ଓଡିଶା

odisha

ETV Bharat / bharat

ଭାରତର ଗୌରବ ବିଶ୍ବର ବୃହତ ଜଳସେଚନ ପ୍ରୋଜେକ୍ଟ କାଲେଶ୍ବରମ

ଆମେରିକା ଓ ଇଜିପଟ ଭଳି ଦେଶକୁ ପଛରେ ପକାଇ ଜଳସେଚନ କ୍ଷେତ୍ରରେ ଗୋଟେ ପାଦ ଆଗେଇଛି ଭାରତ । ବିଶ୍ବର ବୃହତମ ଜଳସେଚନ ପ୍ରୋଜେକ୍ଟ ଭାବରେ ନିର୍ମାଣ ହୋଇଛି ତେଲେଙ୍ଗାନାର କାଲେଶ୍ବରମ ପ୍ରୋଜେକ୍ଟ ।

By

Published : Jun 29, 2019, 12:21 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: 21 ଜୁନ 2019, ଭାରତ ଇତିହାସର ଏହି ତାରିଖ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ କାରଣ ଦେଶରେ ଆରମ୍ଭ ହୋଇଛି ବିଶ୍ବର ସବୁଠାରୁ ବଡ ଜଳସେଚନ ଲିଫ୍ଟ ସ୍କିମ । 2014ରେ ଆନ୍ଧ୍ରପ୍ରଦେଶରୁ ଅଲଗା ହୋଇଥିବା ତେଲେଙ୍ଗାନା ରାଜ୍ୟ ଭାରତକୁ ଭେଟି ଦେଇଛି ଏହି ଉପହାର । ପ୍ରାୟ 80,499 କୋଟିର ବ୍ୟୟ ଅଟକଳରେ ତିଆରି ହୋଇଛି ଏହି ପ୍ରୋଜେକ୍ଟ । ପ୍ରୋଜେକ୍ଟକୁ ଉଦଘାଟନ କରଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଏହି ପ୍ରୋଜେକ୍ଟ ଦ୍ବାରା ତେଲେଙ୍ଗାନାର ପ୍ରାୟ 13ଟି ଜିଲ୍ଲା ଉପକୃତ ହେବ । ଲକ୍ଷାଧିକ ଚାଷୀ ଜଳ ପାଇ ପାରିବେ ।

କାଲେଶ୍ବରମ ଐତିହାସିକ ମନ୍ଦିର ନାମରେ ଗ୍ରାମର ନାଁ ରଖାଯାଇଥିଲା କାଲେଶ୍ବରମ । ଗ୍ରାମର ନାମ ଅନୁସାରେ ନିର୍ମାଣ ହେଲା ଏହି ଜଳସେଚନ ପ୍ରୋଜେକ୍ଟ । ଗୋଦାବରୀ ଓ ପ୍ରଣହିତା ନଦୀର ମିଳନ ସ୍ଥଳରେ ନିର୍ମାଣ ହୋଇଛି କାଲେଶ୍ବରମ ଲିଫ୍ଟ ପ୍ରୋଜେକ୍ଟ । ପ୍ରଣହିତା ନଦୀ, ଗୋଦାବରୀର ସବୁଠାରୁ ବଡ ଶାଖା ନଦୀ । ପ୍ରକାଶ ଥାଉକି, ତେଲେଙ୍ଗାନାର ତଳ ଅଞ୍ଚଳ ଗୋଦାବରୀ ନଦୀ କାରଣରୁ ଜଳ ପାଇପାରିଲା ମାତ୍ର ଉପର ଅଞ୍ଚଳ ଗୁଡିକରେ ଜଳର ବ୍ୟବହାର ହୋଇପାରୁନଥିଲା । ଫଳରେ ସେଠାରେ ଅନେକ ଚାଷୀ ଆତ୍ମହତ୍ୟା କରିବା ଆରମ୍ଭ କରିଦେଲେ । ଫଳରେ 2007ରେ ଆନ୍ଧ୍ରପ୍ରଦେଶ ସରକାର ଏକ ପ୍ରଣହିତା-ଚେଭେଲା ଲିଫ୍ଟ ସ୍କିମ ଆରମ୍ଭ କରିବାକୁ ମନସ୍ଥ କଲେ ମାତ୍ର ପ୍ରୋଜେକ୍ଟ ଆରମ୍ଭ ପୂର୍ବରୁ ଅନେକ ସମସ୍ୟା ଦେଖାଦେଲା । ଏହି ଭିତରେ ତେଲେଙ୍ଗାନା ରାଜ୍ୟ ଟିଆରଏସ ସରକାର ଗଠନ କଲା ଓ ଆରମ୍ଭ ହେଲା କାଲେଶ୍ବରମ ଲିଫ୍ଟ ପ୍ରୋଜେକ୍ଟ । ଲିଫ୍ଟ ପ୍ରୋଜେକ୍ଟ ଆରମ୍ଭ ହେବାର ମୁଖ୍ୟ କାରଣ ହେଲା ତେଲେଙ୍ଗାନାର ଉପର ଅଞ୍ଚଳ ଗୁଡିକୁ ଜଳ ଯୋଗାଣ । ଲିଫ୍ଟର ଅର୍ଥ ହେଲା ଜଳକୁ ତଳ ଅଞ୍ଚଳରୁ ଉପର ଅଞ୍ଚଳକୁ ଯୋଗାଣ କରିବା ।

କିପରି ତିଆରି ହୋଇଛି ଲିଫ୍ଟ ପ୍ରୋଜେକ୍ଟ?
ତେବେ ମାଧ୍ୟାକର୍ଷଣ ଶକ୍ତି କୌଣସି ଜିନିଷକୁ ଉପରୁ ତଳକୁ ତ' ଆଣି ପାରିବ ମାତ୍ର ତଳୁ ଉପରକୁ ନୁହେଁ । ସେଥିପାଇଁ ନିର୍ମାଣ ହେଲା ପମ୍ପ । ପମ୍ପ ସହାୟତାରେ ଜଳକୁ ତଳୁ ଉପରକୁ ଯୋଗାଣ କରାଗଲା । କାଲେଶ୍ବରମ ପ୍ରୋଜେକ୍ଟରେ ମଧ୍ୟ ଠିକ ସେହିପରି ଜଳକୁ ଯୋଗାଣ କରାଯାଇଛି । ତଳ ଅଞ୍ଚଳରୁ ଜଳକୁ ଯୋଗାଣ କରିବା ପାଇଁ ପ୍ରତି କିଲୋମିଟରରେ ପମ୍ପ ନିର୍ମାଣ ହୋଇଛି। ପ୍ରଥମେ ଛୋଟ ଟନେଲ କିମ୍ବା ନାଳ ଜରିଆରେ ପାଣିର ରାସ୍ତାକୁ ପରିବର୍ତ୍ତନ କରାଗଲା । ନାଶିକରୁ ପ୍ରବାହିତ ହେଉଥିବା ଗୋଦାବରୀ ନଦୀ, ପ୍ରଣହିତା ନଦୀ ସହ କାଲେଶ୍ବରମରେ ଆସି ମିଶୁଛି । ସେଠାରୁ ନଦୀର ସ୍ରୋତ ଅଧିକ ରହିଥାଏ । ତେଲେଙ୍ଗାନାର ତଳ ଅଞ୍ଚଳରେ ଏହି ପ୍ରୋଜକ୍ଟକୁ ନିର୍ମାଣ କରାଯାଇଛି । ଏଥିରେ ଗୋଦାବରୀର ପ୍ରାୟ 225 ହଜାର ମିଲିୟନ କ୍ୟୁବିକ ଫିଟ ଜଳ ବ୍ୟବହାର କରାଯାଇଛି । ବିଭିନ୍ନ ବ୍ୟାରେଜ ନିର୍ମାଣ ହେବା ସହ ପମ୍ପ ଓ ସ୍ଲୋପର ନିର୍ମାଣ କରାଗଲା । ପମ୍ପ ଓ ସ୍ଲୋପର ସହାୟତାରେ ପାଣିକୁ ଉପର ଅଞ୍ଚଳକୁ ଯୋଗାଣ କରାଯାଉଛି । ଫଳରେ ସଦର ତେଲେଙ୍ଗାନାକୁ ସମ୍ପୁର୍ଣ୍ଣ ଭାବେ ଜଳ ଯୋଗାଣ ହୋଇପାରୁଛି । ଗୋଦାବରୀ ନଦୀ ଉପରେ ଆଉ ଏକ ବ୍ୟାରେଜ ମେଦିଗଡା ନିର୍ମାଣ ହୋଇଥିଲା । ଏହି ମେଦିଗଡା ବ୍ୟାରେଜରୁ ହିଁ ପ୍ରୋଜେକ୍ଟକୁ ଆରମ୍ଭ କରାଯାଇଛି । ବ୍ୟାରେଜ ସାଧାରଣତଃ ପାଣି ଅଟକାଇରଖିଥାଏ । ମେଦିଗଡା ବ୍ୟାରେଜରେ ଅନେକ ପମ୍ପ ନିର୍ମାଣ କରାଯାଇଛି । ଏହି ପମ୍ପ ଗୁଡିକ ପାଣିକୁ ଉପର ଅଞ୍ଚଳକୁ ଠେଲିବାରେ ସାହାଯ୍ୟ କରେ । ତେବେ ଏହି ସ୍ବପ୍ନକୁ ପ୍ରୋଜେକ୍ଟର ରୂପ ଦେଇଛି ମେଘନା ଇଞ୍ଜିନିୟରିଂ ଇନଫ୍ରାଷ୍ଟ୍ରକଚର ଲିମିଟେଡ ।

ପ୍ରୋଜେକ୍ଟର ଉପକାରିତା:-
ପ୍ରୋଜେକ୍ଟର ଆରମ୍ଭ ଫଳରେ ପ୍ରାୟ 134.5 ହଜାର ମିଲିୟନ କ୍ୟୁବିକ ଜଳ 18,25,700 ଏକର ଜମିରେ ବ୍ୟବହାର ହେବ । ଫଳରେ କୌଣସି ଚାଷୀ ଜଳ ଅଭାବରେ ଆତ୍ମହତ୍ୟା କରିବେନି । ଏହାସହ ଶ୍ରୀରାମ ପ୍ରୋଜେକ୍ଟ, ସିଙ୍ଗୁର ପ୍ରୋଜେକ୍ଟ ଓ ଅନ୍ୟ କିଛି ପ୍ରୋଜେକ୍ଟ ପାଇଁ 34.5ଟିଏସସି ଜଳ ଯୋଗାଇବ । ପ୍ରୋଜେକ୍ଟ ଫଳରେ ସମ୍ପୂର୍ଣ୍ଣ ତେଲେଙ୍ଗାନାରେ ଗୋଦାବରୀ ପ୍ରବାହିତ ହୋଇପାରିବ । ହାଇଦ୍ରାବାଦ ଓ ସିକନ୍ଦରାବାଦକୁ ପ୍ରାୟ 30 ଟିଏମସି ପାନୀୟ ଜଳ ଯୋଗାଣ କରିବ । ଏହାସହ ଗ୍ରାମାଞ୍ଚଳକୁ ମଧ୍ୟ 10 ଟିଏମସି ଜଳ ଯୋଗାଇବ ସହ ଇଣ୍ଡଷ୍ଟ୍ରି ପାଇଁ 16 ଟିଏମସି ଜଳ ଯୋଗାଇବା । ଏହି ପ୍ରୋଜେକ୍ଟ ଜରିଆରେ ପ୍ରାୟ 13ଟି ଜିଲ୍ଲାକୁ କଭର କରାଯାଇପାରିବ । ଏହାସହ ଗ୍ରାଉଣ୍ଡ ୱାଟର ସଂରକ୍ଷଣ ପାଇଁ ମଧ୍ୟ ସହାୟକ ହେବ ଏହି ପ୍ରୋଜେକ୍ଟ ।

ବିଶ୍ବର ବୃହତ ପ୍ରୋଜେକ୍ଟ କାଲେଶ୍ବରମ:-
ପ୍ରୋଜେକ୍ଟର ନିର୍ମାଣ ପରେ ଏହା ଏବେ ବିଶ୍ବର ବୃହତ ଜଳସେଚନ ପ୍ରୋଜେକ୍ଟ ଭାବରେ ମାନ୍ୟତା ପାଇଛି । ଏହା ପୂର୍ବରୁ ଆମେରିକାର କୋଲୋରାଡୋ ସ୍କିମ ଓ ଇଜପିଟର ଗ୍ରେଟ ମ୍ୟାନମେଡ ନଦୀ ବୃହତ ଜଳସେଚନ ଭାବରେ ଗଣାଯାଉଥିଲା । କାଲେଶ୍ବରମ ପ୍ରୋଜେକ୍ଟ ଜରିଆରେ ପ୍ରାୟ 3ଟି ବ୍ୟାରେଜ ନିର୍ମାଣ ସହ 1531 କିଲୋମିଟରର ଗ୍ରାଭିଟି କେନାଲ, 203 କିଲୋମିଟରର ଟନେଲ, 20ଟି ଲିଫ୍ଟ, 19ଟି ପମ୍ପ ହାଉସ ଓ ପାଣିକୁ ସଂରକ୍ଷଣ କରିବା ପାଇଁ 20ଟି ରିଜରଭର ନିର୍ମିତ ହୋଇଛି । ଏହି ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ହେବା ପାଇଁ ପ୍ରାୟ 4,992 ମେଗାୱାଟ ବିଜୁଳିର ବ୍ୟବହାର କରାଯିବା ସହ ପ୍ରତିଦିନ 2ଟିଏମସି ଜଳ ପ୍ରତିଦିନ ବ୍ୟବହାର କରାଯିବ ଯାହା ବିଶ୍ବରେ ପ୍ରଥମ । ତେବେ ଆଗକୁ ବିଜୁଳି ଶକ୍ତିର ବ୍ୟବହାର 7,152 ମେଗାୱାଟ ବ୍ୟବହାର କରାଯାଇ 3 ଟିଏମସି ଜଳ ଯୋଗାଣ କରାଯିବ ।

ଅତୀତରେ ପାଣି ପାଇଁ ହନ୍ତସନ୍ତ ହେଉଥିବା ତେଲେଙ୍ଗାନା ଜନତାଙ୍କୁ ଶେଷରେ ଉପସମ ମିଳିଛି ଏହି ପ୍ରୋଜେକ୍ଟ ଜରିଆରେ । ଚାଷୀ ଆତ୍ମହତ୍ୟାଠୁ ଆରମ୍ଭ କରି ପାନୀୟ ଜଳର ଅଭାବ, ଏବେ ସବୁ ସମସ୍ୟାର ହେବ ଶେଷ । କେ ଚନ୍ଦ୍ରଶେଖର ରାଓଙ୍କ ଡ୍ରିମ ପ୍ରୋଜେକ୍ଟ ସତ ହୋଇଛି ବୋଲି କୁହାଯାଇପାରେ । ପ୍ରୋଜେକ୍ଟକୁ କାର୍ଯ୍ୟକ୍ଷମ କରିବା ପାଇଁ ତେଲେଙ୍ଗାନା ଓ ମହାରାଷ୍ଟ୍ର ମଧ୍ୟରେ 8 ମାର୍ଚ୍ଚ 2016ରେ ଚୁକ୍ତି ସାକ୍ଷ୍ବର କରାଯାଇଥିଲା । ମହାରାଷ୍ଟ୍ରର ନାସିକ ଅଞ୍ଚଳରୁ ପ୍ରବାହିତ ହୋଇଥାଏ ଗୋଦାବରୀ ନଦୀ । ତେଣୁ ମହାରାଷ୍ଟ୍ର ସରକାରର ସହମତି ଜରୁରୀ ଥିଲା । କେସିଆରଙ୍କ ମହତ୍ତ୍ବ ଉଦ୍ଦେଶ୍ୟକୁ ସମ୍ମାନ ଦେଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଣ୍ଡିଜ ଏହି ଯୋଜନାକୁ ସ୍ବାଗତ କରିଥିଲେ । ଏହାପରେ 2 ମେ 2016ରେ ଜୟଶଙ୍କର ଭୁପାଲି ଜିଲ୍ଲାର କାନେପଲ୍ଲୀ ଅଞ୍ଚଳରେ ପ୍ରୋଜେକ୍ଟକୁ ଆରମ୍ଭ କରାଗଲା । ପ୍ରୋଜେକ୍ଟର ଆରମ୍ଭରୁ ହିଁ କେସିଆର ଏଥିନେଇଁ ନିଜେ ଯାଞ୍ଚ କରୁଥିଲେ । ତେବେ ଏହି ପ୍ରୋଜେକ୍ଟ ତେଲେଙ୍ଗାନାର ବିକାଶ ପାଇଁ ଏକ ପଦକ୍ଷେପ ଯାହା ଦେଶକୁ ଗର୍ବିତ କରିଛି ।

ABOUT THE AUTHOR

...view details