‘ଭୁଲ କରିବା ଭୁଲ ନୁହେଁ, ହେଲେ ସେହି ଭୁଲକୁ ବାରମ୍ବାର ଦୋହରାଇବା ମସ୍ତବଡ ଭୁଲ ।’ ଯାହାକୁ ଗାନ୍ଧୀ କେବେ କରିନଥିଲେ । ଆଉ ଏହା ହିଁ ଥିଲା ତାଙ୍କ ନୈତିକ ପ୍ରଗତିର ପୁଞ୍ଜି । ଜୀବନର ପ୍ରତିଟି ସୋପାନରେ ସେ ଆତ୍ମ-ମୂଲ୍ୟାଙ୍କନ ପାଇଁ ପ୍ରସ୍ତୁତ ରହୁଥିଲେ । କଣ କରୁଛି ମୁଁ, ଯାହା କରୁଛି ତାହା କେତେ ଯୁକ୍ତିଯୁକ୍ତ, କଣ ରହିଛି ଦୋଷ ତ୍ରୁଟି, ନିଜର ପ୍ରତିଟି ପଦକ୍ଷେପକୁ ଗୋଟି ଗୋଟି କରି ନିରକ୍ଷଣ କରନ୍ତି, ଆଉ ଦୁର୍ବଳତାକୁ ସୁଧାରନ୍ତି ବାପୁ । ଏଇଥି ପାଇଁ ତ ସେ ଭିନ୍ନ ଏବଂ ମହାନ । ଆଉ ଏହି ମହାନ ବ୍ୟକ୍ତିଙ୍କୁ ମହାତ୍ମା କହି ବିଶ୍ବକୁ ନୂଆ ଗାନ୍ଧୀ ଦେଇଥିଲେ ରବୀନ୍ଦ୍ର ନାଥ ଠାକୁର ।
ସେ ବିଶ୍ବାସ କରୁଥିଲେ, ଯଦିଓ ନିଜ ବିଚାରରେ କିଛି ଭୁଲ କିମ୍ବା ପାପ ରହିଥାଏ । ତାହାକୁ ସର୍ବଶକ୍ତିମାନ ଇଶ୍ବର ଦେଖୁଛନ୍ତି । ଏଣୁ ଦୁନିଆ ସାମ୍ନାରେ ନିଜ ଭୁଲକୁ ମାନିବାକୁ କୁଣ୍ଠା କରନ୍ତି ନାହିଁ ବାପୁ । ଏହା ଜରିଆରେ ସେ ନିଜ ପାପର ପ୍ରାୟଶ୍ଚିତ ପାଇଁ ଗୋଟିଏ ସୁଯୋଗ ପାଇଯାଇଥାନ୍ତି । ଦକ୍ଷିଣ ଆଫ୍ରିକାର ଫୋନିକ୍ସ ଆଶ୍ରମରେ ବାପୁ ଗୋଟିଏ ଦିନର ଭୋଜନ ସହ ଲୁଣ ଛାଡିଦେଇଥିଲେ । ଆଉ ଏହାର କାରଣ ହେଉଛି ସେ ନିଜକୁ କୌଣସି ଏକ ଭୁଲ ପାଇଁ ଦଣ୍ଡିତ କରିବାକୁ ଚାହୁଁଥିଲେ । ଯାହାକି ପରବର୍ତ୍ତୀ ସମୟରେ ଅନିଶ୍ଚିତକାଳ ପାଇଁ ମଧ୍ୟ ଚାଲୁଥିଲା ।
ବାପୁ, ସେ ମହାତ୍ମା । ସେ ରାଷ୍ଟ୍ରପିତା । ହଁ ଏଇ କେଇ ଶବ୍ଦରେ ଯେମିତି ପୂରା ଦୁନିଆ ବସିଯାଏ । ଥରେ ଆଲବର୍ଟ ଆଇନଷ୍ଟାଇନ କହିଥିଲେ , ଆଗମୀ ପୀଢୀ ବୋଧେ ବିଶ୍ବାନ କରି ନ ପାରେ ଯେ, ହାଡ ମାଂସର ଏପରି ଏକ ମଣିଷ ଯିଏ ସତରେ ଏଇ ଧରିତ୍ରୀରେ ରହିଥିଲା । ଗାନ୍ଧୀଙ୍କ ପାଇଁ ଏହି ମହାତ୍ମା ଉପାଧି ଅନାତ୍ମ ଥିଲା । କେହି ତାଙ୍କୁ ମହାତ୍ମା ବୋଲି ଡାକିଲେ ସେ ପ୍ରଶ୍ନ ଘେରକୁ ଆସିଯାଉଥିଲେ । ଗାନ୍ଧୀଜୀ ଅନ୍ୟ ସାଧାରଣଙ୍କ ମଣିଷଙ୍କ ଭଳି ନିଜକୁ ଭାବୁଥିଲେ । ହେଲେ ତାଙ୍କର ଅନ୍ତର୍ନିହିତ ଚରିତ୍ର ଆଜି ତାଙ୍କୁ ମହାନ ଭାବେ ଚୀର ନମନୀୟ କରି ରଖିଛି ।
ଗାନ୍ଧୀ ସର୍ବଦା ଧାର୍ମିକ ଲିପି ଓ ସନ୍ଥଙ୍କ ବାଣୀଙ୍କୁ ସମ୍ମାନ କରୁଥିଲେ । ସେ ଭାବୁଥିଲେ ଏହି ସବୁ ମହତ ଶବ୍ଦ ମହାନ ବିଚାର ଓ ଅନୁଭବର ଗୋଟିଏ ଗୋଟିଏ ଉପାଦନ । ତେବେ ହେଲେ ବି ସେ ତର୍କରେ ଲାଗୁ ହେଉଥିବା ଲିପିଗୁଡିକର କଥୋପକଥନ ଉପରେ ପରୀକ୍ଷା କରୁଥିଲେ । ଆଉ ପରିକ୍ଷାରେ ଯାହାର ଯାହା ଉତ୍ତୀର୍ଣ୍ଣ ହେଉନଥିଲା ତାକୁ ସେ ଖାରଜ କରିଦେଉଥିଲେ । ଏଥିଯୋଗୁଁ ସେ କହିଥିଲେ , ଯଦି ବେଦରେ ‘ଅସ୍ପୃଶ୍ୟତା’କୁ ନେଇ କୌଣସି ମଞ୍ଜୁରୀ ରହିଥିବା କୌଣସି ହିନ୍ଦୁ ବିଦ୍ବାନ ପ୍ରମାଣ କରିଦିଏ, ତେବେ ସେ ଏଭଳି ଶାସ୍ତ୍ରକୁ ନିନ୍ଦା କରିବେ । ଆଉ ଏ ନେଇ ସ୍ବର ତେଜିବା ସମୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ପ୍ରତିଟି କଠୋରତାକୁ ପାର କରୁଥିଲେ ବାପୁ । ଏପରିକି ନିଜ ପରିବାର ବିରୋଧରେ ଯିବାକୁ ମଧ୍ୟ ସଙ୍କୋଚ କରିନଥିଲେ । କେବଳ ସତ୍ୟ ଓ ଧର୍ମର ସାଥ ଦେଇଥିଲେ ।