ଓଡିଶା

odisha

ETV Bharat / bharat

‘ସମାଜରେ ଅସମାନତା ଏଡସ ବ୍ୟାପିବାର ମୁଖ୍ୟ କାରଣ’ - ‘UNAIDS DATA-2019’ର ବାର୍ଷିକ ରିପୋର୍ଟ

ସଂଯୁକ୍ତ ରାଷ୍ଟ୍ରର ସଦସ୍ୟଙ୍କ ଉପସ୍ଥିତିରେ ପ୍ରକାଶିତ ହୋଇଛି ‘UNAIDS DATA-2019’ର ବାର୍ଷିକ ରିପୋର୍ଟ । 2018 ରିପୋର୍ଟ ଅପେକ୍ଷା 2019ରେ କିଛି ଉନ୍ନତି ଦେଖିବାକୁ ମିଳିଛି । ମାତ୍ର ଏଯାଏଁ ମଧ୍ୟ ସମଗ୍ର ବିଶ୍ୱ ଏହାର ପ୍ରଭାବରୁ ମୁକ୍ତ ହୋଇ ପାରିନାହିଁ ।

ଡିଜାଇନ ଫଟୋ

By

Published : Jul 20, 2019, 8:23 PM IST

ହାଇଦ୍ରାବାଦ: ସମାଜରେ ଦେଖାଦେଉଥିବା ଅସମାନତା, ଭେଦଭାବ, ହିଂସା, କଳଙ୍କ, ସାମାଜିକ ଅସନ୍ତୋଷ ହିଁ ଏଚଆଇଭି ଏଡସ ବ୍ୟାପିବାର ଏକ ମୁଖ୍ୟ କାରଣ । ସଂଯୁକ୍ତ ରାଷ୍ଟ୍ରର 2018 ରିପୋର୍ଟ ତୁଳନାରେ 2019ରେ ଏଡସର ସଂଖ୍ୟା କମିଥିବାର ଦେଖିବାକୁ ମିଳିଛି । ଏଚଆଇଭି ସଂକ୍ରମଣ ସାଧାରଣତଃ ଯୌନବ୍ୟବସାୟୀ, ଡ୍ରଗ୍ସ ବ୍ୟବହାରକାରୀ, ସମଲିଙ୍ଗୀ, କିନ୍ନର, କଏଦୀଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ । 2010ରୁ 2018 ମଧ୍ୟରେ ପ୍ରାୟ 25 ପ୍ରତିଶତ 15-24 ବର୍ଷର ମହିଳାମାନଙ୍କଠାରେ ଏଚଆଇଭି ସମସ୍ୟା କମ୍ ଥିବାର ଦେଖିବାକୁ ମିଳିଛି । ତେବେ ଗୋଟେ ପଟେ ଏହା ଭଲ ଖବର ହୋଇଥିବା ବେଳେ ଅନ୍ୟପକ୍ଷେ ପ୍ରତି ସପ୍ତାହରେ 6000 ନାବାଳିକା ଓ ମହିଳା ଏହାର ଶିକାର ହେଉଛନ୍ତି । ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଏନେଇ ପ୍ରକାଶିତ ହୋଇଥିବା (UNAIDS-2019) ରିପୋର୍ଟରେ ଏହା ଦର୍ଶାଯାଇଛି ।

ଅଧିକାଂଶ ସମୟରେ ନାବାଳିକା କିମ୍ବା ମହିଳା ଯୌନ ସମ୍ପର୍କିତ ସ୍ବାସ୍ଥ୍ୟ ସମସ୍ୟାକୁ ଗ୍ରହଣ କରିନଥାନ୍ତି ଅଥବା ଲୁଚାଇ ଥାଆନ୍ତି । ତେବେ ଏଡସକୁ ନାଶ କରିବାକୁ ହେଲେ ସମସ୍ତଙ୍କୁ ଏକାସଙ୍ଗରେ ପଦକ୍ଷେପ ନେବା ଜରୁରୀ । ଏଡସକୁ ସେତେବେଳେ ରୋକାଯାଇପାରିବ ଯେତେବେଳେ ସମସ୍ତ ଜାତି ଓ ଗୋଷ୍ଠୀ ଏକାଠି ହୋଇ ନିଜ ଅଧିକାର ପାଇଁ ସ୍ବର ଉତ୍ତୋଳନ କରିବେ । ସମାଜରେ ଥିବା ଭେଦଭାବ, ଛୁଆଁଅଛୁଁଆରୁ ଦୂରରେ ରହିବେ । ତେବେ ବିଶ୍ବରେ ବର୍ତ୍ତମାନ ଏନେଇ ସ୍ବର ଉଠାଇବା ଆରମ୍ଭ ହୋଇଗଲାଣି । ଏଚଆଇଭିରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ସାଧାରଣରେ ବାସନ୍ଦ କରାଯାଉଥିବାର ଦେଖିବାକୁ ମିଳିଛି ।

ମାତ୍ର ସେମାନଙ୍କ ସହ ବାସନ୍ଦ ଭଳି ବ୍ୟବହାର ନକରି ସେମାନଙ୍କ ସମର୍ଥନରେ ଠିଆ ହେବା ଆବଶ୍ୟକ । ଏଥିପାଇଁ ଆଞ୍ଚଳିକ ସ୍ବାସ୍ଥ୍ୟ ଅଧିକାରୀ, ସାମାଜିକ କାର୍ଯ୍ୟକର୍ତ୍ତାଙ୍କୁ ଘର ଘର ବୁଲି ଏଥିପାଇଁ ସଚେତନତା ବାର୍ତ୍ତା ଦେବା ଜରୁରୀ । ଏହା ଏଚଆଇଭିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ଉପଯୋଗୀ ହେବ। ସେମାନେ ଠିକ୍ ସମୟରେ ସୁବିଧା ପାଇପରିବେ ଓ ଚିକିତ୍ସିତ ହୋଇପାରିବେ ।

ବିଶ୍ବ 2030 ସୁଦ୍ଧା ପୋଷଣୀୟ ଉନ୍ନତି ପାଇଁ ସଙ୍କଳ୍ପବଦ୍ଧ । ଏହି ସଙ୍କଳ୍ପକୁ ବଜାୟ ରଖିବା ପାଇଁ ସରକାର, ନିଜ ଦେଶର ଜନତାଙ୍କ ସାଧାରଣ ଅଧିକାରକୁ ନେଇ କାର୍ଯ୍ୟକରିବା ଜରୁରୀ । ଆଜି ବି ଅନେକ ଅଛନ୍ତି ଯେଉଁମାନେ ଏଡସକୁ ଏକ କଳଙ୍କ ଓ ଲଜ୍ଜା ବୋଲି ଭାବନ୍ତି । କେତେକ ପୁରୁଷ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଜଣାଇବାକୁ ଇଚ୍ଛା ପ୍ରକାଶ କରନ୍ତିନି । ପ୍ରତିବର୍ଷ ଏଚଆଇଭିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥାଏ । ଏପିରିକି ସେମାନେ ଜାଣି ବି ନଥାଆନ୍ତି କି, ଏଚଆଇଭି ଏଡସର ପ୍ରତିକାର ଅଛି । ଯଦି ସଠିକ୍ ସମୟରେ ଏହାର ନିରାକରଣ କରାଯାଏ ତେବେ ଏହାକୁ ରୋକାଯାଇପାରିବ । ଅନେକ ମହିଳା ଅଛନ୍ତି ଯେଉଁମାନେ ଏଡସ ବିଷୟର ଅବଗତ ନଥାଆନ୍ତି ପରେ ଶାରୀରିକ ସମ୍ପର୍କ ରଖିବା ଦ୍ବାରା ଏହା ଅନ୍ୟ ଜଣଙ୍କୁ ବ୍ୟାପିଥାଏ । ଏହାସହ ଅନେକ ଗର୍ଭବତୀ ମହିଳା ମଧ୍ୟ ଏଚଆଇଭିର ଶିକାର ହୋଇଥାନ୍ତି । ଫଳରେ ଆଗକୁ ଜନ୍ମ ନେଉଥିବା ଭବିଷ୍ୟତ ପାଇଁ ଏହା ଏକ ଜଟିଳ ସମସ୍ୟା ଭାବରେ ଠିଆ ହୁଏ । ତେବେ ବର୍ତ୍ତମାନ ଏଡସକୁ ନାଶ କରିବାରେ ଆମେ ଅନେକ ମାତ୍ରାରେ ସଫଳ ହୋଇଛେ ।

ଯଦି ସମଗ୍ର ବିଶ୍ବ 2030 ସୁଦ୍ଧା ଏଡସକୁ ନାଶ କରିବା ପାଇଁ ସଙ୍କଳ୍ପବଦ୍ଧ ହୁଏ ତେବେ ଏଥିପାଇଁ ଅର୍ଥର ଆବଶ୍ୟକତା ରହିଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାର ଅନେକ ଅର୍ଥ ନିବେଶ କରୁଛନ୍ତି । ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ସାମାଜିକ ବାର୍ତ୍ତା ମଧ୍ୟ ଦେଉଛନ୍ତି । ଏଡସର ବିନାଶ ଏକ ଜୀବନ ରକ୍ଷକ ନିବେଶ ମାତ୍ର ବେଳେବଳେ ଏଥିପାଇଁ କ୍ଷତି ମଧ୍ୟ ସହିବାକୁ ପଡେ ବୋଲି ‘UNAIDS-2019’ ରିପୋର୍ଟ ରିଲିଜ କରିବା ସମୟରେ କହିଛନ୍ତି ସଂଯୁକ୍ତ ରାଷ୍ଟ୍ରର ମୁଖ୍ୟ । ତେବେ ଏଥିପାଇଁ ସମସ୍ତ ଦେଶ ସମାନ ମାତ୍ରାରେ ନିବେଶ କରିବା ଜରୁରୀ । ତେବେ ଯାଇ ଏଡସ, ଟ୍ୟୁବରକୁଲୋସିସ୍, ମାଲେରିଆ ଭଳି ମାରାତ୍ମକ ରୋଗ ଉପରେ ବିଶ୍ବ ବିଜୟ ଲାଭ କରିପାରିବା ।

ABOUT THE AUTHOR

...view details