ଭୋପାଳ:ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି 5ମ ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟି 92 ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ପ୍ରମୁଖ ଚେହେରା ଭାବେ ଦଳ ମନ୍ତ୍ରୀ ଉଶା ଠାକୁର, ମହେନ୍ଦ୍ର ସିଂ ଓ ମନ୍ତ୍ରୀ ଗୌରୀ ଶଙ୍କର ବିସେନଙ୍କ ଝିଅ ମୌସମ ବିସେନ ରହିଛନ୍ତି । ପୂର୍ବତନ ମନ୍ତ୍ରୀ ଜୟନ୍ତ କୁମାର ମାଲାଇୟା, ଅନ୍ତର ସିଂ ଆର୍ଯ୍ୟଙ୍କ ନାମ ମଧ୍ୟ ରହିଛି । ସେହିପରି ନିକଟରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ସିଦ୍ଧାର୍ଥ ତିଓ୍ବାରୀ ଓ ସଚିନ ବିର୍ଲାଙ୍କୁ ମଧ୍ୟ ଦଳ ଏହି ପର୍ଯ୍ୟାୟରେ ଟିକେଟ ଦେଇଛି । ଦଳର ଅନ୍ୟତନ ଆଗଧାଡିର ନେତ୍ରୀ ଯଶୋଧରା ରାଜେ ସିନ୍ଧିଆ ମଧ୍ୟ ଟିକେଟ ପାଇଛନ୍ତି ।
ଦଳ ପ୍ରଥମ ଓ ଦ୍ବିତୀୟ ତାଲିକାରେ 39 ଲେଖାଏଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ତୃତୀୟ ତାଲିକାରେ ମାତ୍ର ଜଣଙ୍କର ନାମ ଘୋଷଣା କରିଥିଲା ଦଳ । ସେହିପରି 4ର୍ଥ ପର୍ଯ୍ୟାୟରେ ସର୍ବାଧିକ 136 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦ୍ବିତୀୟ ପର୍ଯ୍ୟାୟରେ 3 କେନ୍ଦ୍ରମନ୍ତ୍ରୀ ଓ 4 ସାଂସଦଙ୍କ ନାମ ରହିଥିଲା । ସେହିପରି 4ର୍ଥ ପର୍ଯ୍ୟାୟ ତାଲିକାରେ ମୋଟ 57 ପ୍ରାର୍ଥୀଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ 23 ଜଣ ରାଜ୍ୟ କ୍ୟାବିନେଟର ମନ୍ତ୍ରୀଙ୍କୁ ସ୍ଥାନ ଦେଇଥିଲା ଦଳ । ତେବେ ଆଜି 5 ପର୍ଯ୍ୟାୟକୁ ମିଶାଇ ଦଳ ମୋଟ 230 ଆସନରୁ 228 ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ଏବେ କେବଳ ରାଜ୍ୟର ଅବଶିଷ୍ଟ ଦୁଇଟି ଆସନ ଗୁନା (ଅନୁସୂଚୀତ ଜାତି ସଂରକ୍ଷିତ ଆସନ) ଓ ଭିଦିଶାରେ ଦଳ ପ୍ରାର୍ଥୀ ଘୋଷଣା କରିବ ।