ହାଇଦ୍ରାବାଦ: କୋଭିଡ ମହାମାରୀ ବିରୋଧୀ ଲଢେଇରେ ଭାରତର ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ । ମହାମାରୀ ଠାରୁ ରକ୍ଷା ପାଇବାକୁ ସାରା ବିଶ୍ବ ଆପ୍ରାଣ ଚେଷ୍ଟା କରୁଥିବାବେଳେ ଟୀକା ଉଦ୍ଭାବନ କ୍ଷେତ୍ରରେ ଭାରତର ନେତୃତ୍ବକୁ ପ୍ରଶଂସା କରିଛନ୍ତି ବିଲ । ଏପରି ସଙ୍କଟ ସମୟରେ ଭାରତୀୟ ବୈଜ୍ଞାନିକଙ୍କ ଗବେଷଣା ଓ ଟୀକା ଉତ୍ପାଦନ କ୍ଷମତାରେ ଭାରତର ନେତୃତ୍ବ ଦେଖି ଖୁବ ଖୁସି ଲାଗୁଥିବା ଟ୍ବିଟ କରିଛନ୍ତି ବିଲ୍ ଗେଟ୍ସ । ସେ ତାଙ୍କର ଏହି ଟ୍ବିଟରେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଟ୍ୟାଗ କରିଛନ୍ତି ।
ଭାରତରେ କୋରୋନା ମହାମାରୀ ରୋକିବା ଦିଗରେ ସରକାର କାର୍ଯ୍ୟକାରୀ କରିଥିବା ଆରୋଗ୍ୟ ସେତୁ ଆପ ଓ ଏହାର ଉପାଦେୟତାକୁ ମଧ୍ୟ ପ୍ରଂଶସା କରିଛନ୍ତି ବିଲ୍ । ଏହି ଆପ ମାଧ୍ୟମରେ ରୋଗୀଙ୍କ କଣ୍ଚାକ୍ଟ ଟ୍ରେସିଂ, କରୋନା ସଂକ୍ରମଣ ସୂଚନା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କିତ ସୂଚନା ଯୋଗାଇବା ପାଇଁ ଏହି ଆପ ବେଶ ଉପାଦେୟ ସାବ୍ୟସ୍ତ ହୋଇଥିଲା । ନିଜେ କେନ୍ଦ୍ର ସରକାର ଏହି ଆପକୁ ବ୍ୟବହାର କରିବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦେଇଥିଲେ ।