ଓଡିଶା

odisha

ETV Bharat / bharat

ଆଜି ନୀତିଶ-ନବୀନ ଭେଟଘାଟ; ବିରୋଧୀ ମେଣ୍ଟରେ ସାମିଲ ହେବାକୁ ଦେବେ ପ୍ରସ୍ତାବ ! - ଓଡିଶା ଆସୁଛନ୍ତି ନୀତିଶ କୁମାର

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଆଜି ଓଡ଼ିଶା ଆସୁଛନ୍ତି ନୀତିଶ କୁମାର । ପୂର୍ବାହ୍ନ ୧୨ଟାରେ ଦୁଇ ପୁରୁଖା ନେତାଙ୍କ ମଧ୍ୟରେ ହେବ ଭେଟଘାଟ । ଅଧିକ ପଢନ୍ତୁ

ଓଡ଼ିଶା ଆସୁଛନ୍ତି ନୀତିଶ କୁମାର
ଓଡ଼ିଶା ଆସୁଛନ୍ତି ନୀତିଶ କୁମାର

By

Published : May 9, 2023, 9:14 AM IST

Updated : May 9, 2023, 10:03 AM IST

ଭୁବନେଶ୍ବର: ଆଜି ନବୀନ-ନୀତିଶ ଭେଟଘାଟ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧିଙ୍କୁ ଏକଜୁଟ କରିବା ଲକ୍ଷ୍ୟରେ ଆଜି ଓଡ଼ିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ପୂର୍ବାହ୍ନ ପ୍ରାୟ ୧୧ଟାରେ ସେ ଭୁବନେଶ୍ବରରେ ପହଞ୍ଚିବେ । ଦିନ ୧୨ଟା ସମୟରେ ନୀତିଶ ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଜେଡିୟୁ ସୁପ୍ରିମୋ ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି । ଏଥିପାଇଁ ବିରୋଧି ଦଳ ନେତୃବୃନ୍ଦଙ୍କୁ ଭେଟୁଛନ୍ତି । ପୂର୍ବରୁ ନୀତିଶ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ, ରାହୁଲ ଗାନ୍ଧୀ ପ୍ରମୁଖ ନେତାଙ୍କୁ ଭେଟିବା ପରେ ଏବେ ଓଡି଼ଶା ଆସି ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ସେ ଓଡ଼ିଶା ଆସୁଥିବାରୁ ଦୁଇ ପୁରୁଖା ନେତାଙ୍କ ମଧ୍ୟରେ କ'ଣ ଆଲୋଚନା ହେବ ଏବଂ ନବୀନଙ୍କ କ'ଣ ଆଭିମୁଖ୍ୟ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ନବୀନଙ୍କୁ ଭେଟିବେ ନୀତିଶ: ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ନୀତିଶ । ପ୍ରାୟ ୩ ଘଣ୍ଟା ଉଭୟ ନେତା ଆଲୋଚନା କରିବା ପରେ ଅପରାହ୍ନ ୩ଟା'ରେ ଫେରିଯିବେ । ବିଭିନ୍ନ ରାଜନୈତିକ ଦଳର ମୁଖ୍ୟଙ୍କ ସହ ନୀତିଶଙ୍କ ଆଲୋଚନା ଜାତୀୟ ରାଜନୀତିରେ ନାନା ଚର୍ଚ୍ଚା ଅରମ୍ଭ ହୋଇଛି । ଏହି କ୍ରମରେ ନୀତିଶ କୁମାର ଓଡ଼ିଶା ଆସୁଥିବାରୁ ଜାତୀୟ ଓ ରାଜ୍ୟ ରାଜନୀତି ଉଷ୍ମ ହୋଇଛି । କେଉଁ ପ୍ରସଙ୍ଗରେ ଉଭୟ ବରିଷ୍ଠ ନେତାଙ୍କ ମଧ୍ୟରେ ଆଲୋଚନା ହେବ ସେନେଇ ସରକାରୀ କିମ୍ବା ଦଳୀୟ ସୂତ୍ରରୁ କୌଣସି ସୂଚନା ସାର୍ବଜନୀନ କରାଯାଇ ନାହିଁ ।

୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ରକ୍ଷା କରିଆସୁଛନ୍ତି ନବୀନ । ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ବାର୍ଥକୁ ବିଜେଡି ଗୁରୁତ୍ବ ଦେଇ ଆସୁଥିବା ଦଳ ପକ୍ଷରୁ କୁହାଯାଇଛି । ବିଭିନ୍ନ ସମୟରେ ନବୀନ କେନ୍ଦ୍ରକୁ ପ୍ରସଙ୍ଗ ଭିର୍ତ୍ତିକ ସମର୍ଥନ ଓ ଗଠନମୂଳକ ସହଯୋଗ ଯୋଗାଇ ଆସିଛନ୍ତି । ଏଥିପାଇଁ ଜାତୀୟ ସ୍ତରରେ ବିଜେପି ଓ ଅନ୍ୟ ଦଳର ନେତାଙ୍କ ସହ ନବୀନଙ୍କ ସମ୍ପର୍କ ଭଲ ରହିଆସିଛି । ସେପଟେ ହେବାକୁ ଥିବା ଦୁଇ ଭେଟରାନଙ୍କ ଭେଟଘାଟକୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା । ଉଭୟ ବରିଷ୍ଠ ନେତାଙ୍କ ଭେଟଘାଟ ସୌଜନ୍ୟତା ଭରା ନୁହେଁ, ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବପୂର୍ଣ୍ଣ । ନବୀନଙ୍କୁ ନୀତିଶ ଭେଟିବା ସମୟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଝା ଉପସ୍ଥିତ ରହିପାରନ୍ତି ।

କ'ଣ ରହିବ ବିଜେଡିର ଆଭିମୁଖ୍ୟ:ବିଗତ ଦିନରେ ବିଜେପି ଓ ବିଜେଡି ମଧ୍ୟରେ ବଢ଼ୁଛି ତିକ୍ତତା । ଓଡିଶା ବିଜେପି ତଥା କେନ୍ଦ୍ରୀୟ ବିଜେପି ନେତା ଓଡିଶା ଗସ୍ତରେ ଆସି ବିଜେଡିକୁ କଡା ସମାଲୋଚନା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ନବୀନ ହୁଏତ ନିଜର ରାଜନୈତିକ ପସନ୍ଦକୁ ସୀମିତ ରଖି ନପାରନ୍ତି । ନବୀନ ସବୁ ବିବାଦୀୟ ପ୍ରସଙ୍ଗରେ ନରେନ୍ଦ୍ର ମୋଦି ସରକାରଙ୍କୁ ସମର୍ଥନ କରିଛନ୍ତି । ତଥାପି ଓଡ଼ିଶାରେ ବିଜେପି ମୁଖ୍ୟ ବିରୋଧୀ ଦଳ ଏବଂ ୨୦୨୪ ପାଇଁ ନବୀନଙ୍କ ପ୍ରମୁଖ ଚ୍ୟାଲେଞ୍ଜର ଭୂମିକା ଗ୍ରହଣ କରିଛି । କଂଗ୍ରେସ ବିରୋଧୀ ଆଭିମୁଖ୍ୟରୁ ଜନ୍ମ ହୋଇଛି ବିଜେଡି । ତେଣୁ କଂଗ୍ରେସ ସାମିଲ ଥିବା ରାଜନୈତିକ ଗୋଷ୍ଠୀରେ ନବୀନ ହୋଇନପାରନ୍ତି । ଦ୍ବିତୀୟରେ ନବୀନଙ୍କର ଜାତୀୟସ୍ତରରେ କୌଣସି ଅଭିଳାଷ ନାହିଁ । କେନ୍ଦ୍ରରେ ଯିଏ ବି କ୍ଷମତାକୁ ଆସୁଛି, ତା’ସହିତ ସୁସମ୍ପର୍କ ରଖିବାରେ ନବୀନ ଜଣେ ପଖୋତ ରାଜନୈତିଜ୍ଞ ।

ପ୍ରାପ୍ତ ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ନବୀନଙ୍କୁ ଭେଟି ଆଲୋଚନା କରିବା ପରେ ଆସନ୍ତା ୧୧ ତାରିଖରେ ମହାରାଷ୍ଟ୍ର ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସାକ୍ଷାତ କରିବେ । ଆସନ୍ତା ଦିନରେ ବିହାରରେ ହେବାକୁ ଯାଉଥିବା ବିରୋଧି ଦଳ ବୈଠକରେ ସାମିଲ ହେବାକୁ ସେ ଦୁଇ ନେତାଙ୍କୁ ନିମନ୍ତ୍ରଣ ଦେବେ । ଏନେଇ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ ସୂଚନା ଦେଇଛି ।

ଲଲନ ସିଂହ କହିଛନ୍ତି, ମୁଖ୍ୟମନ୍ତ୍ରୀ ନୀତିଶ ସମସ୍ତ ତିନି ଜଣ ନେତାଙ୍କ ସହ ଫୋନ୍‌ରେ ବାର୍ତ୍ତାଳାପ କରିଛନ୍ତି । ବର୍ତ୍ତମାନ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଆଗାମୀ ରଣନୀତି ପ୍ରସ୍ତୁତ କରିବେ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ବିହାରରେ ବିରୋଧୀ ଦଳ ବୈଠକ ବସିବ । କିଛି ଦିନ ପୂର୍ବରୁ ନୀତିଶ କୁମାର ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଗସ୍ତ କରି ମମତା ବାନାର୍ଜୀ ଏବଂ ଅଖିଳେଶ ଯାଦବଙ୍କୁ ବି ସାକ୍ଷାତ କରିଥିଲେ ।

୨୦୨୪ ନିର୍ବାଚନରେ ନୀତିଶ କୁମାର କେନ୍ଦ୍ରରୁ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ନିକଟରେ ନୀତିଶ କହିଥିଲେ ଯେ, ଯଦି ସମସ୍ତ ବିରୋଧ ଦଳଗୁଡିକ ଏକଜୁଟ ହୁଅନ୍ତି ତାହେଲେ ୨୦୨୪ରେ ବିଜେପି ୧୦୦ ଆସନରେ ସୀମିତ ରହିବ । ତେଣୁ ସେ ଅଣ ବିଜେପି ନେତାମାନଙ୍କୁ ଏକାଠି କରିବାର ପ୍ରୟାସ ଜାରି ରଖିଛନ୍ତି । ଗୋଟିଏ ପରେ ଗୋଟିଏ ରାଜ୍ୟ ଗସ୍ତ କରି ବିରୋଧୀ ନେତାଙ୍କୁ ଭେଟି ବିଜେପି ବିରୋଧୀ ମେଣ୍ଟ ଗଠନ ପାଇଁ ଲାଗି ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 9, 2023, 10:03 AM IST

ABOUT THE AUTHOR

...view details