ନୂଆଦିଲ୍ଲୀ: ବଦଳିଗଲା 5 ଦଶନ୍ଧିର ଇତିହାସ । ଭାଙ୍ଗିରୁଜି ଚୁରମାର ହୋଇଗଲା ରେକର୍ଡ । ସ୍ଥାପନ ହେଲା ନୂଆ ରେକର୍ଡ । ଲେଖାହେଲା ନୂଆ ଇତିହାସ । ଆମେ କହୁଛୁ ଆମେଠି ମହାସମରର ଫଳାଫଳ କଥା । ଗାନ୍ଧୀ ପରିବାରର ଗଡ ଭାବେ ପରିଚିତ ଆମେଠି ଆସନରେ ଏଥର ବିଜୟୀ ହୋଇଛନ୍ତି ସୁପର ସ୍ମୃତି । ତେବେ ଇତି ମଧ୍ୟରେ ସ୍ମୃତି ଦୁଇ ଦୁଇଟି ରେକର୍ଡ କରିଛନ୍ତି । ଆମେଠିରେ ଐତିହାସହିକ ବିଜୟ ଲାଭ କରିଥିବା ବେଳେ ବିଜେପିର ପ୍ରଥମ ନେତା ଭାବେ କଂଗ୍ରେସ ଦଳର ଅଧ୍ୟକ୍ଷଙ୍କୁ ପରାସ୍ତ କରିଛନ୍ତି ।
ତେବେ ରାହୁଲଙ୍କୁ ତାଙ୍କ ଗଡରେ ହରାଇବା ସ୍ମୃତିଙ୍କ ପାଇଁ ଏତେଟା ସହଜ ନଥିଲା । 2014 ନିର୍ବାଚନରେ ହାରିବା ସତ୍ତ୍ବେ ସ୍ମୃତି ଏଥର ଆମେଠି ବାସୀଙ୍କ ଦିଲ୍ ଜିତିବାରେ ସଫଳ ହୋଇଛନ୍ତି । ଆମେଠି ଆସନରୁ ଗାନ୍ଧି ପରିବାରରୁ 50 ବର୍ଷର ରାଜୁତି ଓ ପ୍ରାଧାନ୍ୟରେ ରୋକ ଲଗାଇଛନ୍ତି ସ୍ମୃତି । ରାହୁଲ ଗାନ୍ଧୀଙ୍କ ଠାରୁ ପାଖାପାଖି 45, 453 ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି ସ୍ମୃତି ।
ଆମେଠିରୁ ପୁଣି ଥରେ କ୍ଷମତା ପାଇବେ ବୋଲି ଅହରହ ପ୍ରୟାସ ଜାରି ରଖିଥିଲେ ଇରାନୀ । ଗତ ନିର୍ବାଚନର ନିଜର ପରାଜୟକୁ ଶଶକ୍ତି କରି ଭାଙ୍ଗି ଦେଇଛନ୍ତି ବହୁ ବର୍ଷର ରେକର୍ଡ । ଆମେଠିରୁ ବିପୁଳ ଭୋଟରେ ସ୍ମୃତି ବିଜୟ ଲାଭ କରିବା ପରେ ଦଳର ସମସ୍ତ କର୍ମକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଓ ପାର୍ଟି ଅଧ୍ୟକ୍ଷଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।