ଜଣେ ଅଭିଭାବକ ଆସି କହିଲେ ଯେ, ତାଙ୍କ ପିଲା ପଢାପଢିରେ ଜମା ଆଗ୍ରହ ଦେଖାଉ ନାହିଁ । ଦୀର୍ଘଦିନ ଧରି ଚିକିତ୍ସିତ ହେବା ପରେ ଏମିତି ହୋଇଥିବା ସେ କହିଲେ । ଆଉ ଜଣେ ଅଭିଭାବକ କହିଲେ ଯେ, ତାଙ୍କ ପିଲା ଖେଳିବା ପରେ କ୍ଲାନ୍ତ ହୋଇଯାଉଛି । ତେଣୁ ତାକୁ ପଢାଇବା ବେଳେ ସେ ସ୍ଥିର ହୋଇ ବସୁନାହିଁ । ପିଲାଙ୍କୁ ପଢିବା ପାଇଁ ମନାଇବା ସବୁବେଳ ମାଆବାପାଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇଆସିଛି । କିନ୍ତୁ ଏହା ବି ମନେ ରଖିବାକୁ ହେବ ଯେ,ଛୋଟ ପିଲାମାନଙ୍କ ପାଇଁ ‘ଖେଳ’ ହିଁ ସବୁକିଛି । ତେଣୁ ପିଲାଙ୍କ ପାଠପଢା ଓ ଖେଳ ମଧ୍ୟରେ ଏକ ସନ୍ତୁଳନ କିପରି ବଜାୟ ରଖାଯାଇପାରିବ , ସେ ନେଇ ବି ମାଆବାପା ମାନେ ଧ୍ୟାନ ଦେବା ଦରକାର ।
ଏହା କିପରି ସମ୍ଭବ ? ଖେଳ ଖେଳରେ ପିଲାମାନଙ୍କୁ କେମିତି ପଢାଯାଇପାରିବ, ସେ ସଂପର୍କରେ ସାଇକୋଲୋଜିଷ୍ଟ ଓ ପ୍ଲେ ଥେରାପିଷ୍ଟ କାଜଲ ଡଭେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ଖେଳାଖେଳି କଲେ ଶିଶୁ ନିଜକୁ ଶକ୍ତିଶାଳି ଅନୁଭବ କରିବା ସହ ଚିନ୍ତା ମୁକ୍ତ ହୋଇଥାଏ । ବଡ କଥା ହେଲା ଖେଳ ମାଧ୍ୟମରେ ସେ ସୃଜନଶୀଳତା ଶିଖେ । କିଛି ଟିପ୍ସ ନିମ୍ନରେ ଦିଆଗଲା । ଯଦି ଶିଶୁ ବହିର ପାଠ ପଢିବାକୁ ଭଲ ପାଏ ନାହିଁ, ତାହା ହେଲେ ସେହି ପାଠକୁ କାହାଣୀ ଜରିଆରେ ତାକୁ ଶିଖାନ୍ତୁ । ସେହି କାହାଣୀର ବିଭିନ୍ନ ଚରିତ୍ର ମାଧ୍ୟମରେ ଶିଶୁକୁ ପଢାଯାଇପାରିବ ।
ଯଦି ପିଲା କୌଣସି ଅର୍ଥ ବୁଝିପାରେ ନାହିଁ , ତାହା ହେଲେ ସେହି ପ୍ରସଙ୍ଗର ଗୁଣାତ୍ମକ ମାନ ସଂପର୍କରେ ତାକୁ ବୁଝାଇବାକୁ ଚେଷ୍ଟା କରନ୍ତୁ । ଗେସିଂ ଗେମ୍ର ସାହାର ନିଅନ୍ତୁ । ଯଦି ସେ ଚିତ୍ରାଙ୍କନରେ ଆଗ୍ରହୀ, ତାହା ହେଲେ ଆପଣ ପିକଚର୍ ଡିକସନାରି ମାଧ୍ୟମ ବ୍ୟବହାର କରିପାରିବେ । ଶିଶୁ ସାମଗ୍ରିକ ଭାବେ ଯେପରି ପାଠ ଶିଖିପାରିବ, ବିଷୟବସ୍ତୁ ପ୍ରତି ଯେପରି ଆଗ୍ରହ ଦେଖାଇପାରିବ, ତାହା ମାଆବାପାଙ୍କୁ ନିଶ୍ଚିତ କରିବାକୁ ହେବା ଯଦି ପିଲାର ଆଗ୍ରହ ନ ଥାଏ, ତାହା ହେଲେ ସେହି ବିଷୟବସ୍ତୁ ପ୍ରତି ତାର କୌଣସି ଅମୂଳକ ଆଶଙ୍କା ରହିଥିବ ।