ଓଡିଶା

odisha

ETV Bharat / bharat

କୋଭିଡ-୧୯: ଏଚସିକ୍ୟୁ କାହିଁକି ଓ କେମିତି

ଭାରତରେ ହିଁ ଏହି ଔଷଧ କାହିଁକି ପର୍ଯ୍ୟାପ୍ତ ପରିମାଣରେ ମିଳୁଛି ? କୋଭିଡ-୧୯ ଚକିତ୍ସାରେ ଏହା କେତେଦୂର ପ୍ରଭାବଶାଳୀ ହୋଇପାରିବ ? ଆନ୍ତର୍ଜାତିକ ଓ ଘରୋଇ ଚାହିଦା ମେଣ୍ଟାଇବା ପାଇଁ ଆମ ପାଖରେ ବର୍ତ୍ତମାନ ଆବଶ୍ୟକ ପରିମାଣର ଏହି ଔଷଧ ରହିଛି କି ?

HCQ
କୋଭିଡ-୧୯: ଏଚସିକ୍ୟୁ କାହିଁକି ଓ କେମିତି

By

Published : Apr 18, 2020, 1:18 PM IST

କୋରୋନା ମହାମାରୀ ପରିପ୍ରେକ୍ଷୀରେ ବିଶ୍ୱରେ ଏବେ ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରକୁଇନ(ଏଚସିକ୍ୟୁ)ର ଚାହିଦା ବଢିବାରେ ଲାଗିଛି । ଏହି ଔଷଧ ଉପରେ ଏବେ ଆସ୍ଥା ରଖିଛି ବିଶ୍ୱ । ଆମେରିକା ଓ ବ୍ରାଜିଲ ସମେତ ୩୦ଟି ଦେଶ ଏଚସିକ୍ୟୁ ଔଷଧ ଦେବା ପାଇଁ ଭାରତକୁ ଅନୁରୋଧ କରିଛନ୍ତି । ଭାରତ ମଧ୍ୟ କିଛି ଦେଶକୁ ଏହି ଔଷଧ ପଠାଇସାରିଲାଣି ।

ତେବେ, ଭାରତରେ ହିଁ ଏହି ଔଷଧ କାହିଁକି ପର୍ଯ୍ୟାପ୍ତ ପରିମାଣରେ ମିଳୁଛି ? କୋଭିଡ-୧୯ ଚକିତ୍ସାରେ ଏହା କେତେଦୂର ପ୍ରଭାବଶାଳୀ ହୋଇପାରିବ ? ଆନ୍ତର୍ଜାତିକ ଓ ଘରୋଇ ଚାହିଦା ମେଣ୍ଟାଇବା ପାଇଁ ଆମ ପାଖରେ ବର୍ତ୍ତମାନ ଆବଶ୍ୟକ ପରିମାଣର ଏହି ଔଷଧ ରହିଛି କି ? କୌଣସି ଦେଶ କୋଭିଡ ୧୯ର ଚିକିତ୍ସା ପାଇଁ ଆଣ୍ଟି ମ୍ୟାଲେରିଆ ଔଷଧର ପ୍ରୟୋଗ କରି ପରୀକ୍ଷା ନିରୀକ୍ଷା କରୁଛି କି ? ସାରା ବିଶ୍ୱରେ କୋରାନା ମହାମାରୀ କାୟା ବିସ୍ତାର କରିଥିଲା ବେଳେ ବିଭିନ୍ନ ଦେଶ ଏବେ ଏଚସିକ୍ୟୁ ପାଇଁ ଭାରତର ସହାୟତା ଆଶା କରୁଛନ୍ତି ।

୧୯୧୮ ମସିହାର ସ୍ପାନିଶ ଫ୍ଲୁ ବିଶ୍ୱବ୍ୟାପୀ କୋଟି କୋଟି ଲୋକଙ୍କ ପ୍ରାଣ ନେଲା ପରେ ୧୯୨୮ରେ ମ୍ୟାଲେରିଆ ମହାମାରୀ ଦେଖାଦେଇଥିଲା । ସିନୋସୋନା ଅଫିସିନାଲିସ୍ ନାମକ ଏକ ଦକ୍ଷିଣ ଆମେରିକୀୟ ପ୍ରଜାତିର ଗଛ ଛାଲ ରୋଗର ଚିକିତ୍ସା ପାଇଁ ବ୍ୟବହାର ହେଉଥିଲା । ଏହି ଛାଲ ହିଁ କୁଇନାଇନ୍ ଔଷଧର ମୁଖ୍ୟ ଅର୍ଥନୈତିକ ଉତ୍ସ ଥିଲା ।

୧୯୩୦ ମସିହା ବେଳକୁ ମ୍ୟାଲେରିଆ ସାରାବିଶ୍ୱକୁ ବ୍ୟାପିବା ଆରମ୍ଭ କରିଥିବାରୁ ବହୁଳ ପରିମାଣରେ କୁଇନାଇନ ଔଷଧର ଉତ୍ପାଦନ ହେଲା । ଏହାକୁ କ୍ଲୋରକୁଇନ ନାମରେ ପୁନଃନାମିତ କରାଗଲା । କିନ୍ତୁ କ୍ଲୋରୋକୁଇନ ଔଷଧ ବ୍ୟବହାର ଫଳରେ ବିଭିନ୍ନ ପାଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେଉଥିବା ଡାକ୍ତରମାନେ ଲକ୍ଷ୍ୟ କଲେ । ୧୯୫୦ ମସିହାରେ କ୍ଲୋରୋକୁଇନ ଔଷଧରେ କିଛି ପରିବର୍ତନ କରାଯାଇ ହାଇଡ୍ରୋକ୍ସିକ୍ଲୋରୋକୁଇନ ନାଁରେ ନୂଆ ଔଷଧ ବାହାରିଲା । ଏଚସିକ୍ୟୁ ମ୍ୟାଲେରିଆ ସହ ଆଣ୍ଠୁଗଣ୍ଠି ବାତ ଓ ସ୍ୱ ପ୍ରତିରକ୍ଷିତ ରୋଗ ପାଇଁ ମଧ୍ୟ ବ୍ୟବହାର କରାଯାଏ ।

ବିକଶିତ ରାଷ୍ଟ୍ରଗୁଡିକରେ ମ୍ୟାଲେରିଆର କମ୍ ଉପସ୍ଥିତି ଯୋଗୁଁ ସେମାନେ ୧୯୮୦ରୁ ଏଚସିକ୍ୟୁର ଉତ୍ପାଦନ ବନ୍ଦ କରିଦେଲେ। ଦର କମ୍ ଥିବାରୁ ଫାର୍ମା କମ୍ପାନିମାନେ ଏହି ଔଷଧ ବିକ୍ରିରେ ସେତେ ଲାଭ ପାଇଲେ ନାହିଁ । ତେଣୁ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଭଳି ବିକଶିତ ଦେଶଗୁଡିକ ଏହି ଔଷଧର କେବଳ ଆମଦାନି ଉପରେ ହିଁ ନିର୍ଭରଶୀଳ ହେଲେ । ବିକାଶଶୀଳ ଓ ବିକଶିତ ଦେଶଗୁଡିକରେ ମ୍ୟାଲେରିଆ ଅଧିକ ଦେଖାଯାଏ ।

ଗ୍ରାମାଞ୍ଚଳ ଜନସଂଖ୍ୟା ଅଧିକ ଥିବା ଦେଶଗୁଡିକରେ ମ୍ୟାଲେରିଆର ପ୍ରାଦୁର୍ଭାବ ଅଧିକ । ଏ ଦୃଷ୍ଟିରୁ ଭାରତ ଓ ଚୀନ୍ ଏଚସିକ୍ୟୁ ଔଷଧର ସବୁଠୁ ବଡ ଉତ୍ପାଦନକାରୀ ରାଷ୍ଟ୍ର ହେଲେ । ଭାରତ ୭୦ ପ୍ରତିଶତ ଏଚସିକ୍ୟୁ ଔଷଧ ରପ୍ତାନି କରେ । କିନ୍ତୁ ଏହି ଔଷଧ ପ୍ରସ୍ତୁତିରେ ଆବଶ୍ୟକ ହେଉଥିବା କିଛି ଉପାଦାନ ଚୀନରୁ ଆମଦାନୀ କରିବାକୁ ପଡେ । ଭାରତୀୟ ଫାର୍ମା କମ୍ପାନିମାନେ ମାସକୁ ୨୦ କୋଟି ଏଚସିକ୍ୟୁ ଟାବଲେଟ୍ ଉତ୍ପାଦନର କ୍ଷମତା ରଖନ୍ତି । ଭାରତକୁ ପ୍ରତିବର୍ଷ ୨ଦଶମିକ ୪ କୋଟି ଏଚସିକ୍ୟୁ ଆବଶ୍ୟକ ପଡିଥାଏ । ସାଂପ୍ରତିକ ସ୍ଥିତିରେ ଦୃଷ୍ଟିରୁ ଭାରତ ସ୍ୱାଭାବିକ ହାରଠାରୁ ୪ ଗୁଣା ଏଚସିକ୍ୟୁ ଉତ୍ପାଦନ କରୁଛି ।

ଆମେରିକାରେ ମ୍ୟାଲେରିଆ ହାର ବହୁତ କମ୍ । ତେଣୁ ସେଠାରେ ଏଚସିକ୍ୟୁର ଆବଶ୍ୟକତା ପଡିନଥାଏ । ଏଚସିକ୍ୟୁ ଆମେରିକାର ଅନୁମୋଦିତ ସାଧାରଣ ଔଷଧ ତାଲିକାରେ ୧୨୮ ତମ ସ୍ଥାନରେ ରହିଛି । କୋଭିଡ-୧୯ ଉପରେ ଏଚସିକ୍ୟୁର ପ୍ରଭାବ ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ହୋଇଥାଏ ।

ସ୍ୱିଡେନର ଗବେଷକମାନେ କହିଛନ୍ତି ଯେ, ପ୍ରତି ୧୦୦ ରୋଗୀଙ୍କ ମଧ୍ୟରୁ ଜଣଙ୍କଠାରେ ଏଚସିକ୍ୟୁର ପାଶ୍ୱ ର୍ ପ୍ରତିକ୍ରିୟା ଦେଖାଯାଏ । ଛାତି ଓ କିଡନୀରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଏ ବୋଲି ସ୍ୱିଡେନର ଗବେଷକମାନେ କହନ୍ତି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ -ଆଇସିଏମଆର ଏଚସିକ୍ୟୁ ଔଷଧ ୧୫ ବର୍ଷ ବୟସରୁ କମ୍ ପିଲା ଓ ୬୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧଙ୍କୁ ଦେବା ପାଇଁ ବାରଣ କରିଛି । କିନ୍ତୁ ଆମେରିକାରେ ଏହି ଔଷଧ କୋଭିଡ-୧୯ ରୋଗୀଙ୍କ କ୍ଷେତ୍ରରେ ସକାରାତ୍ମକ ଫଳାଫଳ ଦେଉଛି ବୋଲି ଗବେଷକମାନେ ଦାବି କରିଛନ୍ତି । ଚୀନ ଓ ଫ୍ରାନ୍ସର ମଧ୍ୟ ସମାନ ମତ । ବ୍ରିଟେନ ଓ ଅଷ୍ଟ୍ରେଲିଆରେ ଅଧିକ ଗବେଷଣା ଚାଲିଛି । ଭାରତର ଗୁରୁତର ଅସୁସ୍ଥ ରୋଗୀଙ୍କୁ ଏଚସିକ୍ୟୁ ସହ ଅଜିଥୋରମାଇସିନ୍ ନାମକ ଔଷଧ ମିଶାଇ ଦିଆଯାଏ ।

ବିଶେଷଜ୍ଞଙ୍କ ଅନୁସାରେ ଏକ କଂପ୍ଲିଟ କୋର୍ସ ପାଇଁ ୧୪ଟି ଟାବଲେଟ୍ ଆବଶ୍ୟକ ହୋଇଥାଏ । ଏକ ଦୂରଦର୍ଶୀ ପଦକ୍ଷେପ ଅନୁସାରେ ଆନୁମାନିକ ୭୦ ଲକ୍ଷ ରୋଗୀଙ୍କ ପାଇଁ ଅତିରିକ୍ତ ୧୦ କୋଟି ଟାବଲେଟ୍ ଉତ୍ପାଦନ କରିବାକୁ କେନ୍ଦ୍ର ସରକାର ଫାର୍ମା କମ୍ପାନିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

ABOUT THE AUTHOR

...view details