ଆମ ସମାଜ ଏମିତି ଲୋକମାନଙ୍କୁ ନେଇ ସମାହିତ ଯେଉଁଥିରେ କିଛି ଲୋକ ସୁନା ଚାମଚ ନେଇ ଜନ୍ମ ହେଉଥିବା ବେଳେ ଅନେକ ନିଜର ଦୈନନ୍ଦିନ ଖାଦ୍ୟ ଯୋଗାଡ଼ ପାଇଁ ସଂଗ୍ରାମ କରିବାକୁ ବାଧ୍ୟ ହୁଅନ୍ତି ! ଗୋଟିଏ ପଟେ ନଭଶ୍ଚୁମ୍ଭୀ ଅଟ୍ଟାଳିକା ଆଉ ଗୋଟିଏ ପଟେ ଛାତ ନଥିବା ବସ୍ତି ବାସିନ୍ଦା ! ଗୋଟିଏ ପଟେ ରାଜକୁମାର ପରି ବ୍ୟକ୍ତି ବିଶେଷ ଯାହାଙ୍କ ଲମ୍ବା ଲମ୍ବା ଗାଡ଼ି, ନାନା ରଙ୍ଗର ବେଶ ପୋଷାକ ଆଉ ନୂଆ ନୂଆ ଅତରର ବାସ୍ନା ସମାଜକୁ ପ୍ରଲୋଭିତ କରେ ତ ଅନ୍ୟ ପଟରେ କାଙ୍ଗାଳ, ଭିକାରୀ ମାନଙ୍କ ଆତୁର, ସଂସାରରେ ରହିଥିବା ଦୁଃଖ ଦୁର୍ଦଶା ଓ କଷ୍ଟର କାହାଣୀ ବର୍ଣ୍ଣନା କରିଥାଏ !
ପ୍ରକୃତରେ ଏହି ବିଚିତ୍ର ସମାହାର ଭିତରେ ଆମ ସମାଜ ଅବସ୍ଥିତ ଯେଉଁଠି ଏହି ତାରତମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ହିଁ ସବୁଠାରୁ ଉଦ୍ବେଗର ବିଷୟ । ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ଵର ୭୫ ପ୍ରତିଶତ ଧନୀ ସମୁଦାୟ ଜନସଂଖ୍ୟାର ମାତ୍ର ୧ ପ୍ରତିଶତ । ଏହି ୧ ପ୍ରତିଶତ ଲୋକଙ୍କ ଅର୍ଥନୀତି ଦିନକୁ ଦିନ ଅଧିକ ସ୍ଵଚ୍ଛଳ ହେବାରେ ଲାଗିଥିବାବେଳେ ୯୯ ପ୍ରତିଶତ ଲୋକଙ୍କ ଅର୍ଥନୀତିକ ଅବସ୍ଥିତି ସମ୍ବେଦନଶୀଳ ହେବାରେ ଲାଗିଛି । ଅର୍ଥାତ୍ ଧନୀ ଓ ଦରିଦ୍ର ଦୁଇ ଶ୍ରେଣୀ ଭିତରେ ତାରତମ୍ୟ ନିରନ୍ତର ବଢ଼ି ଚାଲିଛି ।
ଅନ୍ୟ ଭାଷାରେ କହିଲେ ଧନୀ ଓ ଦରିଦ୍ର ଭିତରେ ଦିନକୁ ଦିନ ବଢ଼ୁଥିବା ରୋଜଗାର ଦ୍ଵାରା ସାରା ବିଶ୍ଵରେ ଅର୍ଥନୀତିକ ଅସ୍ଥିରତା ସୃଷ୍ଟି ହେଉଛି । ଏ ଭିତରେ ଏକ ପ୍ରମୁଖ ଶିକାର ହେଉଛି ଆମ ଦେଶ ଭାରତ । କାରଣ ଅର୍ଥନୀତିକ ବିଷାରଦମାନେ ଏହା ଆଶଙ୍କା କରିଛନ୍ତି ଯେ, ଆସନ୍ତା ଦଶନ୍ଧିରେ ଏହି ଧନୀ-ଦରିଦ୍ର ତାରତମ୍ୟ ଆମ ଦେଶରେ ଆହୁରି ଉତ୍କଟ ହେବ । ଏବେ ପ୍ରଶ୍ନ ହେଉଛି, ଆମେ ଏହି ତାରତମ୍ୟକୁ ହ୍ରାସ କରିପାରିବା କି ? ଏଥିପାଇଁ କ’ଣ ସବୁ କୌଣସି ବାଟ ରହିଛି ଯାହାକୁ ଉଭୟ ସରକାର ଓ ନାଗରିକ ଗ୍ରହଣ କରିବା ଜରୁରୀ ?
ସମାଜରେ ଅର୍ଥନୀତିକ ବିଭେଦିକରଣର କିଛି ଉଦାହରଣ ଏହି ସମସ୍ୟା ବା ଉଦ୍ବେଗକୁ ଯଥାର୍ଥ ଭାବେ ପ୍ରତିପାଦିତ କରିପାରିବ । ଏଗୁଡ଼ିକରୁ କିଛି ନିମ୍ନରେ ଦର୍ଶାଗଲା :
ଯଦି ଆମେ ଏକ ସୁତାକଳ କଥା ବିଚାର କରିବା, ତେବେ ସେଠାରେ କାମ କରୁଥିବା ଜଣେ ଶ୍ରମିକଙ୍କୁ ସମ୍ପୃକ୍ତ କମ୍ପାନୀର ମାଲିକ ରୋଜଗାର କରୁଥିବା ବର୍ଷକର ଆୟ ପାଇବାକୁ ହେଲେ ହାରାହାରି ୯୪୧ ବର୍ଷ କାମ କରିବାକୁ ପଡ଼ିବ ।
ଯଦି ଗ୍ରାମାଞ୍ଚଳର ଶିଳ୍ପ କଥା ବିଚାର କରିବା ତେବେ ଏହିଠାରେ କଠିନ ଶ୍ରମ କରୁଥିବା ଜଣେ ଶ୍ରମିକଙ୍କୁ ସେହି କାରଖାନାରେ କାମ କରୁଥିବା ଅତ୍ୟୁଚ୍ଚ ଦରମା ଭୋଗୀ କର୍ମଚାରୀଙ୍କ ବର୍ଷକର ରୋଜଗାର ରାଶି ହାସଲ କରିବାକୁ ହେଲେ ଅତିକମ୍ରେ ୫୦ ବର୍ଷ ନିରନ୍ତର ଶ୍ରମ କରିବାକୁ ପଡ଼ିବ ।
କୁହାଯାଉଛି ଯେ, ଭାରତ ଅତି ଦ୍ରୁତ ଗତିରେ ବିକାଶ କରୁଛି କିନ୍ତୁ ସେହି ଦ୍ରୁତ ଗତିରେ ଆମ ସମାଜରେ ଧନୀ ଓ ଦରିଦ୍ରଙ୍କ ଭିତରେ ଥିବା ଅର୍ଥନୀତିକ ତାରତମ୍ୟ ମଧ୍ୟ ବଢ଼ି ଚାଲିଛି । ପୁଣି ଏହି ବିଭେଦ କେବଳ ଆମ ଦେଶରେ ଯେ ସୀମିତ ତା’ ନୁହେଁ ଏହା ସମଗ୍ର ବିଶ୍ଵରେ ଏକ ପ୍ରମୁଖ ସମସ୍ୟା । ଅର୍ଥନୀତିଜ୍ଞ ମାନଙ୍କ ଅନୁସାରେ ଆସନ୍ତା କିଛି ବର୍ଷରେ ଏହି ବିଭେଦ ଆହୁରି ବଢ଼ିବ ଆଉ ଏହାକୁ ମୁକାବିଲା କରିବା ସମଗ୍ର ବିଶ୍ଵ ପାଇଁ ଏକ ବିଶାଳ ଆହ୍ବାନରେ ରୂପାନ୍ତରୀତ ହେବ।
କାହିଁକି ଏହା ଏକ ଆହ୍ବାନ ?
ବିଶ୍ଵ ଅର୍ଥନୀତିରେ ସାମ୍ପ୍ରତିକ ଅବସ୍ଥାକୁ ଅନୁଶୀଳନ କରି ଅର୍ଥନୀତିଜ୍ଞମାନେ ଏହି ମତ ଦେଇଛନ୍ତି ଯେ, ୨୦୩୦ ମସିହା ସୁଦ୍ଧା ସାରା ବିଶ୍ଵର ସମ୍ପଦ କେବଳ ୧ ପ୍ରତିଶତ ଜନସାଧାରଣଙ୍କ ହାତରେ ନିୟନ୍ତ୍ରିତ ହୋଇ ରହିବ । ଏ ଆଶଙ୍କାରୁ ଭାରତୀୟ ଅର୍ଥନୀତିକ ଅବସ୍ଥିତି କିଛି ଅଲଗା ହୋଇନାହିଁ ।
ମିଳିଥିବା ତଥ୍ୟ ଅନୁସାରେ, ଜାନୁୟାରୀ ୨୦୧୯ ସୁଦ୍ଧା ଆମ ଦେଶରେ ଆରବପତି ଧନୀକଙ୍କ ସଂଖ୍ୟା ହେଉଛି ୧୩୪ । ଏମାନଙ୍କ ପାଖରେ ୨୦୧୮ ମସିହା ସୁଦ୍ଧା ସମୁଦାୟ ୪,୮୯,୧୦୦ କୋଟି ଟଙ୍କାର ସମ୍ପତ୍ତି ଠୁଳ ହୋଇ ରହିଛି । ଏହା ସମୁଦାୟ ଦେଶର ଶିକ୍ଷା ଓ ସ୍ଵାସ୍ଥ୍ୟ ପାଇଁ ହେଉଥିବା ଖର୍ଚ୍ଚର ୮୫ ପ୍ରତିଶତ । ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଆଉ କେନ୍ଦ୍ର ସରକାରଙ୍କ ଜେଟ୍କୁ ହିସାବରେ ନିଆଯାଇଛି ।
ଅର୍ଥନୀତି ବିଷାରଦମାନେ ଏହା ସତର୍କ କରାଇଛନ୍ତି ଯେ, ଏହି ବିଭେଦକୁ ଯଦି ଆମେ ଆସନ୍ତା ଦଶନ୍ଧିରେ ଦୂର କରିବାକୁ ସଫଳ ନ ହେଉଛୁ ତେବେ ଦେଶରେ ସାମାଜିକ ଓ ରାଜନୀତିକ ଅସ୍ଥିରତା ସୃଷ୍ଟି ହେବ, ଚାରିଆଡ଼େ ଉତ୍ତେଜନା, ଶ୍ରେଣୀ ବିଭାଜନ ଜନିତ ଅସନ୍ତୋଷ ଦେଖାଦେବ । ଏହି ପ୍ରକାର ଅସାମନତାର ପରିଣାମ କ’ଣ
ହେବ ?
ଆମ ଦେଶର ଲୋକସଂଖ୍ୟା ହେଉଛି ୧୩୬ କୋଟି, ଏଥିରୁ ୨୧.୯ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି ।
ଯେହେତୁ ସମସ୍ତ ବିକାଶ ପାଇଁ ନିବେଶ ଏବଂ ସମ୍ପତ୍ତି ସହରରେ କେନ୍ଦ୍ରୀଭୂତ ହେଉଛି ଗ୍ରାମାଞ୍ଚଳ ଗୁଡ଼ିକ ପଛରେ ପଡ଼ିଯାଉଛି ।
କୃଷିଭିତ୍ତିକ ଅର୍ଥନୀତିରେ ପର୍ଯ୍ୟବସିତ ଭାରତର ସ୍ଥିତି ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛି । ଯାହାଦ୍ଵାରା ପ୍ରତିବର୍ଷ ଚାଷୀ ନୂଆ ଋଣରେ ଡୁବୁଛି ।
ଗୋଟିଏ ପଟେ ଶିଳ୍ପକୁ ଦକ୍ଷ ଲୋକ ମିଳୁ ନାହାନ୍ତି ଅନ୍ୟପଟରେ ଲକ୍ଷ ଲକ୍ଷ ଲୋକ କର୍ମ ସଂସ୍ଥାନ ଖୋଜି ଖୋଜି ବେକାର ପାଲଟୁଛନ୍ତି।
ଆପଣ ଜାଣିଛନ୍ତି କି?
କେନ୍ଦ୍ର ସରକାର ଧନୀ-ଦରିଦ୍ର ଭିତରେ ବଢ଼ୁଥିବା ତାରତମ୍ୟକୁ ନିୟନ୍ତ୍ରଣରେ ରଖିବା ଲାଗି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜନ ଧନ ଯୋଜନା, ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ଏବଂ ଷ୍ଟାଟ୍ ଅପ୍ ଇଣ୍ଡିଆ ଭଳି ଯୋଜନା ରୂପାୟନ କରିଛନ୍ତି ।
ନିତି ଆୟୋଗଙ୍କ ରିପୋର୍ଟ ଅନୁସାରେ, ମେଘାଳୟ, ମିଜୋରାମ ଏବଂ ତେଲେଙ୍ଗାନା ଭଳି ରାଜ୍ୟଗୁଡ଼ିକ ଏହି ଅର୍ଥନୀତିକ ତାରତମ୍ୟକୁ ହ୍ରାସ କରିବାରେ ସମଗ୍ରର ଭାରତ ବର୍ଷକୁ ଏକ ନୂଆ ଦିଶା ଦେଉଛନ୍ତି । ଆନ୍ଧ୍ର ପ୍ରଦେଶ ଏହି ତାଲିକାରେ ୧୫ତମ ରାଜ୍ୟ ଭାବେ ଅବତୀର୍ଣ୍ଣ । ସବୁ ଶ୍ରେଣୀରେ ଅନ୍ତର୍ନିହିତ ଅର୍ଥନୀତିକ ତାରତମ୍ୟ ।