ନୂଆଦିଲ୍ଲୀ: ଦଳିତଙ୍କୁ ପରିହାସ କରି ଏବେ ଚର୍ଚ୍ଚାରେ ଜନୈକ ମହିଳା । ଦେଶରେ ସମସ୍ତ ଜାତିର ଲୋକଙ୍କୁ ସମାନ ଭାବେ ଦେଖିବାର ନିୟମ ଥିବା ବେଳେ ଦଳିତଙ୍କ ପାଇଁ କାହିଁକି ଜାତିଗତ ସଂରକ୍ଷଣ ରହିଛି ବୋଲି ପ୍ରଶ୍ନ କରିଛନ୍ତି ସେ । ତେବେ ଏ ନେଇ ମହିଳା ଜଣଙ୍କ ଜାରି କରିଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି।
‘ଦଳିତଙ୍କୁ ମୁଣ୍ଡରେ ବସାଇଛନ୍ତି ସରକାର’
ଜାତିପ୍ରଥା ଯୋଗୁଁ ସରକାରୀ ଚାକିରୀରୁ ବଞ୍ଚିତ ହୋଉଥିବା ନେଇ ବୟାନ ଦେଇ ଚର୍ଚ୍ଚାରେ ମହିଳା। ବର୍ତ୍ତମାନ ଟ୍ବିଟରରେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ 90,000 ୟୁଜର୍ସ ଦେଖିସାରିଥିବା ଜଣାପଡିଛି।
ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରିନାହିଁ। ସରକାରୀ ଚାକିରୀ ନମିଳିବାରୁ ମହିଳା ଏପରି ମନ୍ତବ୍ୟ ଦେଇଥିବା ଜଣାପଡିଛି। ସେ କହିଛନ୍ତି, ଏମାନଙ୍କୁ (ଦଳିତଙ୍କୁ) ଛୁଇଁବା ସମ୍ଭବ ନୁହେଁ । କିନ୍ତୁ ସରକାର ଏମାନଙ୍କୁ ମୁଣ୍ଡରେ ବସାଇଛନ୍ତି । ଖାଲି ସେତିକି ନୁହେଁ, ଉକ୍ତ ମହିଳା ଜଣକ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗାଳି କରୁଥିବା ଭିଡିଓରେ ଦେଖାଯାଇଛି।
ଯଦି ମୁଁ ଏହି ଦଳିତ ଶ୍ରେଣୀରେ ଜନ୍ମ ନେଇଥାନ୍ତି ତେବେ ମୁଁ ସରକାରୀ ଚାକିରୀ ପାଇବାରେ ସକ୍ଷମ ହୋଇଥାନ୍ତି ବୋଲି ମହିଳା କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ 90,000 ୟୁଜର୍ସ ଦେଖିସାରିଥିବା ଜଣାପଡିଛି ।