ମୁମ୍ବାଇ:ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନର ଜନ୍ମଦିନ ପୋଷ୍ଟର ଲଗାଇବାରୁ ଛଅ ଜଣଙ୍କୁ ଉଠାଇ ନେଲା ମୁମ୍ବାଇ ପୋଲିସ । ପୋଷ୍ଟରରେ ମୁମ୍ବାଇର ମଲାଦ ପୂର୍ବ କୁରାର ଗ୍ରାମର ଗଣେଷ ମଇଦାନରେ ରାଜନର ଜନ୍ମଦିନରେ ହେବାକୁ ଥିବା କବାଡି ଟୁର୍ଣ୍ଣାମେଣ୍ଟ ଉପରେ ଉଲ୍ଲେଖ ରହିଛି । ଏଥିସହ ରାଜନର ଫଟୋ ମଧ୍ୟ ଲାଗିଛି । ଏହି ପୋଷ୍ଟର ଭାଇରାଲ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟରକୁ ଉଠାଇ ଦେବା ସହ କବାଡି ଟୁର୍ଣ୍ଣାମେଣ୍ଟର ୬ ଜଣ ଆୟୋଜକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ବିଶେଷ ସୁତ୍ରରୁ ଜଣାପଡିଛି ଯେ, କବାଡି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ବେଆଇନ ଭାବେ ଟଙ୍କା ଆସିଥିଲା । ବର୍ତ୍ତମାନ ୬ଜଣଙ୍କୁ ଅଟକ ରଖାଯାଇଥିବା ବେଳେ କବାଡି ଟୁର୍ଣ୍ଣାମେଣ୍ଟ ନେଇ ସେମାନଙ୍କୁ ପୋଲିସ ଅଧିକ ପଚରାଉଚରା ଚାଲିଥିବା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି । ଡେପୁଟି କମିଶନର ସ୍ମିତା ପାଟିଲ ଏନେଇ କହିଛନ୍ତି ଯେ, 'କୁରାର ଥାନାରେ ୬ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଆମେ ସେମାନଙ୍କୁ ପଚରାଉଚରା କରୁଛୁ । ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ।’ କବାଡି ଟୁର୍ଣ୍ଣାମେଣ୍ଟ ପାଇଁ ଟଙ୍କା କେଉଁଠୁ ଆସିଲା ସେନେଇ ମଧ୍ୟ ପଚରାଉଚରା କରାଯିବ ବୋଲି କହିଛନ୍ତି ଡେପୁଟି କମିଶନର ସ୍ମିତା ।