ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଟିକେଟ୍ ବଣ୍ଟାକୁ ନେଇ ବିଜେପି ପାଇଁ ଅଡୁଆ ବଢିବାରେ ଲାଗିଛି । ଟିକେଟ୍ ପାଇନଥିବା ଅନେକ ଛାମୁଆ ନେତା ଦଳ ଛାଡି କଂଗ୍ରେସ ଓ ଜେଡିଏସରେ ମିଶୁଛନ୍ତି । ଏହାରି ଭିତରେ ବୁଧବାର ଦିନ ବରିଷ୍ଠ ବିଜେପି ନେତା ତଥା ବିଧାନ ପରିଷଦ ସଦସ୍ୟ ଆୟାନୁର ମଞ୍ଜୁନାଥ ମଧ୍ୟ ଦଳକୁ ବାଏ ବାଏ କହିଛନ୍ତି । ସେ ବିଜେପି ଛାଡି ଜେଡିଏସରେ ମିଶିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀଙ୍କ ଉପସ୍ଥିତିରେ ସେ ତାଙ୍କ ଦଳରେ ସାମିଲ ହୋଇଛନ୍ତି । ମଞ୍ଜୁନାଥଙ୍କୁ ଜେଡିଏସ୍ ଶିବମୋଗା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିବାବେଳେ ଆଜି ସେ ନିଜର ନାମାଙ୍କନ ଭରିବେ ।
ଆୟାନୁର ମଞ୍ଜୁନାଥ ବରିଷ୍ଠ ଲିଙ୍ଗାୟତ ନେତା ଅଟନ୍ତି । ସେ ବିଜେପି ଠାରୁ ଶିବମୋଗା ଆସନରୁ ଟିକେଟ୍ ଚାହୁଁଥିଲେ । ହେଲେ ଦଳ ଚନ୍ନବସପ୍ପାଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ ବରିଷ୍ଠ ଲିଙ୍ଗାୟତ ନେତା ଗତକାଲି(ବୁଧବାର) ଏମଏଲସି ଓ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । ସେ ହୁବାଲିସ୍ଥିତ ବାସବରାଜ ହୋରାଟ୍ଟିଙ୍କ ବାସଭବନରେ ପହଞ୍ଚି ନିଜର ଇସ୍ତଫା ପତ୍ର ଦାଖଲ କରିଥିଲେ ।
ବିଜେପି ଛାଡିବା ପରେ ମଞ୍ଜୁନାଥ କହିଛନ୍ତି, ''କେବଳ ଟିକେଟ୍ ନମିଳିବା କାରଣରୁ ମୁଁ ଇସ୍ତଫା ଦେଇନି । ସହରରେ ବିକାଶରେ ଯୋଗଦାନ ପାଇଁ ମୁଁ ଏହି ନିଷ୍ପତ୍ତି ନେଇଛି । ମୋତେ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ଯାହା ମୁଁ ନିର୍ବାଚନ ସମୟରେ ଦେବି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ସମର୍ଥନରେ ବୟାନ ଦେଇଥିବା ମୁଁ ହେଉଛି ଏକମାତ୍ର ବ୍ୟକ୍ତି ।''