ନୂଆଦିଲ୍ଲୀ: ମ୍ୟାଜିକ ଦେଖାଇବା ଆରମ୍ଭ କଲେଣି ମୋଦି । ଭୋଟ ଗଣତି ଚାଲିଥିବା ବେଳେ ଦେଶର ଅଧିକାଂଶ କ୍ଷେତ୍ରରେ ମୋଦିଙ୍କ ଯାଦୁ ଦେଖିଲାଣି ବିଶ୍ବ । କାହା ସପକ୍ଷରେ ଜନାଦେଶ, ସ୍ପଷ୍ଟ ହେବ । ଏବେ ସମଗ୍ର ଦେଶବାସୀଙ୍କ ନଜର 2019 ସାଧାରଣ ନିର୍ବାଚନର ଫଳାଫଳ ଉପରେ । ପ୍ରଶ୍ନ, ମ୍ୟାଜିକର ନାଁ ମୋଦି ନା ମେଣ୍ଟ ?
2014 ମେ 16 । ଦେଶ ଦେଖିଥିଲା ମୋଦି ମ୍ୟାଜିକ । ଟିଭି ସ୍କ୍ରିନରେ ମୋଦି ମ୍ୟାଜିକର ମଜା ନେଇଥିଲେ ଦେଶବାସୀ । ବିଜେପିକୁ ମିଳିଥିଲା ବହୁମତ । ଦେଶ ପାଇଥିଲା ନୂଆ ପ୍ରଧାନମନ୍ତ୍ରୀ । ଆଉ ଏବେ ପାଞ୍ଚବର୍ଷ ପରେ ପୁଣିଥରେ ମ୍ୟାଜିକ ଦେଖିବାକୁ ଦେଶବାସୀଙ୍କ ଭିତରେ ଉତ୍କଣ୍ଠା । ହେଲେ ଏଥରର ମ୍ୟାଜିକ ମୋଦି ନା ମେଣ୍ଟ, ଏବେ ସସପେନ୍ସ ।
2014 ମେ 16ରେ ସିନା ମୋଦି ମ୍ୟାଜିକ ଚାଲିଥିଲା, ହେଲେ ଏବେ ସେକାଳ ପଖାଳ ଅଛି ତ ? ନା ଏଥରର ମ୍ୟାଜିକ ମେଣ୍ଟ ନାଁରେ । ହଁ, ଏକଜିଟ ପୋଲ ରିପୋର୍ଟ ହିସାବରେ ପୂର୍ବପେକ୍ଷା ଆହୁରି ଭଲ କରିବ ବିଜେପି । ଏଥର ବି ଦେଖିବାକୁ ମିଳିବ ମୋଦି ମ୍ୟାଜିକ । ହେଲେ ଅଷ୍ଟ୍ରେଲିଆ ଏକଜିଟ ପୋଲର ବାସ୍ତବତା ଦେଖିବା ପରେ ଏହି ପୋଲ ଉପରେ ଭରଷା ପାଉନି । ସେମିତିରେ ବି ବିରୋଧୀ ମେଣ୍ଟ ସରକାର ଗଠନ ପାଇଁ ପୁରା ତୟାର । ଇଭିଏମ, ଭିଭିପାଟ ଉପରେ ଦୋଷାରୋପ କରି ଏକଜୁଟ ହେଉଛନ୍ତି ଅଣ-ଏନଡିଏ ଦଳ । ଅନ୍ୟପଟେ ମୋଦି ମ୍ୟାଜିକ ନଚାଲିଲେ ବି ଭିଡିଭାଡି ଚଲାଇବା ପାଇଁ ରେଡ୍ଡି ଅଛି ଏନଡିଏ । ନୈଶ୍ୟଭୋଜି ବି ସରିଛି ।
ମେ 23ର ମ୍ୟାଜିକ ଯେ କେହି ଜଣେ ଦେଖାଇବ, ଏକଥା ଅଣ-ଏନଡିଏ ନେତାଙ୍କ ପକ୍ଷରେ ହଜମ ହେଉନି । ମ୍ୟାଜିକ ଦେଖାଇବା ପାଇଁ ମଇଦାନରେ ବହୁ ଦଳ, ଅନେକ ନେତା । ଯଦିଓ ମୋଦି ମ୍ୟାଜିକକୁ ଏକାକି ଟକ୍କର ଦେବା କାହା ପକ୍ଷରେ ସମ୍ଭବ ମନେ ହେଉନାହିଁ, ତଥାପି ବି ବିଳିବିଳି ହେଉପଛକେ ଟକ୍କର ଦେବାକୁ ତୟାର ବିରୋଧୀ । କାହା ମ୍ୟାଜିକ ଦେଖିବାକୁ ଚାହୁଁଛି ଦେଶ, ତାହା ତ ମତଦାନ ଦିନରୁ ହିଁ ନିଷ୍ପତ୍ତି ସରିଛି । ଏବେ କେବଳ ମ୍ୟାଜିକ ଦେଖିବାର ଏବଂ ଦେଖାଇବାର ବେଳ । 2014 ମେ 16ରେ ମୋଦି ଦେଖାଇଥିବା ମ୍ୟାଜିକର 2.0 ଭର୍ସନ ଆସନ୍ତାକାଲି ଦେଖିବାକୁ ମିଳିବ କି ? ନା ବିରୋଧୀ ମିଳିମିଶି କିଛି ନୂଆ ମ୍ୟାଜିକ ଦେଖାଇବେ ।