ଓଡିଶା

odisha

ETV Bharat / bharat

ଆମେରିକାରେ କେବେ ବି ଘୁଞ୍ଚିନାହିଁ ରାଷ୍ଟ୍ରପତି ନିର୍ବାଚନ

ଆମେରିକାରେ କୋରୋନା ମହାମାରୀ ମୁକାବିଲା କ୍ଷେତ୍ରରେ ସଂପୂଣ୍ଣ ର୍ ବିଫଳତା ହୋଇଥିବା ଅଭିଯୋଗ ମଧ୍ୟରେ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଏବେ ଏହିବର୍ଷ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଘୁଂଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

ରାଷ୍ଟ୍ରପତି ନିର୍ବାଚନ
ରାଷ୍ଟ୍ରପତି ନିର୍ବାଚନ

By

Published : Aug 1, 2020, 3:53 PM IST

ଆମେରିକାରେ କୋରୋନା ମହାମାରୀ ମୁକାବିଲା କ୍ଷେତ୍ରରେ ସଂପୂଣ୍ଣ ର୍ ବିଫଳତା ହୋଇଥିବା ଅଭିଯୋଗ ମଧ୍ୟରେ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଏବେ ଏହିବର୍ଷ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଘୁଂଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରାକ୍ ନିର୍ବାଚନ ସର୍ଭେରେ ପଛୁଆ ରହିଥିବା ଟ୍ରମ୍ପ ଗତ ଗୁରୁବାର ଦିନ ଏକ ଟ୍ୱିଟ୍ କରି ନିର୍ବାଚନ ଘୁଂଚାଇବା ସପକ୍ଷରେ ମତ ଦେଇଛନ୍ତି, ଯାହା କି ଆମେରିକା ରାଜନୀତିରେ ଝଡ ସୃଷ୍ଟି କରିଛି । କୋରୋନା ମହାମାରୀ ଯୋଗୁଁ ଏଥର ଆମେରିକାରେ ମେଲ୍ –ଇନ୍ –ଭୋଟିଂ ହେବା ସମ୍ଭାବନା ରହିଛି । ହେଲେ ରାଷ୍ଟ୍ରପତି ଟ୍ରମ୍ପ ମେଲ୍‌-ଇନ୍‌-ଭୋଟିଂ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସାବ ର୍ଜନୀନ ମେଲ୍ -ଇନ୍ ଭୋଟିଂ (ଆବସେଂଟି ଭୋଟିଂ ନୁହେଁ, ଯାହା କି ଭଲ ) ୨୦୨୦ ଇତିହାସର ସବୁଠାରୁ ତ୍ରୁଟିପୂର୍ଣ୍ଣ ଓ ଜାଲ୍ ନିର୍ବାଚନ ହେବ ।

ଆମେରିକା ପାଇଁ ଏହା ସବୁଠାରୁ ଲଜ୍ଜାଜନକ ହେବ । ଲୋକେ ସଠିକ୍‌, ସୁରକ୍ଷିତ ଓ ନିରାପଦ ଭାବେ ଭୋଟ୍ ଦେଇପାରିବା ଯାଏଁ ନିର୍ବାଚନ ବିଳମ୍ବ କରିବା କି ?’’ଏହା ଥିଲା ନିର୍ବାଚନ ଘୁଂଚାଇବା ନେଇ ଟ୍ରମ୍ପଙ୍କ ଟ୍ୱିଟ୍ । ନିଜର ନିର୍ବାଚନୀ ରାଲିଗୁଡିକରେ ଟ୍ରମ୍ପ ପୋଷ୍ଟାଲ ଭୋଟିଂକୁ ବିରୋଧ କରୁଛନ୍ତି । ପୋଷ୍ଟାଲ ଭୋଟିଂ ହେଲେ ଫଳାଫଳ ଭୁଲ୍ ହେବ ବୋଲି ଟ୍ରମ୍ପ ଦାବି କରିଛନ୍ତି । ତେବେ ନଭେମ୍ବରର ନିର୍ବାଚନ ଘୁଂଚାଇବା ନେଇ ଟ୍ରମ୍ପଙ୍କ ପ୍ରସ୍ତାବକୁ ସମର୍ଥନ ମିଳିବା ଆଶା ନାହିଁ । ଏପରିକି ଟ୍ରମ୍ପଙ୍କ ଖୋଦ୍ ରିପବ୍ଲିକାନ୍ ପାର୍ଟି ତାଙ୍କର ନିର୍ବାଚନ ବିଳମ୍ବ କରିବା ପ୍ରସ୍ତାବ ଅଗ୍ରାହ୍ୟ କରିଦେଇଛି । ଯୁଦ୍ଧ, ଡିପ୍ରେସନ ଓ ଗୃହଯୁଦ୍ଧ ବେଳେ ମଧ୍ୟ ଆମେରିକାରେ ଧାର୍ଯ୍ୟ ସମୟରେ ନିର୍ବାଚନ ନ ହେବା ଦେଖାଯାଇନାହିଁ । ଏଥର ମଧ୍ୟ ନଭେମ୍ବର ୩ ତାରିଖରେ ନିର୍ବାଚନ ହେବା ନେଇ ପୁଣି ଆମେ ଉପା ବାହାର କରିବୁ ବୋଲି କେଂଟୁକିର ରିପବ୍ଲିକାନ୍‌ ପାର୍ଟିର ସିନେଟ ସଂଖ୍ୟାଗରିଷ୍ଠ ନେତା ମିଚ୍ ମ୍ୟାକକନେଲ୍ ଗଣମାଧ୍ୟମକୁ କହିଛନ୍ତି । ପ୍ରତିନିଧି ସଭାର ସଂଖ୍ୟାଲଘୁ ନେତା ତଥା କାଲିଫର୍ଣ୍ଣିଆର ରିପବ୍ଲିକାନ କେଭିନ ମ୍ୟାକାର୍ଥି ମଧ୍ୟ ସମାନ ମତ ଦେଇଛନ୍ତି । ଆମେରିକା ଇତିହାସରେ କେବେ ବି ସଂଘୀୟ ନିର୍ବାଚନ ନ ହୋଇ ରହିନାହିଁ । ଏଥର ବି ନିର୍ବାଚନ ହେବା ଦରକାର ବୋଲି ସେ କହିଛନ୍ତି ।

ପ୍ରତି ଚାରିବର୍ଷରେ ଥରେ ହେଉଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ନଭେମ୍ବରର ପ୍ରଥମ ମଙ୍ଗଳବାର ଦିନ ହୁଏ । ଏଥର ନଭେମ୍ବର ୩ ତାରିଖରେ ନିର୍ବାଚନ ହେବ । ଆମେରିକାରେ କୋରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଟ୍ରମ୍ପ ପ୍ରଶାସନର ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରାଯାଉଛି । ମହାମାରୀ ସେହି ଦେଶରେ ଦେଢ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି । ବେଆଇନ ଦେଶାନ୍ତର ଓ ବର୍ଣ୍ଣବୈଷମ୍ୟତା ପ୍ରସଙ୍ଗରେ ବି ଟ୍ରମ୍ପଙ୍କ ଆଭିମୁଖ୍ୟକୁ ସବୁଆଡେ ସମାଲୋଚନା କରାଯାଉଛି । ଏଭଳି ସମାଲୋଚନା ମଧ୍ୟରେ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଘୁଂଚାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି । ବିଭିନ୍ନ ପ୍ରାକ୍ ନିର୍ବାଚନୀ ଜନମତ ସର୍ଭେରେ ଟ୍ରମ୍ପ, ପୂର୍ବତନ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କଠାରୁ ଯଥେଷ୍ଟ ପଛରେ ଅଛନ୍ତି । ଉଦାହରଣ ସ୍ୱରୂପ, ଫାଇନାନସିଆଲ ଟାଇମସ୍ ଦ୍ୱାରା କରାଯାଇଥିବା ସଦ୍ୟତମ ଜନମତ ସର୍ଭେରେ ଦର୍ଶାଯାଇଛି ଯେ,୫୩୮ ଇଲେକଟୋରାଲ୍‌ କଲେଜ ଭୋଟ୍ ମଧ୍ୟରୁ ବିଡେନ୍ ୩୦୮ଟି ଜିତିପାରନ୍ତି । ଟ୍ରମ୍ପ ମାତ୍ର ୧୨୮ ଟି ଜିତିପାରିବେ ବୋଲି ଫାଇନାନସିଆବ ପୋଲ୍ ଟ୍ରାକର୍‌ରେ ଦର୍ଶାଯାଇଛି ।

ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଜଣେ ପ୍ରାର୍ଥୀଙ୍କୁ ୫୩୮ ଭୋଟ୍ ମଧ୍ୟରୁ ୨୭୦ଟି ଜିତିବା ଆବଶ୍ୟକ । ତେବେ, ରାଷ୍ଟ୍ରପତି ଟ୍ରମ୍ପ ଏସବୁ ପ୍ରାକ୍ ନିର୍ବାଚନୀ ସର୍ଭେକୁ ଖାରଜ କରିଦେଇଛନ୍ତି । ସେ ଦାବି କରିଛନ୍ତି ଯେ, ଏସବୁ ସର୍ଭେ ‘ସାଇଲେଂଟ ମେଜରିଟି’ଙ୍କ ସ୍ୱରକୁ ପ୍ରତିଫଳନ କରୁନାହିଁ, ଯେଉଁମାନେ କି ତାଙ୍କ ସପକ୍ଷରେ ଅଛନ୍ତି । ନିଜ ସପକ୍ଷରେ ବୋଧହୁଏ ଅଧିକ ଜନସମର୍ଥନ ହାସଲ କରିବା ପାଇଁ ହାତରେ ସମୟ ରଖିବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ନିର୍ବାଚନ ଘୁଂଚାଇବାକୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଆମେରିକା ସମ୍ବିଧାନ ଅନୁସାରେ ନିର୍ବାଚନକୁ ଘୁଂଚାଇହେବ ନାହିଁ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଘୁଂଚିବା ସମ୍ଭାବନା ଅତି କ୍ଷୀଣ । କାରଣ ଆମେରିକୀୟ କଂଗ୍ରେସ ( ପାର୍ଲାମେଂଟ)ଦ୍ୱାରା ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇ ସମ୍ବିଧାନରେ ଉଲ୍ଲେଖ କରାଯାଇଛି । ନଭେମ୍ବର ମାସ ପ୍ରଥମ ମଙ୍ଗଳବାର ଦିନ ହେଉଥିବା ନିର୍ବାଚନକୁ କେବଳ କଂଗ୍ରେସ ହିଁ ଘୁଂଚାଇପାରିବ ବୋଲି ଆମେରିକା–ଭାରତ ରାଜନୈତିକ କ୍ରିୟାନୁଷ୍ଠାନ କମିଟିର ପ୍ରତିଷ୍ଠାତା ସଦସ୍ୟ ରବିନ୍ଦର ସଚଦେବ ଇଟିଭି ଭାରତକୁ କହିଛନ୍ତି ।

ସଚଦେବଙ୍କ ଅନୁସାରେ ରାଷ୍ଟ୍ରପତି ଟ୍ରମ୍ପ ବା କୌଣସି ରାଷ୍ଟ୍ରପତିଙ୍କ ନିର୍ବାଚନ ତାରିଖ ବଦଳାଇବାର କ୍ଷମତା ନାହିଁ ବୋଲି ସଚଦେବ ଇଟିଭି ଭାରତକୁ କହିଛନ୍ତି । ସେ କହିଛନ୍ତି ଯେ, କେବଳ ଜରୁରୀ ପରିସ୍ଥିତି ଉପୁଜିବା କ୍ଷେତ୍ରରେ ରାଷ୍ଟ୍ରପତି ନିଜର ଜରୁରୀକାଳିନ କ୍ଷମତା ପ୍ରୟୋଗ କରି ରାଷ୍ଟ୍ରପତି ଚାହିଁଲେ ହୁଏ ତ ନିର୍ବାଚନ ତାରିଖରେ ପରିବର୍ତନ କରିପାରିବେ । କିନ୍ତୁ ଏଠାରେ ମନେ ରଖିବାକୁ ହେବ ଯେ, ଆମେରିକା ଇତିହାସରେ କେବେ ବି ରାଷ୍ଟ୍ରପତି ନିର୍ବାଚନର ତାରିଖ ପରିବର୍ତନ ହୋଇନାହିଁ । ଯଦି ତାରିଖ ପରିବର୍ତନ ହୁଏ,ତାହା ହେଲେ ଆମେରିକୀୟ ଗଣତନ୍ତ୍ରର ଧାରଣା ପ୍ରତି ଏହା ବହୁତ ବଡ ଧକ୍‌କା ସଦୃଶ ହେବ ବୋଲି ସଚଦେବ କହିଛନ୍ତି । ନିଜର ପ୍ରଚାର ଅଭିଯାନରେ ରାଷ୍ଟ୍ରପତି ଟ୍ରମ୍ଫ ଭୋଟରମାନଙ୍କୁ ବିଭିନ୍ନ କଥା କହି ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି । ଦେଶର ଅର୍ଥନୀତିର ଅବସ୍ଥା ଭଲ ରହିଛି, ଷ୍ଟକ ମାର୍କେଟ କାରବାର ବୃଦ୍ଧି ଘଟିଛି . ବେରୋଜଗାରୀ ହାର କମିଛି ଓ ମହାମାରୀ ପ୍ରକୋପ କମିବାରେ ଲାଗିଛି ବୋଲି ଦାବି କରୁଛନ୍ତି ଟ୍ରମ୍ପ । ଦେଖିବାକୁ ଗଲେ ସେ ନିଜର ୨୦୧୬ ନିର୍ବାଚନ ପ୍ରଚାରର ସ୍ଲୋଗାନ୍ ‘ମେକିଂ ଆମେରିକା ଗ୍ରେଟ୍ ଏଗେନ’ କୁ ଦୋହରାଇବାରେ ଲାଗିଛନ୍ତି । ପ୍ରତିଦ୍ୱନ୍ଦୀ ବିଡେନ୍ ବି ସେସବୁ ପ୍ରସଙ୍ଗ ଉଠାଉଛନ୍ତି । କିନ୍ତୁ ତାଙ୍କ ଭଳି ଜଣେ ଲୋକ ହିଁ ଆମେରିକାକୁ ପୁଣି ଟ୍ରାକକୁ ଆଣିପାରିବ ବୋଲି ବିଡେନ୍ ନିଜର ନିର୍ବାଚନ ପ୍ରଚାରରେ ଦାବି କରୁଛନ୍ତି । ତେବେ, ପ୍ରକୃତ କଥା ହେଉଛି ଆମେରିକୀୟମାନେ ସବୁ କ୍ଷେତ୍ରରେ, ସବୁ ସ୍ତରରେ ଅସନ୍ତୁଷ୍ଟ ରହିଛନ୍ତି । ଉଭୟ ରିପବ୍ଲିକାନ୍ ଓ ଡେମୋକ୍ରାଟ ସମର୍ଥକ ଅନେକ ବିଷୟରେ ସୁଖୀ ନୁହନ୍ତି ବୋଲି ସଚଦେବ ଇଟିଭି ଭାରତକୁ କହିଛନ୍ତି ।

ଡୋନାଲ୍ଡ ଟ୍ରମ୍ପ ଏହି ଅସନ୍ତୋଷର ହିଁ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ସମର୍ଥକମାନଙ୍କୁ ଟ୍ରମ୍ପ କହୁଛନ୍ତି ଯେ, ସେ ତାଙ୍କ କାମ କରୁଛନ୍ତି । କିନ୍ତୁ ତାଙ୍କୁ ତାଙ୍କ କାମ ଠିକ୍ ରୂପେ କରିବାକୁ ଦିଆଯାଉନାହିଁ । ଆମେରିକା ସଂଘର୍ଷ କରି ସଫଳତାର ସହ ପ୍ରତ୍ୟାବର୍ତନ କରୁଛି ବୋଲି ଟ୍ରମ୍ପ କହିବାରେ ଲାଗିଛନ୍ତି । ଅର୍ଥନୀତି ଟ୍ରାକକୁ ଫେରିଛି ଓ ବେରୋଜଗାର ହ୍ରାସ ପାଇଥିବା କଥା କହୁଛନ୍ତି ଟ୍ରମ୍ପ । ଜନମତ ଫଳାଫଳରେ କିଛି ଫରକ ପଡିବ ନାହିଁ ବୋଲି ଟ୍ରମ୍ପ କହୁଛନ୍ତି । ଆମେରିକାର ସାଇଲେଂଟ୍ ମେଜରିଟି ତାଙ୍କ ସପକ୍ଷରେ ଥିବା ଟ୍ରମ୍ପ ଦାବି କରୁଛନ୍ତି ବୋଲି ସଚଦେବ ଇଟିଭି ଭାରତକୁ କହିଛନ୍ତି । ସଚଦେବ କହନ୍ତି ଯେ, ଜୋ ବିଡେନ୍‌ ଜାଣିଶୁଣି ଟ୍ରମ୍ପଙ୍କୁ ଅଧିକ କହିବାକୁ ସୁଯୋଗ ଦେଉଛନ୍ତି । କାରଣ ଟ୍ରମ୍ପ ନିଜ କଥାର ହିଁ ବିରୁଦ୍ଧାଚରଣ କରି ବିବାଦରେ ଫସିଯାଉଛନ୍ତି । ଜୋ ବିଡେନ୍ ଅଧିକରୁ ଅଧିକ ଆମେରିକାର ଘରୋଇ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଆମେରିକୀୟ ଭୋଟରଙ୍କୁ ବିଡେନ୍‌ ପ୍ରତିଶ୍ରୁତି ଦେଇ କହୁଛନ୍ତି ଯେ, କେବଳ ସେ ହିଁ ଆମେରିକାକୁ ତାର ପୂବ ର୍ ସ୍ଥିତି ଫେରାଇ ଆଣିବାରେ ସମର୍ଥ । ଟ୍ରମ୍ପ କେବଳ ଏକ ବ୍ୟତିକ୍ରମ ବୋଲି ବିଡେନ୍‌ କହୁଛନ୍ତି । ଟ୍ରମ୍ପ ବିଭିନ୍ନ ପ୍ରତିଷ୍ଠାନର କ୍ଷତି କରିଛନ୍ତି । କେବଳ ତାଙ୍କ ଭଳି ଜଣେ ବିଜ୍ଞ ବ୍ୟକ୍ତି ହିଁ ଆମେରିକାକୁ ଟ୍ରାକ୍‌ କୁ ଆଣିବାରେ ସଫଳ ହେବେ ବୋଲି ବିଡେନ୍ ଭୋଟରଙ୍କୁ କହୁଥିବା ସଚଦେବ କହିଛନ୍ତି ।

ଅରୁଣିମ ଭୂୟାଁ

ABOUT THE AUTHOR

...view details