ଜଲନ୍ଧର(ପଞ୍ଜାବ): ଦୁଇ ଦୁଇ ଥର ରାଷ୍ଟ୍ରୀୟ ପୁରସ୍କାର ଜିତିଥିବା ବିବେକ ଯୋଶୀ... ଏ ହେଉଛନ୍ତି ସେହି ମଣିଷ ଯିଏ ନିଜ ସହ ଅନ୍ୟମାନଙ୍କ ଅଧିକାର ପାଇଁ ସ୍ବର ଉଠାଇଛନ୍ତି । ବିମାନ ବନ୍ଦରରେ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ କରିଥିଲେ ସଂଘର୍ଷ । ଭଲ କରି କଥା କହିପାରୁନଥିବା କି ଚାଲୁପାରୁନଥିବା ଦିବ୍ୟାଙ୍ଗ ବିବେକ ଏଲଏଲବି, ଏଲଏଲଏମ ଏବଂ ଏମବିଏ କରିଥିବା ବେଳେ ଏବେ ସେ ପିଏଚଡି କରୁଛନ୍ତି ।
ଦିବ୍ୟାଙ୍ଗମାନଙ୍କୁ ସଶକ୍ତ କରିବାକୁ ବିବେକ ଯୋଶୀଙ୍କ ପ୍ରୟାସ ପାଇଁ ତତ୍କାଳୀନ ରାଷ୍ଟ୍ରପତି ଡ.ଏପିଜେ ଅବଦୁଲ କଲାମ ଏବଂ ପ୍ରଣବ ମୁଖ୍ୟାର୍ଜୀ ସମ୍ମାନିତ କରିଛନ୍ତି । କେବଳ ସେତିକି ନୁହେଁ, ପୁଅର ଭଲ ଲାଳନପାଳନ କରିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବର ଉଠାଇବାକୁ ସକ୍ଷମ କରିଥିବାରୁ ବିବେକ ଯୋଶୀଙ୍କ ମା' କୌଶଲ୍ୟା ଦେବୀଙ୍କୁ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି ।
ମୁମ୍ବାଇ ବିମାନ ବନ୍ଦରରେ ଘଟିଥିବା ଗୋଟିଏ ଘଟଣା କେବଳ ବିବେକଙ୍କ ଜୀବନ ଧାରା ବଦଳାଇଥିଲା ତାହା ନୁହେଁ, ବରଂ ତାଙ୍କ ଭଳି ଅନେକଙ୍କ ପାଇଁ ଲଢିବାକୁ ଶକ୍ତି ମଧ୍ୟ ଦେଇଥିଲା । ଭଲ କରି କଥା କହିପାରୁନଥିବା ବିବେକ ବିମାନବନ୍ଦରରେ ନିଜ ଅଧିକାରୀ ପାଇଁ ପକ୍ଷ ରଖିବା ସମୟରେ ଅନେକ ପ୍ରକାର ସମସ୍ୟାର ସାମ୍ନା କରିଥିଲେ । କିନ୍ତୁ ପରେ ତାଙ୍କୁ ପରିଶ୍ରମର ଫଳ ମିଳିଥିଲା । ଏୟାର ଇଣ୍ଡିଆ ଯୋଶୀଙ୍କ କଥାକୁ ଦୃଷ୍ଟିରେ ରଖି ବିମାନର କର୍ମଚାରୀମାନେ ବିଶେଷ କରି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ବ୍ୟବହାର କରିବା ସମୟରେ ସେସବୁ ପାଳନ କରିବାକୁ ଏକ ନିର୍ଦ୍ଦେଶ ଜାରି କରିଥିଲେ ।