ଆଜିକୁ 75 ବର୍ଷ ତଳେ, ଦ୍ବିତୀୟ ବିଶ୍ବ ମହାଯୁଦ୍ଧ ଜନିତ ଧ୍ବଂସଲୀଳା ପରବର୍ତ୍ତୀ ସମୟରେ, ମାନବିକତାର ପ୍ରତିନିଧିତ୍ବ କରିବା ସହିତ ସାରା ବିଶ୍ବରେ ଶାନ୍ତି ପ୍ରତିଷ୍ଠା କରିବା ଲାଗି ଉଭା ହୋଇଥିଲା ମିଳିତ ଜାତିସଂଘ । ଏହି ଐତିହାସିକ ଘଟଣାର ସ୍ମୃତିରେ ଆରମ୍ଭ ହୋଇଥିବା ବାର୍ଷିକ ଉତ୍ସବ ପାଳନ ଅବସରରେ ଯେଉଁ ଗୋଟିଏ ଦାବି ସ୍ପଷ୍ଟ ଭାବେ ଶୁଣାଯାଏ, ତାହା ହେଉଛି- ‘ସଂସ୍କାର’ । 25 ବର୍ଷ ତଳେ, ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ଅବସରରେ ମିଳିତ ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷ ପଦାସୀନ ଫ୍ରେଟାସ୍ ଡୋ ଆମାରାଲ ମଧ୍ୟ ଠିକ୍ ସେହି ପ୍ରସଙ୍ଗ ଉଠାଇଥିଲେ ।
ପାଞ୍ଚ ବର୍ଷ ତଳେ, ମିଳିତ ଜାତିସଂଘର 70 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସମାରୋହ ଅବସରରେ 104 ଟି ଦେଶ ଦ୍ବାରା ଗୃହୀତ ଏକ ପ୍ରସ୍ତାବରେ, ମିଳିତ ଜାତିସଂଘ ସୁରକ୍ଷା ପରିଷଦର କେବଳ 5 ଜଣ ସ୍ଥାୟୀ ସଦସ୍ୟଙ୍କ ପାଖରେ ‘ଭିଟୋ’ କ୍ଷମତା ରହିବା ଉପରେ ଉଠାଯାଇଥିବା ପ୍ରଶ୍ନ ଆଲୋଡ଼ନ ସୃଷ୍ଟି କରିଥିଲା ।
ମିଳିତ ଜାତିସଂଘ ଆଉ ଏକ ଐତିହାସିକ ସଫଳତା ହାସଲ କରିଥିବା ସମୟରେ, ସଂସ୍କାରଧର୍ମୀ ପ୍ରକ୍ରିୟାର ସୂତ୍ରପାତ କରାଯାଇ ନଥିବା ହେତୁ ଏହାର ବିଶ୍ବସନୀୟତା ସଂକଟଗ୍ରସ୍ତ ହୋଇଛି.. ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ଅକ୍ଷରେ ଅକ୍ଷରେ ସତ । ସୁଦୀର୍ଘ ଯାତ୍ରା ଅବସରରେ ବହୁ ସଫଳତା ହାସଲ କରିଥିବା ସତ୍ତ୍ବେ ଏ ପର୍ଯ୍ୟନ୍ତ ମିଳିତ ଜାତିସଂଘ ଏହାର ମୌଳିକ ଲକ୍ଷ୍ୟରେ ପହଞ୍ଚି ପାରିନାହିଁ ବୋଲି ତାଙ୍କ ବିଶ୍ଲେଷଣ ସୁଧାରାତ୍ମକ କାର୍ଯ୍ୟାନୁଷ୍ଠାନର ତୁରନ୍ତ ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରେ ।
ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଆୟୋଜିତ ବୈଠକରେ ସୁରକ୍ଷା ପରିଷଦର ସମ୍ପ୍ରସାରଣ ନିମନ୍ତେ ଚିଠା ପ୍ରସ୍ତାବ ଉପସ୍ଥାପନ ପ୍ରୟାସରେ ବିଫଳ ହୋଇଥିବା ମିଳିତ ଜାତିସଂଘ, ଏବେ ବିଶ୍ବର ଦୁଇ ଅର୍ଥନୈତିକ ଭାବେ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ଶୀତଳ ଯୁଦ୍ଧର ପରିସମାପ୍ତି ଲାଗି ଆହ୍ବାନ ଦେଉଛି । ସଦସ୍ୟମାନଙ୍କ ମଧ୍ୟରେ ସହଯୋଗ ଏବଂ ବନ୍ଧୁତ୍ବପୂର୍ଣ୍ଣ ଭ୍ରାତୃତ୍ବଭାବ ବଜାୟ ରଖିବା ଦିଗରେ ମିଳିତ ଜାତିସଂଘର ଉଦ୍ୟମ ଯେ ବିଫଳ ହୋଇଛି, ସେ ସଂପର୍କରେ ଆଉ ଅଧିକ ଉତ୍କୃଷ୍ଟ ପ୍ରମାଣ ଦିଆଯାଇ ନପାରେ । ପରିବର୍ତ୍ତିତ ପରିସ୍ଥିତିକୁ ସ୍ବୀକାର କରିବା ନିମନ୍ତେ ସୁରକ୍ଷା ପରିଷଦରେ ଗଣତାନ୍ତ୍ରିକ ଓ ସାର୍ବଜନୀନ ଧାରା ସ୍ଥାପନ କରା ନଯିବା ଯାଏ, ମିଳିତ ଜାତିସଂଘର ଅସ୍ତିତ୍ବର କୌଣସି ଅର୍ଥ ରହିବ ନାହିଁ ।
ଗତ ସାଢ଼େ ସାତ ଦଶନ୍ଧି ଭିତରେ ବିଶ୍ବର ଚେହେରା ବଦଳିଯାଇଛି । ଦ୍ବିତୀୟ ବିଶ୍ବଯୁଦ୍ଧରେ ‘ବିଜୟୀ’ ଯୁକ୍ତରାଷ୍ଟ୍ର ଆମେରିକା, ମିଳିତ ଗଣରାଜ୍ୟ, ଫ୍ରାନ୍ସ ଏବଂ ଋଷିଆକୁ ଏବଂ ପରବର୍ତ୍ତୀ ସମୟରେ ଚୀନକୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ଅର୍ପଣ କରାଯିବା ପରଠାରୁ ବିଶ୍ବରେ ଅନେକ ପରିମାଣାତ୍ମକ ପରିବର୍ତ୍ତନ ସଂଘଟିତ ହୋଇଛି । ଋଷିଆ, ବ୍ରିଟେନ୍ ଏବଂ ଫ୍ରାନ୍ସ ଆଜି କେବଳ ଅତୀତ ଗୌରବର ସନ୍ତକ ମାତ୍ର । ନିଜ ଇଚ୍ଛା ଓ ପସନ୍ଦ ମୁତାବକ ମିଳିତ ଜାତିସଂଘକୁ ବର୍ଷ ବର୍ଷ ଧରି ଶାସନ କରି ଆସିଥିବା ଯୁକ୍ତରାଷ୍ଟ୍ର ଆମେରିକା, ଟ୍ରମ୍ପ୍ଙ୍କ ପଦାର୍ପଣ ପରେ ପରେ, ‘ସମ୍ମାନଜନକ ମିଳିତ ଜାତିସଂଘ’ ପାଇଁ ଯେ ଅନେକ କଷ୍ଟକର ପରିସ୍ଥିତି ଉତ୍ପନ୍ନ କରିଛି, ତାହା ଏକ ସର୍ବଜନ ବିଦିତ ସତ୍ୟ । ଏବଂ ଚୀନ ଯେଉଁଭଳି ନିଜ ଭିଟୋ କ୍ଷମତାର ଅପବ୍ୟବହାର କରିଛି, ଇତିହାସରେ ତାହାର ପଟାନ୍ତର ନାହିଁ ! ଭାରତକୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପ୍ରଦାନ କରିବା କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା, ମିଳିତ ଗଣରାଜ୍ୟ, ଫ୍ରାନ୍ସ ଏବଂ ଋଷିଆ ଆଗ୍ରହ ପ୍ରକାଶ କରି ଆସୁଥିଲେ ହେଁ ଚୀନ ଏହି ପଦକ୍ଷେପକୁ ବରାବର ବିରୋଧ କରିଆସିଛି ।
ଚୀନର ଏକମାତ୍ର ରଣନୀତି ହେଉଛି ଯେ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବରେ ଭାରତ ଓ ଜାପାନ ଏହା ସହିତ ଏକତ୍ର ସ୍ଥାନ ଗ୍ରହଣ ନକରନ୍ତୁ । ସୁରକ୍ଷା ପରିଷଦରେ ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକା ଦେଶ ସମୂହର ଏକମାତ୍ର ପ୍ରତିନିଧି ରୂପେ ଚୀନ ସ୍ଥାନିତ ହେବା ଏକ ସମ୍ପୂର୍ଣ୍ଣ ଅଯୌକ୍ତିକ କାର୍ଯ୍ୟ । ସ୍ଥାୟୀ ସଦସ୍ୟତା ପାଇଁ ବ୍ରାଜିଲ, ଭାରତ, ଜର୍ମାନୀ ଏବଂ ଜାପାନର ଦାବି ଦୀର୍ଘ ବର୍ଷ ହେଲା ଅଣଦେଖା ହୋଇ ରହିଛି । କୋଭିଡ୍ ଜନିତ ସଙ୍କଟ କାରଣରୁ ସାରା ବିଶ୍ବ ବିଭିନ୍ନ ଗୋଷ୍ଠୀରେ ବିଭାଜିତ ହେଉଥିବା ସମୟରେ ବହୁପାକ୍ଷିକ ଅଂଶୀଦାର ରାଷ୍ଟ୍ର ସମୂହ ମଧ୍ୟରେ ତୁରନ୍ତ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ଗଠନ ନିମନ୍ତେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଆହ୍ବାନ ଦେଇଛନ୍ତି ।