ନୂଆଦିଲ୍ଲୀ: କୋରୋନା ଭାଇରସ ଏବେ ମହମାରୀର ରୂପ ନେଇଛି । ବିଶ୍ବର ଅଧିକାଂଶ ଦେଶରେ ଏହା କାୟା ବିସ୍ତାର କରିସାରିଲାଣି । ଯାହାକୁ ନେଇ ଭାରତରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି । ତେବେ ଭାରତରେ କୋରୋନା ଭାଇରସର ସ୍ଥିତି ଜାଣିବା ପାଇଁ ଶୁକ୍ରବାର ରାଜ୍ୟ ସରକାରଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ।
ଏହି ବୈଠକରେ ସେ କୋରୋନା ଭାଇରସର ପରୀକ୍ଷଣ, ଆଇସୋଲେଶନ ୱାର୍ଡ ଏବଂ ଲ୍ୟାବ୍ରେ ଯାଞ୍ଚର ସୁବିଧା ଉପରେ ଗୁରୁତ୍ବାରୋପ କରିଛନ୍ତି । ଏହା ବ୍ୟତୀତ କୋରୋନା ଭାଇରସର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉପରେ ଆଲୋଚନା କରିଥିଲେ । କୋରୋନା ଭାଇରସକୁ ନେଇ ବ୍ୟାପୁଥିବା ଭ୍ରମ ଦୂର କରିବା ପାଇଁ ମଧ୍ୟ ଏକ ଅଭିଯାନ ଆରମ୍ଭ କରିବାକୁ ସେ ରାଜ୍ୟ ସରକାରଙ୍କୁ କହିଥିଲେ ।