ଜୟପୁର: କୋରୋନା ସହ ସାରା ଦେଶ ଏକଜୁଟ ହୋଇ ଲଢେଇ କରୁଥିବା ବେଳେ ଆଗଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପରିମଳ କର୍ମଚାରୀ ଓ ପୋଲିସ କର୍ମୀମାନେ । ଏହି ଯୋଦ୍ଧା ପ୍ରତିଦିନ ଲୋକଙ୍କୁ ସୁରକ୍ଷା ଦେବାକୁ କୋରୋନା ସହ ଲଢୁଛନ୍ତି । ଏମିତିରେ ଏମାନଙ୍କ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ଆଦିବାସୀ ମହିଳା । କୋରୋନା ଯୋଦ୍ଧାଙ୍କ ପାଇଁ ବଂଶୱାରା ଡୁଙ୍ଗରପୁରର 700ରୁ ଅଧିକ ଆଦିବାସୀ ମହିଳା ପିପିଇ କିଟ୍ ସିଲେଇ କରୁଛନ୍ତି । କେନ୍ଦ୍ର ବୟନ ମନ୍ତ୍ରାଳୟ ଦ୍ବାରା 1 ଲକ୍ଷ ପିପିଇ କିଟ୍ ପାଇଁ ଜିଲ୍ଲାର ରେନୱିୟର ନାମକ ଏକ କମ୍ପାନୀକୁ କାମ ଦିଆଯାଇଥିଲା । ଏହି କମ୍ପାନୀ ଅଧୀନରେ ଜିଲ୍ଲାର 700 ଆଦିବାସୀ ମହିଳା ପିପିଇ କିଟ୍ ସିଲେଇ କରୁଛନ୍ତି ।
କମ୍ପାନୀ ମାଲିକ ଦିନବନ୍ଧୁ ତ୍ରିବେଦୀ କହିଛନ୍ତି ଯେ, କୋରେନା ସଙ୍କଟ ସମୟରେ ଗରିବ, ବିଧବା ଏବଂ ଅଭାବୀ ମହିଳାମାନଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ନିୟମିତ ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିବା ଆମର ପ୍ରଥମ ପ୍ରାଥମିକତା ଥିଲା । କାରଣ କୋରୋନା ଲକଡାଉନ କାରଣରୁ ଅନେକ ନିଜ ରୋଜଗାରର ବାଟ ହରାଇଥିଲେ ।
ସେ କହିଛନ୍ତି ଯେ, ଏହି କାମ ପାଇଁ ଆମେ ବଂଶୱାରାରୁ 700 ମହିଳାଙ୍କୁ ନିଯୁକ୍ତି ଦେଇଛୁ । ମାସିକ ସେମାନଙ୍କୁ 9 ହଜାର 500 ଟଙ୍କା ଦିଆଯିବା ସହ ନେବା ଆଣିବାର ସୁବିଧା ମଧ୍ୟ ଦିଆଯାଉଛି । ଏତତବ୍ୟତୀତ ଦ୍ବିପ୍ରହରେ ମାଗଣା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି । ତେବେ ବୟନ ମନ୍ତ୍ରାଳୟ ପକ୍ଷରୁ ଆମକୁ 1 ଲକ୍ଷ ପିପିଇ କିଟ୍ ତିଆରି ପାଇଁ ଦିଆଯାଇଥିବା ନିର୍ଦ୍ଦେଶକୁ ଆମେ ଠିକ୍ ସମୟରେ ପୂରଣ କରିବାକୁ ଏକ ଶକ୍ତିଶାଳୀ ଟିମ୍ ଚାହୁଁଛୁ ।
ଗୁଣାତ୍ମକ କାର୍ଯ୍ୟ କରିବା ଏବଂ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମର ଧାରଣା ଥିଲା । ଆମେ ବଂଶୱାରା ଆଦିବାସୀ ମହିଳାଙ୍କୁ କାମ ଦେଇଛୁ । ସେମାନଙ୍କୁ ଦକ୍ଷତା ବିକାଶ ପ୍ରକଳ୍ପ ଅଧୀନରେ ତାଲିମ ଦେଇଥିଲୁ ବୋଲି କହିଛନ୍ତି ଦିନବନ୍ଧୁ ତ୍ରିବେଦୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ଏହି କାମକୁ ଆମେ ଏକ ମାସ ମଧ୍ୟରେ ଶେଷ କରିବୁ ବୋଲି ବିଶ୍ବାସ ରହିଛି । କାରଣ ଏହି ମହିଳାମାନେ ଦକ୍ଷ ଅଟନ୍ତି ।