ଓଡିଶା

odisha

ETV Bharat / bharat

ଭାରତ-ଆମେରିକାର ଟୁ ପ୍ଲସ ଟୁ ବୈଠକ, ଶିଳ୍ପ ସୁରକ୍ଷା ଚୁକ୍ତି ସ୍ବାକ୍ଷରିତ

ବୁଧବାର ଭାରତ-ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଉଭୟ ଦେଶ ମଧ୍ୟରେ ଶିଳ୍ପ ସୁରକ୍ଷା ଚୁକ୍ତି ସ୍ବାକ୍ଷର ହୋଇଛି । ଏହା ବ୍ୟତୀୟ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ବିଜ୍ଞାନ ଓ ଟେକ୍ନୋଲୋଜି ସହିତ ଅନେକ କ୍ଷେତ୍ରରେ ବୁଝାମଣା ଉପରେ ରାଜି ହୋଇଛି ।

By

Published : Dec 19, 2019, 10:20 AM IST

us-2-plus-2-dialogue-with-india
ଫାଇଲ ଫଟୋ

ୱାଶିଂଟନ: ବୁଧବାର ଭାରତ-ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଉଭୟ ଦେଶର ଆଞ୍ଚଳିକ ସହଯୋଗ, ପ୍ରତିରକ୍ଷା, ଆତଙ୍କବାଦ ଓ ବାଣିଜ୍ୟ ସଂପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହି ସମୟରେ ଉଭୟ ଦେଶ ମଧ୍ୟରେ ଶିଳ୍ପ ସୁରକ୍ଷା ଚୁକ୍ତି ସ୍ବାକ୍ଷର ହୋଇଛି । ଏହା ବ୍ୟତୀତ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ବିଜ୍ଞାନ ଓ ଟେକ୍ନୋଲୋଜି ସହିତ ଅନେକ କ୍ଷେତ୍ରରେ ବୁଝାମଣା ଉପରେ ରାଜି ହୋଇଛି ।

ଏହି ବୈଠକ ଆମେରିକା ବୈଦେଶିକ ବିଭାଗର ଫଗି ୱାଟମ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି । ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଏହି ବୈଠକରେ ଅଂଶଗ୍ରହଣ କରିଛନ୍ତି । ଉଭୟ ଦେଶ ନିଜର ସେନା ବ୍ୟବସାୟ, ଦ୍ବିପାକ୍ଷିକ ସହଯୋଗ, ପ୍ରଶାନ୍ତ ମହାସାଗରରେ ଶାନ୍ତି ଉଦ୍ୟମ ଓ ଆତଙ୍କବାଦ ବିରୋଧରେ ଲଢେଇକୁ ମଜବୁତ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବୈଠକ ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଉଭୟ ଦେଶ ଭାରତୀୟ ସମୁଦ୍ର କ୍ଷେତ୍ର ସମେତ ଆଫଗାନିସ୍ତାନ, ପାକିସ୍ତାନ, ନେପାଳ ଓ ଶ୍ରୀଲଙ୍କାର ପରିସ୍ଥିତି ଉପରେ ନିଜର ମତ ପ୍ରକାଶ କରିଛନ୍ତି । ଏହା ସହିତ ପାକିସ୍ତାନୀ ନେତାଙ୍କ ହିଂସାକୁ ପ୍ରୋତ୍ସାହନା ଦେଉଥିବା ଭଳି ବୟାନକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଉଭୟ ଦେଶ ।

ସେହିପରି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଏହି ବୈଠକରେ ଆତଙ୍କବାଦ ବିରୋଧରେ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଛି । ସୀମା ଅତିକ୍ରମ କରି ଆସୁଥିବା ଆତଙ୍କବାଦୀ ଓ ଆଞ୍ଚଳିକ ବିପଦ ପ୍ରତି ଆମର ସହମତି ଯୋଗୁଁ ଆତଙ୍କବାଦୀ ବିରୋଧୀ ଉଦ୍ୟମରେ ଅନେକ ସଂଶୋଧନ ଆସିଛି ବୋଲି ଜୟଶଙ୍କର କହିଛନ୍ତି। ଏହା ସହିତ ଚବହାର ପ୍ରକଳ୍ପ ପାଇଁ ଆମେରିକା ସରକାର ସମର୍ଥନ ଦେଇଥିବାରୁ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜୟଶଙ୍କର।

ସେପଟେ ବୈଠକ ପରେ ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସପର ପ୍ରତିକ୍ରିୟା ଦେଇ କହିଛନ୍ତି, ଭାରତ ସହ ଆମେରିକାର ପ୍ରତିରକ୍ଷା ବ୍ୟାପାର ଏବଂ ପ୍ରଦ୍ୟୋଗିକ ସମ୍ବନ୍ଧ ବୃଦ୍ଧି ପାଉଛି । ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଆନେକ୍ସ(ଆଇଏସଏ) କୁ ଅନ୍ତିମ ରୂପରେଖ ଦିଆଯାଇଛି । ଯାହା ଆମ ପ୍ରତିରକ୍ଷା ଉଦ୍ୟୋଗ ମଧ୍ୟରେ ସହଯୋଗ, ଗୁରୁତ୍ବପୂର୍ଣ୍ଣ ସୂଚନା ଏବଂ ଉଦ୍ୟୋଗର ସୁରକ୍ଷାର ଅନୁମତି ପ୍ରଦେନ କରିବ ବୋଲି ସେ କହିଛନ୍ତି । ଏହା ସହିତ ଆଜିର ବୈଠକରେ ତିନୋଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଚୁକ୍ତି ସ୍ବାକ୍ଷର ହୋଇଛି । ଯାହା ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ଉଦ୍ୟୋଗର ସହ-ଉତ୍ପାଦନ ଏବଂ ସହ ବିକାଶର କ୍ଷମତା ବୃଦ୍ଧି କରିବ ବୋଲି ଏସପର କହିଛନ୍ତି ।

ନାଗରିକତ୍ବ ସଂଶୋଧନ ଆଇନ୍‌କୁ ଭାରତର ଅଭ୍ୟାନ୍ତରୀଣ ମାମଲା ବୋଲି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ କହିଛନ୍ତି । ସେ କହିଛନ୍ତି, ଆମେରିକା ଭାରତର ଗଣତନ୍ତ୍ରକୁ ସମ୍ମାନ କରେ । କାରଣ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତିବାଦ ହେବା ସାଧାରଣ କଥା । ଆମେ ସଂଖ୍ୟାଲଘୁ ଏବଂ ଧାର୍ମିକ ଅଧିକାରର ସମ୍ମାନ କରୁ ଏବଂ ତାର ସୁରକ୍ଷା ପାଇଁ ଆମେ ସର୍ବଦା ପ୍ରସ୍ତୁତ ରହିଛୁ । ଏହା ସହିତ ଟୁ-ପ୍ଲସ-ଟୁ ବୈଠକରେ ଭାରତର ଧାର୍ମିକ ସ୍ବାଧୀନତା ଏବଂ ମାନବଅଧିକାର ପ୍ରସଙ୍ଗ ଉଠାଯାଇନଥିବା ସ୍ପଷ୍ଟ କରିଛନ୍ତି ପମ୍ପିଓ ।

ABOUT THE AUTHOR

...view details