ନୂଆଦିଲ୍ଲୀ: ହାର ଜିତ୍ର ଦୋଷ ମୁଣ୍ଡାଇବା ସହ ଇଭିଏମ୍ (ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍) ନିର୍ବାଚନ ପରେ କୁଆଡେ ଯାଏ, କେଉଁଠି ରହେ, କଣ ହୁଏ ସେ ନେଇ ଅନେକ ପ୍ରଶ୍ନ ମନକୁ ଆସିଥାଏ । ଚଳିତ ନିର୍ବାଚନରେ ଦେଶରେ 90କୋଟି ମତଦାତାଙ୍କ ପାଇଁ ମୋଟ୍ 40ଲକ୍ଷ ଇଭିଏମ୍ର ବ୍ୟବସ୍ଥା କରିଥିଲେ ଜାତୀୟ ନିର୍ବାଚନ ଆୟୋଗ । ଏବେ ସପ୍ତଦଶ ଲୋକସଭା ନିର୍ବାଚନରେ ପୂର୍ଣ୍ଣଚ୍ଛେଦ ପଡିଛି । ଏପରି ସମୟରେ ଏତେ ସଂଖ୍ୟକ ଇଭିଏମ୍ କେଉଁଆଡେ ଯାଏ? ଇଭିଏମ୍ରେ କେତେ ଦିନ ଯାଏଁ ଆପଣଙ୍କ ଭୋଟ ରହେ ସେ ସବୁ ପ୍ରଶ୍ମର ଉତ୍ତର ଜାଣନ୍ତୁ ।
ଏଠାରେ ସୂଚନା ଯୋଗ୍ୟ ଯେ ନିର୍ବାଚନ ସରିବା ପରେ ଓ ବିଜୟୀ ଘୋଷଣା ପରେ ଷ୍ଟ୍ରଙ୍ଗ ରୁମରେ ଏସବୁକୁ ରଖାଯାଏ | ନିବୁଜ ତଥା ଅନ୍ଧାକର ପୂର୍ଣ୍ଣ ଷ୍ଟ୍ରଙ୍ଗ ରୁମ୍ରେ ଇଭିଏମକୁ ଯତ୍ନ ସହକାରେ ରଖାଯାଏ । କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପ୍ରକ୍ରିୟା ସମୂର୍ଣ୍ଣ କରି ଷ୍ଟ୍ରଙ୍ଗ ରୁମରେ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀଙ୍କ ଉପସ୍ଥିତିରେ ସେମାନଙ୍କ ଦସ୍ତଖତ ନିଆଯାଇ ଇଭିଏମ୍କୁ ସିଲ୍ କରି ରଖାଯାଏ ।
ଏହାସହ ନିର୍ବାଚନ ପରିଣାମ ଘୋଷଣାର 45 ଦିନ ଯାଏଁ କୌଣସି ପ୍ରାର୍ଥୀଙ୍କୁ ପୁନଃ ଗଣନା ପାଇଁ ଆବେଦନ କରିବା ପାଇଁ ଅନୁମତି ରହିଛି । ଏହି 45 ଦିନ ସମୟ ସୀମା ଭିତରେ ଭୋଟ ଗଣତି ପାଇଁ ପ୍ରାର୍ଥୀ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିପାରିବେ ।
ଏହି 45 ଦିନ ଅତିବାହିତ ହେଲା ପରେ କେନ୍ଦ୍ର ଓ ରାଜ୍ୟର ସୁରକ୍ଷାବଳଙ୍କ ସାହାଯ୍ୟରେ ସମସ୍ତ ଇଭିଏମକୁ ଷ୍ଟ୍ରଙ୍ଗ ରୁମ୍ରେ ରଖାଯାଏ । ଏହା ପରେ ପରେ ନିର୍ଵାଚନ କମିଶନଙ୍କ ଇଂଜିନିୟରମାନେ ଇଭିଏମର ଯାଞ୍ଚ କରିଥାନ୍ତି | ସବୁ ଠିକ ଠାକ୍ ଥିଲେ ପୁଣି ଥରେ ଏହି ଇଭିଏମ୍ ସବୁକୁ ମତଦାନ ପାଇଁ ସକ୍ଷମ ବୋଲି ଘୋଷଣା କରାଯାଇଥାଏ | ଏହା ପରେ ଦରକାର ପଡୁଥିବା ସ୍ଥାନକୁ ଇଭିଏମ୍ ପ୍ରେରଣ କରାଯାଇଥାଏ ।
ଇଭିଏମ୍ କୌଣସି ମତଦାନ କେନ୍ଦ୍ରକୁ ପଠାଇବା ପୂର୍ବରୁ ଅନେକ ଥର ଯାଞ୍ଚ କରାଯାଇ ପଠାଯାଇଥାଏ । ଏହାସହ ରାଜନୈତିକ ଦଳ ସାମନାରେ ଇଭିଏମ୍ର ମକ୍ ଟେଷ୍ଟ କରାଯାଇଥାଏ । ରାଜନୈତିକ ଦଳର ପ୍ରତିନିଧିଙ୍କ ସାମନରେ ଅନେକ ଥର ପରୀକ୍ଷାନୀରିକ୍ଷା କରି ଇଭିଏମ୍କୁ ମତଦାନ କେନ୍ଦ୍ରକୁ ପଠାଯାଇଥାଏ ।
ନିର୍ବାଚନ ଆୟୋଗ ସୂତ୍ର ଅନୁସାରେ ନିର୍ବାଚନରେ ବ୍ୟବହାର କରାଯାଇଥିବା ମୋଟ ଇଭିଏମ୍ର 20 ପ୍ରତିଶତ ଷ୍ଟାଣ୍ଡ ବାଏ୍ରେ ରଖାଯାଏ । ଯାହାଫଳରେ ଆବଶ୍ୟକସ୍ଥଳେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଉଥିବା ସ୍ଥାନରେ ଏହି ସବୁ ସଂରକ୍ଷିତ ଇଭିଏମ୍କୁ ତୁରନ୍ତ ବ୍ୟବହାର ପାଇଁ ପଠାଯାଇ ପାରିବ । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ଇଭିଏମ୍ ଅନ୍ୟ ସମସ୍ତ ଇଲେକ୍ଟ୍ରନିକ୍ ଡିଭାଇସ୍ ଭଳି ନିର୍ମିତ ଓ କାର୍ଯ୍ୟକାରୀ ହୋଇଥାଏ । ଏଥିରେ ଅବୈଧଭାବରେ ହସ୍ତକ୍ଷେପ କରିବା କିମ୍ବା ଅଦଳାବଦଳି କରିବା ସମ୍ଭବପର ନୁହେଁ ବୋଲି କୁହାଯାଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ ଭାରତରେ ଇଭିଏମ୍ର ବ୍ୟବହାର ପ୍ରଥମେ ୧୯୮୨ରେ କେରଳର ପାରୁର୍ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିଲା ।