ଚଣ୍ଡିଗଡ: ଜଳ ହିଁ ଜୀବନ । ଯଦିଓ ପୃଥିବୀର 4 ଭାଗରୁ 3 ଭାଗ ଜଳ ରହିଛି, ତଥାପି ଅଜଥା ଜଳ ଅପଚୟ ଓ ବାଷ୍ପୀକରଣ ଯୋଗୁଁ କୋଟିକୋଟି ଲୋକ ପାନୀୟ ଜଳ ବିନା ଡହଳବିକଳ ହେଉଛନ୍ତି । କେଉଁଠି ଅଧିକାଂଶ ଅଞ୍ଚଳରେ ନଦୀ ପୋଖରୀର ଜଳ ଶୁଖିଯାଉଛି ତ ଆଉ କେଉଁଠି କମି କମି ଯାଉଛି ଭୂତଳ ଜଳର ମାତ୍ରା । ଏପରିକି ଦେଶର କିଛି ଅଞ୍ଚଳରେ ଭୂତଳ ଜଳ ବୀପଦ ସଂଙ୍କେତ ତଳକୁ ଖସିସାରିଲାଣି । ତେବେ ଏପରିସ୍ଥଳେ ଆଗାମୀ ପୀଢି ପାଇଁ ଜଳର ପ୍ରତିଟି ବୁନ୍ଦାକୁ ସଂରକ୍ଷଣ କରି ରଖିବା ନିତ୍ୟାନ୍ତ ଜରୁରୀ ହୋଇପଡିଛି । ବର୍ଷା ଜଳ ଏକ ପ୍ରାକୃତିକ ଉତ୍ସ ହୋଇଥିବା ବେଳେ ଯଦି ଏହାର ସଠିକ ବିନିଯୋଗ ହୋଇପାରିବ ତାହାଲେ ଅନେକାଂଶରେ ଜଳ ଅଭାବକୁ ଦୂର କରିହେବ । ହରିୟାଣାର ପାଲଓ୍ବାଲରେ ଏପରି ଏକ ଗାଁ ରହିଛି, ଯେଉଁ ଗାଁ ସାରା ବିଶ୍ବରେ ବର୍ଷା ଜଳ ସଂରକ୍ଷଣ କ୍ଷେତ୍ରରେ ସାଜିଛି ଏକ ବଡ ଉଦାହରଣ ।
କିଛି ବର୍ଷ ତଳେ ପାଲଓ୍ବାଲର ଭିଦୁକି ଗାଁର ଲୋକେ ବର୍ଷାଦିନରେ ଅନେକ ସମସ୍ୟାର ସାମ୍ନା କରୁଥିଲେ । ଟିକିଏ ବର୍ଷାରେ ବୁଡିଯାଉଥିଲା ସମ୍ପୂର୍ଣ୍ଣ ଗାଁ । ରାସ୍ତା ଘାଟ ଠୁ ନେଇ ସ୍କୁଲ ଘର, ସବୁଠି କେବଳ ଆଣ୍ଠୁଏ ବର୍ଷା ପାଣି ଦେଖିବାକୁ ମିଳେ । ପ୍ରତିବର୍ଷ ମୌସୁମୀ ସମୟରେ ଗାଁରେ ଲାଗିରୁହେ ଏପରି ସମସ୍ୟା ।
2016ରେ ଏହି ଗାଁରେ ନିର୍ବାଚିତ ହେଲେ ସରପଞ୍ଚ ସତ୍ୟଦେବ ଗୌତମ । ବିଟେକ ଓ ଇଞ୍ଜିନିୟରିଂ ଡିଗ୍ରୀଧାରୀ ଗୌତମ ସର୍ବଦା ଗାଁର ଛବିକୁ ବଦଳାଇବାକୁ ଦେଖୁଥିଲେ ସ୍ବପ୍ନ । ଲକ୍ଷେ ଟଙ୍କାର ଚାକିରୀ ଛାଡି ସେ ଏବେ ତାଙ୍କ ସ୍ବପ୍ନ ପୁରା କରିବାରେ ଲାଗି ପଡିଛନ୍ତି ।