ଓଡିଶା

odisha

ETV Bharat / bharat

ମଜବୁତ ହେବ ସ୍ବାସ୍ଥ୍ୟସେବା, ସୂଲଭ ମୁଲ୍ୟରେ ମିଳିବ କ୍ୟାନସର ଔଷଧ

ସ୍ବାସ୍ଥ୍ୟସେବାକୁ ଉନ୍ନତମାନର କରିବା ପାଇଁ ଅଣ୍ଟା ଭିଡିଛି ବିଶ୍ବ ସ୍ବାସ୍ଥ୍ୟସେବା ସଙ୍ଗଠନ । ଉନ୍ନତ ମାନର ଔଷଧ ସାଙ୍ଗକୁ ସୁଲଭ ଦରରେ ଔଷଧ ଯୋଗାଇ ଦେବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସେବା ସଙ୍ଗଠନ ଔଷଧର ସୂଚୀ ଜାରି କରିଛି ।

By

Published : Jul 10, 2019, 1:04 AM IST

Updated : Jul 10, 2019, 4:44 PM IST

ଡିଜାଇନ ଫଟୋ

ଆହୁରି ମଜବୁତ ହେବ ସ୍ବାସ୍ଥ୍ଯସେବା । ଏଣିକି ସୁବିଧାରେ ଓ ସୁଲଭ ମୂଲ୍ୟରେ ମିଳିବ ଦୁର୍ଲଭ ଔଷଧ । ସ୍ବାସ୍ଥ୍ୟସେବାକୁ ସୁଦୃଢ କରିବାକୁ ଆଗକୁ ଆସିଛି ବିଶ୍ବ ସ୍ବାସ୍ଥ୍ୟସେବା ସଙ୍ଗଠନ । ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ବିଶ୍ବ ସ୍ବାସ୍ଥ୍ୟସେବା ସଙ୍ଗଠନ(WHO) ପକ୍ଷରୁ କେତେକ ଔଷଧର ତାଲିକା ଜାରି କରାଯାଇଛି । ଯାହାକି ଗୁରୁତ୍ବପୂର୍ଣ୍ଣ ମେଡିସିନ ଉତ୍ପାଦନ କରିବାରେ ଦେଶମାନଙ୍କୁ ସାହାଯ୍ୟ କରିବ ।

ବିଶେଷ କରି, କ୍ୟାନସର ରୋଗର ମୁକାବିଲା ପାଇଁ ସ୍ମାର୍ଟ ସମାଧାନ, ସ୍ମାର୍ଟ ପ୍ରାଥମିକତା ଏବଂ ରୋଗୀଙ୍କ ନିକଟକୁ ଏହି ସମସ୍ତ ସୁବିଧା କିଭଳି ଭାବେ ପହଞ୍ଚାଯିବ ବିଶ୍ବ ସ୍ବାସ୍ଥ୍ୟସେବା ସଙ୍ଗଠନ ଏହା ଉପରେ ଫୋକସ୍‌ କରିଛି । ତେବେ ଏନେଇ WHOର ମହାନିର୍ଦ୍ଦେଶକ ଡ଼ଃ ଟେଡ୍ରସ ଏଣ୍ଡାନାମ କୁହନ୍ତି, ବିଶ୍ବ ସ୍ବାସ୍ଥ୍ୟସେବା ସଙ୍ଗଠନ ତରଫରୁ ସାରା ବିଶ୍ବର 150ରୁ ଊର୍ଦ୍ଧ୍ବ ଦେଶକୁ ମେଡିସିନ କ୍ଷେତ୍ରରେ ଗାଇଡ୍ କରିବା ସହ ସୁଲଭ ଦରର ମେଡିସିନ ସୂଚୀ ଜାରି କରାଯାଉଛି । ସେହିପରି କ୍ୟାନସର ରୋଗୀଙ୍କୁ ମଧ୍ୟ କମ୍ ମୂଲ୍ୟରେ ଭଲ ମେଡିସିନ୍ ପହଞ୍ଚାଇବା ପାଇଁ WHO ମେଡିସିନ ସୂଚୀ ଜାରି କରିଛି । ସେହି ଔଷଧକୁ କ୍ୟାନସର ରୋଗୀ ବ୍ୟବହାର କଲେ ତାହା ତାଙ୍କ ପାଇଁ ଫଳପ୍ରଦ ହୋଇ ପାରିବ ।

WHO ତରଫରୁ ଜାରି କରାଯାଇଥିବା କିଛି ଔଷଧ ସୂଚୀ :

କର୍କଟ ଉପଚାର ପାଇଁ ଔଷଧ :

ସାରା ବିଶ୍ବରେ କ୍ୟାନସର ରୋଗ କାୟା ବିସ୍ତାର କରିବାରେ ଲାଗିଛି । ଏଥିରୁ ମୁକ୍ତି ପାଇବା ବେଶ୍ କାଠିକର ପାଠ । ବଜାରରେ କ୍ୟାନସର ବା କର୍କଟ ରୋଗରୁ ମୁକ୍ତି ପାଇଁ ଭଳିକି ଭଳି ଔଷଧ ଉପଲବ୍ଧ ରହିଛି । ତେବେ ବର୍ତ୍ତମାନ କର୍କଟ ପାଇଁ WHO ପକ୍ଷରୁ ଆଉ 5ଟି ନୂଆ ଔଷଧ ଉପଲବ୍ଧ କରାଯାଇଛି । ଯାହା କର୍କଟ ରୋଗରୁ ଉପଶମ ପାଇଁ ମହୌଷଧି ଭଳି କାମ କରିବ ।

ଆଣ୍ଟିବାୟୋଟିକ୍ସ :

ସାଧାରଣତଃ ସଂକ୍ରମଣ ରୋଗ କିମ୍ବା ଅନ୍ୟାନ୍ୟ ରୋଗରୁ ଶୀଘ୍ର ଉପଶମ ପାଇଁ ଆମେ ଆଣ୍ଟିବାୟୋଟିକ୍ସକୁ ମେଡିସିନ ଭାବେ ବ୍ୟବହାର କରିଥାଉ । WHO ପକ୍ଷରୁ ମଧ୍ୟ ଆଣ୍ଟିବାୟୋଟିକ୍ସ ବ୍ୟବହାର ପାଇଁ କୁହାଯାଇଛି । ତେବେ ଅତ୍ୟାବଶ୍ୟକ ଔଷଧ କମିଟି ତରଫରୁ ଉନ୍ନତ ଧରଣର 3ଟି ଆଣ୍ଟିବାୟୋଟିକ୍ସକୁ ଯୋଡିବା ପାଇଁ ଅନୁରୋଧ କରିଛି ।

ଅତ୍ୟାବଶ୍ୟକୀୟ ଡାଏଗ୍ନୋଷ୍ଟିକ୍ସ ଲିଷ୍ଟ :

ପ୍ରଥମ ଥର ପାଇଁ 2018ରେ ଅତ୍ୟାବଶ୍ୟକୀୟ ରୋଗ ଚିହ୍ନଟ (ଡାଏଗ୍ନୋଷ୍ଟିକ) ତାଲିକା ପ୍ରକାଶ ପାଇଥିଲା । ଏହି ତାଲିକାରେ ମୁଖ୍ୟତଃ ଏଚଆଇଭି, ମ୍ୟାଲେରିଆ, ଯକ୍ଷ୍ମା ଏବଂ ହେପାଟାଇଟିସ୍ ଭଳି ମାରାତ୍ମକ ରୋଗର ନାମ ପ୍ରକାଶ ପାଇଥିଲା । ତେବେ ଚଳିତ ବର୍ଷର ତାଲିକାରେ ଉଭୟ ସଂକ୍ରମଣ ଓ ଅଣ ସଂକ୍ରମଣ ରୋଗର ପରୀକ୍ଷଣର ତାଲିକା ପ୍ରକାଶ ପାଇଛି ।

କର୍କଟ :

ସାଧାରଣତଃ କ୍ୟାନସର ଭଳି ମାରାତ୍ମକ ରୋଗର ପରୀକ୍ଷଣ ବିଳମ୍ବରେ ହେବା କାରଣରୁ ଅନେକ ରୋଗୀ ମୃତ୍ୟୁ ମୁଖରେ ପଡିଥାନ୍ତି । ବିଶେଷ କରି ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ । ତେଣୁ WHO ବର୍ତ୍ତମାନ 12ଟି ଟେଷ୍ଟକୁ ତାଲିକାରେ ଯୋଡିଛି । ଏହି ପରୀକ୍ଷଣ ସାଧାରଣ ପରୀକ୍ଷାଗାର ବଦଳରେ ସ୍ବତନ୍ତ୍ର ପରୀକ୍ଷାଗାରରେ କରାଯିବ ।

ସଂକ୍ରାମକ ରୋଗ :

ଏହି ତାଲିକାରେ ସଂକ୍ରାମକ ରୋଗ ଯଥା ଡେଙ୍ଗୁ, ଜିକା, ଲିଶମୋନିୟାସିସ ରୋଗକୁ ମଧ୍ୟକୁ ଫୋକସ୍ କରାଯାଇଛି ।

ସାଧାରଣ ରୋଗ :

ସେହିପରି ଏହି ତାଲିକାରେ ସାଧାରଣ ରୋଗର ପରୀକ୍ଷଣ ମଧ୍ୟ ଯୋଡା ଯାଇଛି । ଉଦାହରଣ ସ୍ବରୂପ ଆମୋନିଆ ଓ ଥାଏରଏଡ୍ ପରୀକ୍ଷଣ ।

ଦେଶର ବିକାଶ ନିର୍ଭର କରେ ସୁସ୍ଥ ସମାଜ ଉପରେ । କିନ୍ତୁ ଆଜିର ସମାଜରେ ସମସ୍ତେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ମାନବ ସମାଜକୁ ସୁସ୍ଥ ରଖିବାକୁ ଭଲ ଲାଇଫ ଷ୍ଟାଇଲ ଉପରେ ଧ୍ୟାନ ରଖିବାକୁ ପଡିବ । ଆଉ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ସୁବିଧାରେ ଓ ସୁଲଭ ଦରରେ ଔଷଧ ଯୋଗାଇ ଦେବା ପାଇଁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି ବିଶ୍ବ ସ୍ବାସ୍ଥ୍ୟସେବା ସଙ୍ଗଠନ ।

Last Updated : Jul 10, 2019, 4:44 PM IST

ABOUT THE AUTHOR

...view details