲି କଂଗ୍ରେସ ସମେତ ସାରା ବିରୋଧୀ ଆମ ଉପରେ ହସୁଛନ୍ତି । ହେଲେ ଦିନେ ସମୟ ଆସିବ ... ଦେଶବାସୀ ଆମକୁ ସମର୍ଥନ ଦେବେ... ଆମେ ପୂର୍ଣ୍ଣ ବହୁମତ ସହ ଦେଶର ସେବା କରିବାର ସୁଯୋଗ ପାଇବୁ ... ସାରା ଦେଶରେ ଆମର ସରକାର ଥିବା ... ଆଉ ସେତେବେଳେ କଂଗ୍ରେସ ଉପରେ ଦେଶବାସୀ ହସୁଥିବେ ।