ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାନର କୁଦସ ସେନା କମାଣ୍ଡର ଜେନେରାଲ୍ କାସିମ୍ ସୁଲେମାନୀଙ୍କ ଉପରକୁ ଶୁକ୍ରବାର ସକାଳୁ ହୋଇଥିବା ରକେଟ ମାଡ ସହ ଘଟଣାସ୍ଥଳରେ ସେ ଓ ତାଙ୍କ ସହଯୋଗୀଙ୍କ ମୃତ୍ୟୁ ଏବେ ଆନ୍ତର୍ଜାତୀୟ ପୃଷ୍ଠଭୂମିରେ ପ୍ରମୁଖ ଚର୍ଚ୍ଚାର କାରଣ ହୋଇଛି । କ୍ରୋଧୀ ଇରାନ ଏହି ଆକ୍ରମଣକୁ ସହଜରେ ତଥା ବିନା ପ୍ରତିଶୋଧ ପରାୟଣତାରେ ଛାଡିବ ତାହାକୁ ଗ୍ରହଣ କରାଯାଇ ନପାରେ । ୨୨ ବର୍ଷ ହେଲା ସୁଲେମାନୀ ଇରାନ ରିଭୋଲ୍ୟୁସନାରୀ ଗାର୍ଡ଼ (ଆଇଆରଜିସି)ର ପ୍ରମୁଖ ଅଙ୍ଗ ଯାହା ଦେଶ ବାହାରେ ଇରାନର ସ୍ଵାର୍ଥରକ୍ଷା ପାଇଁ ସାମରିକ ଅପରେସନ ଚଳାଏ, ତାହାର ଦାୟିତ୍ଵ ତୁଲାଇ ଆସୁଥିଲେ । ସେ ଏତେ ଚତୁର ଓ କ୍ଷମତାଶାଳୀ ଥିଲେ ଯେ, ତାହାଙ୍କ ଶତ୍ରୁମାନେ ମଧ୍ୟ ତାଙ୍କ ଉପରକୁ ଆକ୍ରମଣ କରିପାରୁନଥିଲେ । ଏପରିକି ଆମେରିକା ମଧ୍ୟ ।
ଇରାକରେ ନିଜର ଅପରେସନ ‘ଡେଜର୍ଟ ଷ୍ଟର୍ମ’ ଚଳାଇ ବିଜୟ ଲାଭ କରିଥିଲେ ମଧ୍ୟ ଆମେରିକା ତାଙ୍କ ଉପରକୁ ଆକ୍ରମଣ କରିପାରୁନଥିଲା ।ଏଣୁ ଏବେ ହଠାତ ତାଙ୍କ ଉପରକୁ ଆକ୍ରମଣ ପଛରେ ଆମେରିକାର କ’ଣ ଉଦ୍ଦେଶ୍ୟ ରହିଛି ତାହା ଏବେ ଆନ୍ତର୍ଜାତୀୟ କୂଟନୀତି ସ୍ତରରେ ଏକ ବିଶେଷ ଆଲୋଚନାର ବିଷୟବସ୍ତୁ । ଏହାର ପ୍ରକୃତ କାରଣ ଜାଣିବା ପାଇଁ ଆଉ କିଛିଦିନ ସମୟ ଅପେକ୍ଷା କରିବାକୁ ହେବ, କିନ୍ତୁ ଏହି ତିକ୍ତ ପରିସ୍ଥିତି ଭିତରେ ଇରାନ୍ ସହ ବିଭିନ୍ନ ଦ୍ଵିପାକ୍ଷିକ ସମ୍ପର୍କ ତଥା ଆର୍ଥିକ ଓ ବ୍ୟବସାୟିକ ସମ୍ପର୍କ ରକ୍ଷା କରୁଥିବା ଦେଶମାନେ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ଏକ ବନ୍ଧୁ ରାଷ୍ଟ୍ର ଭାବେ ଭାରତ ମଧ୍ୟ ଏହି ତିକ୍ତ ପରିସ୍ଥିତିରୁ ବାଦ୍ ପଡିବ ନାହିଁ । ଏଠାରେ ଭାରତ ସହ ଇରାନର ସମ୍ପର୍କକୁ ଟିକେ ବ୍ୟାଖ୍ୟା କରିବାକୁ ହେବ । ଇରାନ ଏକ ବିସ୍ତାରିତ ପଡୋଶୀ ରାଷ୍ଟ୍ର ଭାବେ ଭାରତୀୟ ପ୍ରକଳ୍ପରେ ନିବେଶ କରିଛି । ଦକ୍ଷିଣ ପୂର୍ବ ଦିଗର ମକ୍ରାନ୍ ଉପକୂଳରେ ବିକାଶ କରାଯାଉଥିବା ଚାବାହାର ବନ୍ଦର ଏହାର ଏକ ଉଦାହରଣ । ଏଠାରେ ଇରାନର ଅନେକ ନିବେଶ ଓ ପ୍ରତିଶ୍ରୁତି ରହିଛି । ଏଣୁ ସୁଲେମାନୀଙ୍କ ହତ୍ୟା ପରେ ଭାରତ ଆନ୍ତର୍ଜାତିକ ସ୍ତରରେ ଇରାନ ସହ ଏହି ସମ୍ପର୍କକୁ କିପରି ଆଗକୁ ବଢାଇବ ତାହା ନେଇ ଦ୍ଵନ୍ଦ୍ଵରେ ରହିଛି । କାରଣ ଭାରତ ପକ୍ଷରୁ ଯଦି କିଛି ମନ୍ତବ୍ୟ ଏ ପରିସ୍ଥିତିରେ ରଖାଯାଏ ତାହା ଇରାନ ହେଉ ବା ୱାଶିଂଟନ ହେଉ, ଗୋଟିଏ ପକ୍ଷକୁ ସମର୍ଥନ କରିବା ଭଳି ହେବ । ଏଣୁ କାଦୁଅ ରାସ୍ତାରେ ଚାଲୁଥିବା ଲୋକଟିଏ ପରି ଭାରତ ଏ ପ୍ରସଙ୍ଗରେ ନୀରବ ରହିଛି । ସୁଲେମାନୀଙ୍କ ହତ୍ୟାକୁ ନିନ୍ଦା ବା ସମର୍ଥନ କରିନାହିଁ ।
ଭାରତର ଏହି ନୀରବତା ଯୁକ୍ତରାଷ୍ଟ୍ରକୁ ଖୁସି କରିପାରେ କିନ୍ତୁ ତେହେରାନ୍ ଏ ପ୍ରସଙ୍ଗରେ ଭାରତକୁ ଠିକଣା ବିବେଚନା କରିନପାରେ । ଫଳରେ ଚାବାହାରଠାରେ ଥିବା ସାହିଦ ବହେସ୍ତି ବନ୍ଦରର ୧୦ ବର୍ଷ ଯାଏ ପରିଚାଳନା ପାଇଁ ଇରାନ ବଢାଇଥିବା ହାତ ଫେରାଇ ନେବାର ଆଶଙ୍କା ସୃଷ୍ଟିହେବା ଅସମ୍ଭବ ନୁହେଁ । ଚାବାହାର ପ୍ରକଳ୍ପରେ ନିବେଶ ପାଇଁ ଚୀନ ଆଗୁଆ ଆଗ୍ରହ ପ୍ରକାଶ କରିଥିଲା । ଏଥିରେ ବିଫଳ ହେବାରୁ ଗ୍ବାଦାର ନିକଟରେ ପାକିସ୍ତାନର ବାଲୁଚ ବନ୍ଦର ନିର୍ମାଣ ପାଇଁ ବ୍ୟାପକ ନିବେଶ କରିଛି ଚୀନ। ଇରାନ ଏହି ବନ୍ଦର ଭାରତକୁ ନିର୍ମାଣ ପାଇଁ ସହମତି ପ୍ରଦାନ କରିବା ପଛରେ ଅନେକ କୂଟନୀତି ଓ ଐତିହାସିକ କାରଣ ରହିଛି । ଏହା ପୂର୍ବରୁ ଇରାନର ଓମାନ୍ ସମୁଦ୍ରରେ ଥିବା ବନ୍ଦର ନିର୍ମାଣ ପାଇଁ ଭାରତ ପୁଞ୍ଜି ନିବେଶ କରିଛି । ଏହା ଭାରତର ପ୍ରଥମ ଦରିଆ ପାର ନିବେଶ ଥିଲା । ଏହି କାରଣରୁ ଇରାନ କେନ୍ଦ୍ରୀୟ ଏସିଆର ସ୍ଥଳଭାଗ ସହ ସମ୍ପର୍କ ଯୋଡିପାରିଛି । ଆଉ ପାକିସ୍ତାନକୁ ଅଲଗା କରିପାରିଛି ।
ଏବେ ଐତିହାସିକ କାରଣ, ରୁଷରେ ଜାର୍ ଶାସନ ସମୟରୁ ଚାବାହାର୍ ଜଣାଶୁଣା ହୋଇରହିଛି । ସେତେବଳେ ଏକ ଉଷ୍ମଜଳ ବନ୍ଦର ସନ୍ଧାନରେ ଚାବାହାର ଠାବ ହୋଇଥିଲା । ସେହିପରି ପରିବ୍ରାଜକ ଅଲ୍ବେରୁନୀଙ୍କ ଭ୍ରମଣ କାହାଣୀରେ ମଧ୍ୟ ଚାବାହାର ଉଲ୍ଲେଖ ରହିଛି । ସେ ଲେଖିଛନ୍ତି, ଏହି ବନ୍ଦରଠାରୁ ହିନ୍ଦୁସ୍ତାନର ସୀମା ଆରମ୍ଭ ହୋଇଛି। ଏଣୁ ଏହିଭଳି ଏକ ପ୍ରାକୃତିକ ବନ୍ଦରରେ ଭାରତର ଅବସ୍ଥିତି ସ୍ଵଭାବିକ ଭାବେ ଆଶା କରାଯାଉଥିଲା । ଏହି ବନ୍ଦରକୁ ଭ୍ରମଣ କରିବା ସମୟରେ ଏହି ଲେଖକ ଏହା ଜାଣିବାକୁ ପାଇଥିଲେ ଯେ, ଏଠାର ଅଧିବାସୀମାନେ ମଧ୍ୟ ଭାରତର ଏହି ପ୍ରକଳ୍ପରେ ପ୍ରବେଶ ଏବଂ ଏଥିରେ ନିବେଶକୁ ବେଶ୍ ସହଜରେ ଗ୍ରହଣ କରିବା ସହ ସ୍ଵାଗତ କରିଛନ୍ତି । ଇରାନୀ କୂଟନୀତିଜ୍ଞମାନେ ଏହି ବନ୍ଦର ବାବଦରେ ମନ୍ତବ୍ୟ ଦେବା ବେଳେ ଏକଥା ସବୁବଳେ କହିଛନ୍ତି ଯେ, ପାକ୍ ସୀମାକୁ ଲାଗି କରି ଏକ ବନ୍ଦର ନିର୍ମାଣରେ ଭାରତର ନିବେଶକୁ ସେମାନେ ଚାହୁଁଥିଲେ । ଆଉ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି, ଏହି ଚାବାହାରରୁ ପାକ୍ ଜେଲ୍ରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ ଗୁପ୍ତଚର ଆରୋପରେ ପାକ୍ ସରକାର ଉଠାଇ ନେଇଥିଲେ। ଏଣୁ ଚାବାହାର ସହ ଭାରତର କୂଟନୀତିକ ଓ ଐତିହାସିକ ସମ୍ପର୍କ ରହିଛି । ପୁଣି ଆନ୍ତର୍ଜାତୀୟ ସ୍ତରରେ ନିଜ ପଡୋଶୀ ଶତ୍ରୁମାନଙ୍କଠାରୁ ଦୂରରେ ରହି ଏସୀୟ ଦେଶମାନଙ୍କ ସହ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇଁ ଏହି ବନ୍ଦର ଏକ ଗୁରୁତ୍ଵପୂର୍ଣ୍ଣ କେନ୍ଦ୍ରସ୍ଥଳ ହେବା ଆଶା ରହିଛି । ପୁଣି କାହିଁକି ଏହି ଚାବାହାର ପ୍ରକଳ୍ପ ବାଣିଜ୍ୟିକ ଦୃଷ୍ଟିକୁ ଗୁରୁତ୍ଵପୂର୍ଣ୍ଣ ସେ ବାବଦରେ ଦୁଇଟି ପ୍ରମୁଖ ବିଷୟକୁ ଏଠାରେ ଉପସ୍ଥାପନ କରାଯିବା ଜରୁରୀ ।
ଗୋଟିଏ ହେଲା, ଚାବାହାର ବନ୍ଦର ଏବଂ ଅନ୍ୟଟି ହେଉଛି ଆଫଗାନିସ୍ତାନ ଓ ଇରାନ୍କୁ ଏହି ବନ୍ଦର ସହ ସଂଯୋଗ କରାଇବା ପାଇଁ ନିର୍ମିତ ବିସ୍ତୃତ ରେଳଲାଇନ୍ ଓ ସଡ଼କ ବ୍ୟବସ୍ଥା । ଏ ପ୍ରସଙ୍ଗରେ ଇରାନ୍ର ରାଷ୍ଟ୍ରପତି ହାସନ୍ ରୌହାନୀ, ଆଫଗାନ୍ ରାଷ୍ଟ୍ରପତି ଆଶ୍ରଫ୍ ଘନି ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ମସିହାରେ ଏକ ଐତିହାସିକ ରାଜିନାମା ସ୍ଵାକ୍ଷର କରିଥିଲେ । ଏହି ରାଜିନାମାର ମୂଳ ଲକ୍ଷ୍ୟ ଥିଲା ଇରାନ୍କୁ ଆନ୍ତର୍ଜାତୀୟ ବ୍ୟବସାୟ ଓ ବାଣିଜ୍ୟ ଧାରାକୁ ଫେରାଇ ଆଣିବା । ବିଶେଷକରି ପିଏମ୍ +୧ ଆଣବିକ ଚୁକ୍ତିଧାରୀ ରାଷ୍ଟ୍ରଗୁଡ଼ିକ ସହ ଇରାନ୍ର ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିବା ଏବଂ ତେହେରାନ୍କୁ ଆନ୍ତର୍ଜାତୀୟ ବ୍ୟାଙ୍କିଂ ସ୍ରୋତରେ ସାମିଲ୍ କରାଇବାର ସୁଯୋଗ ସୃଷ୍ଟି କରିବା । କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହି ଆଶା ଓ ଆକଳନ ଉପରେ ପାଣି ଫିଙ୍ଗିଦଲେ । ଏହା ସହ ଇରାନ୍ ଉପରେ ପୁଣିଥରେ ନୂଆ ଅର୍ଥନୀତିକ କଟକଣା ଜାରି କରିଲେ । ଏହି ପ୍ରକାର ଅର୍ଥନୀତିକ କଟକଣା ଏବଂ ଆନ୍ତର୍ଜାତୀୟ ବ୍ୟାଙ୍କିଂ ବ୍ୟବସ୍ଥାର ପ୍ରତ୍ୟାଖ୍ୟାନ ଦ୍ଵାରା ଭାରତର ଆଭିମୁଖ୍ୟ ପ୍ରଭାବିତ ହୋଇଥିଲା । ଫଳରେ ଯେଉଁ ରେଳ ଲାଇନ୍ ଓ ରାସ୍ତା ନିର୍ମାଣ ନେଇ ସ୍ଵପ୍ନ ଦେଖା ଯାଇଥିଲା ତାହା ପ୍ରତିହତ ହେଲା । ସବୁ ସମୟରେ ଭାରତ, ଇରାନ୍ ପ୍ରସଙ୍ଗରେ ଆମେରିକାର ଆଭିମୁଖ୍ୟ ଜାଣିବା ପାଇଁ ଲାଗିରହିଲା ।
ଅବଶ୍ୟ ଏହା ଠିକ୍ ଯେ, ଚାବାହାର ପ୍ରକଳ୍ପ ଆମେରିକାର ଇରାନ୍ ପ୍ରତିବନ୍ଧକଠୁ ଦୂରରେ ଥିଲା, କାରଣ ଆମେରିକା ଚାହୁଁନଥିଲା ଆଫଗାନିସ୍ତାନର ପୁନଃନିର୍ମାଣ ଏହି ପ୍ରତିବନ୍ଧକ ଦ୍ଵାରା ପ୍ରଭାବିତ ହେଉ । ହେଲେ ଭାରତ ଭୋଗୁଥିବା ସମସ୍ୟା ଦୂର ହେଲା ନାହିଁ । ନିକଟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକାରେ ୨+୨ ଶିଖର ବୈଠକ ଅବସରରେ ଏହି ପ୍ରସଙ୍ଗକୁ ଉଠାଇଥିଲେ ଆଉ କିଛି ସଫଳତା ପାଇଥିଲେ। ଚାବାହାର ପ୍ରକଳ୍ପ ବାବଦରେ ଆମେରିକାଠୁ କିଛି ଲିଖିତ ପ୍ରତିଶ୍ରୁତି ଆଣିବା ପରେ ଭାରତ ୮.୫ କୋଟି ଡଲାରର ଯନ୍ତ୍ରାଂଶ କିଣିବାକୁ ଆଗଭର ହୋଇଛି। ଏହା ଛଡ଼ା ଅନ୍ୟ ବନ୍ଦରଗୁଡ଼ିକ ସହ ଚାବାହାରର ସମ୍ପର୍କ ବଢ଼ାଇ ବାଣିଜ୍ୟ ବଢ଼ାଇବା ଲାଗି ଭାରତ ଉଦ୍ୟମ ଆରମ୍ଭ କରିଛି । କିନ୍ତୁ ଶୁକ୍ରବାର ପାହାନ୍ତାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାସିମ ସୁଲେମାନୀକୁ ଧୂଆଁରେ ଉଡ଼ାଇଦେବା ଲାଗି ନିଷ୍ପତ୍ତି ନେଇ ତାହାକୁ କାର୍ଯ୍ୟରେ ରୂପାନ୍ତର କରିବା ଦ୍ଵାରା ଇରାନ୍ ସହ ସମସ୍ତ ପୂର୍ବ ଚୁକ୍ତି ତଥା ରାଜିନାମା ପ୍ରଶ୍ନ ବାଣ ଭିତରକୁ ଚାଲି ଆସିଛି । ଖାଲି ସେତିକି ନୁହେଁ, ଏହି ଆକ୍ରମଣକୁ ନିନ୍ଦା କରିବା ସହ କାସୀମଙ୍କୁ ଦେଶଭକ୍ତ ସହିଦ ବୋଲି ଆଖ୍ୟା ଦେବା ଏବଂ ତାଙ୍କର ବିୟୋଗ ରାଷ୍ଟ୍ରପାଇଁ ଏକ ପ୍ରଭୂତ କ୍ଷତି ବୋଲି ବର୍ଣ୍ଣନା କରି ଇରାନ୍ର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଏହି ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଘୋଷଣା କରିବା ପରେ ଭାରତ ଏବେ କ’ଣ କରିବ, କେମିତି ଇରାନ୍ ସହ ହୋଇଥିବା ଚୁକ୍ତିକୁ ପାଳନ କରିବ ତାହା କାହାର ଚିନ୍ତନ ଭିତରକୁ ଆସିପାରୁ ନାହିଁ।
ନିହତ ହୋଇଥିବା ଜେନେରାଲ୍ ସୁଲେମାନୀ ବେଶ୍ ଲୋକପ୍ରିୟ ଥିଲେ । ଇନ୍ଷ୍ଟାଗ୍ରାମ୍ରେ ଥିବା ତାଙ୍କ ପ୍ରୋଫାଇଲ୍କୁ ଯଥେଷ୍ଟ ଲୋକ ଫଲୋ କରୁଥିଲେ । ଇରାକ୍, ସିରିୟା ଏବଂ ଅନ୍ୟ କିଛି ଦେଶରେ ଇସ୍ଲାମିକ୍ ଷ୍ଟେଟ୍(ଆଇଏସ୍)କୁ ନିପାତ କରିବାରେ ତାଙ୍କର ଅବଦାନ ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ । ଏଥିରେ ସମସ୍ତେ ଏକମତ ହେବେ ଯେ, ଇରାକ୍ରେ ଇସ୍ଲାମ୍ ଷ୍ଟେଟ୍ ଏବଂ ଆଫ୍ଗାନିସ୍ତାନରେ ତାଲିବାନ୍କୁ ନିପାତ କରିବା ଲାଗି ସେ ଆମେରିକା ସହ ଏକାଠି ଥିଲେ । ପୁରୁଣା ଦିନ ଗୁଡ଼ିକୁ ମନେ ପକାଇ କିଛି ଭାରତୀୟ ଗୁଇନ୍ଦା ଅଧିକାରୀ ତାଙ୍କୁ ଆଫଗାନିସ୍ତାନରେ ଜଣେ ବ୍ୟସ୍ତ ଅଧିକାରୀ ଭାବେ ବର୍ଣ୍ଣନା କରନ୍ତି । କେହି କେହି ତାଙ୍କ ସହ ମଧ୍ୟ କାମ କରିଥିବା କହନ୍ତି । ତାଙ୍କର ଆଖିକୁ ଦେଖି ଅନେକ ଭୟ କରିପାରନ୍ତି କିନ୍ତୁ ସେ ଜଣେ ଏମିତି ମଣିଷ ଯିଏ କମ୍ କଥା କହନ୍ତି ଏବଂ ଅଧିକ ଶୁଣନ୍ତି ଏବଂ ତାହାକୁ କାର୍ଯ୍ୟରେ ଲଗାନ୍ତି। ତାଙ୍କ କାର୍ଯ୍ୟକାଳରେ ସେ ଭାରତ ଗସ୍ତ ବି କରିଛନ୍ତି । ଏବେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି କହୁଛନ୍ତି ସେ କୌଣସି ଦିଲ୍ଲୀ ଅପରେସନ୍ ସହ ବି ଯୋଗାଯୋଗରେ ଥିଲେ ।
ଏହାର ଏକମାତ୍ର ଉଦାହରଣ ହେଲା ନୂଆ ଦିଲ୍ଲୀଠାରେ ୨୦୧୨ ମସିହାରେ ହୋଇଥିବା ଇସ୍ରାଏଲ କୂଟନୀତିଜ୍ଞଙ୍କ ଉପରେ ଆକ୍ରମଣ ଘଟଣା । ଏହି ଆକ୍ରମଣରେ ଜଣେ ଇରାନୀୟଙ୍କୁ ଅଭିଯୁକ୍ତ ଭାବେ ଘୋଷଣା କରାଯାଇଥିଲା। ଏ ବାବଦରେ ଜଣେ ସାମ୍ବାଦିକଙ୍କୁ ମଧ୍ୟ ଗିରଫ କରାଯାଇଛି । ଟ୍ରମ୍ପ ଏହିଭଳି ଭାବେ ସୁଲେମାନୀଙ୍କୁ ଭାରତ ସହ ଯୋଡ଼ି ଭାରତର ବନ୍ଧୁ ତାଲିକାରୁ ଇରାନକୁ ତଡ଼ିବାକୁ ଚାହୁଁଛନ୍ତି। କୌଣସି ପ୍ରକାର ଦ୍ଵନ୍ଦ୍ଵ ଭିତରେ ନପଡ଼ି ଭାରତ ତାଙ୍କ ପକ୍ଷଭୁକ୍ତ ହେଉ ବୋଲି ଟ୍ରମ୍ପ ଚାହୁଁଛନ୍ତି। ଯଦି ଟ୍ରମ୍ପଙ୍କ ଅନୁସାରେ ଭାରତ ପରିଚାଳିତ ହୁଏ ତବେ ଚାବାହାର ପ୍ରକଳ୍ପକୁ ଆଗକୁ ବଢ଼ାଇବା ଭାରତ ପାଇଁ କଷ୍ଟକର ହେବ । ଅନ୍ୟପକ୍ଷରେ ଯେଉଁ ଆକ୍ରମଣକୁ ବିଶ୍ଵ ସମୁଦାୟ ନିନ୍ଦା କରି ଏହାକୁ ବେଆଇନ୍ ବୋଲି ଦର୍ଶାଇଛନ୍ତି ତାହାକୁ ସମର୍ଥନ କରି ଇରାନ୍ର ପକ୍ଷ ନେବା ଏବଂ ଏଥିପାଇଁ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଇରାନ୍କୁ ସମର୍ଥନ କରିବାକୁ ଯଦି ବାଧ୍ୟ କରାଯାଏ, ତେବେ ତା’ଠୁ ଅଧିକ କଠୋର ସମୟ ଭାରତ ପାଇଁ ଆଉ କିଛି ହୋଇନପାରେ ।
ସଞ୍ଜୟ କପୁର (ବରିଷ୍ଠ ସାମ୍ବାଦିକ)