ଶ୍ରୀନଗର: ଧାରା 370 ଉଚ୍ଛେଦ ପରେ ଜମ୍ମୁ ଓ କାଶ୍ମୀରରେ ପ୍ରଥମ ଆତଙ୍କବାଦୀ ହାମଲା ଘଟିଛି । ଏଥର ସେନା ନୁହେଁ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କୀ । ସୋମବାର ସନ୍ଧ୍ୟାରେ 2 ଜଣ ଲୋକଙ୍କୁ ଅପହରଣ କରିଛନ୍ତି ଆତଙ୍କବାଦୀ । ଏମାନଙ୍କ ମଧ୍ୟରୁ ବିଳମ୍ବିତ ରାତିରେ ଜଣକୁ ହତ୍ୟା କରିଥିବାର ସୂଚନା ରହିଛି ।
ମିଳିଥିବା ସୂତ୍ର ଅନୁସାରେ ସୋମବାର ସନ୍ଧ୍ୟା ପାଖାପାଖି ସାଢେ 7ଟାରେ ପୁଲୱାମା ଜିଲ୍ଲା ତ୍ରାଲ ଜଙ୍ଗଲରୁ 2 ଜଣ ଗୁଜ୍ଜର ସମ୍ପ୍ରଦାୟ ଲୋକଙ୍କୁ ଆତଙ୍କବାଦୀ ଅପହରଣ କରିନେଇଥିଲେ । ପୋଲିସ ଖବର ପାଇ ଏମାନଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ମିଳିନଥିଲେ । ତେବେ ବିଳମ୍ବିତ ରାତିରେ 2 ଅପହୃତାଙ୍କ ମଧ୍ୟରୁ ଜଣକୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି । ସେନା ଓ ପୋଲିସର ମିଳିତ ଟିମ ଦ୍ବାରା ସର୍ଚ୍ଚ ଅପରେସନ ଚାଲିଥିବାବେଳେ ଜଙ୍ଗଲରୁ ମୃତକକୁ ଉଦ୍ଧାର କରିଥିଲେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ ତେବେ ଦ୍ବିତୀୟ ଅପହୃତାଙ୍କ ସନ୍ଧାନ ଏପର୍ଯ୍ୟନ୍ତ ମିଳିନଥିବାବେଳେ ପୋଲିସ ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି । ସୂଚନାନୁସାରେ ମୃତକ ଜଣକ ରଜୌରୀର ଅବଦ୍ଦୁଲ କାଦିର କୋହଲି ହୋଇଥିବାବେଳେ ଅନ୍ୟଜଣକ ଶ୍ରୀନଗରର ଖନମୋହ ଅଞ୍ଚଳର ମନଜୁର ଅହମ୍ମଦ ବୋଲି ଜଣାପଡିଛି । ଧାରା 370 ଉଚ୍ଛେଦ ପରେ ସାଧାରଣ ଲୋକଙ୍କ ଉପରେ ଏହା ପ୍ରଥମ ଆକ୍ରମଣ । ପୂର୍ବରୁ ଅଗଷ୍ଟ 20ରେ ଏନକାଉଣ୍ଟରରେ ଜଣେ ପୋଲିସ କର୍ମୀ ଓ ଆତଙ୍କବାଦୀଙ୍କ ଜୀବନ ଯାଇଛି ।
ଏବେବି ଉପତ୍ୟକାର ବିଭିନ୍ନ ଅଞ୍ଚଳରେ କର୍ଫୁ ଜାରି ରହିଥିବାବେଳେ ଆତଙ୍କବାଦୀ ଲୁଚିଛପି ପୋଲିସ ଉପରେ ଆକ୍ରମଣ ଜାରି ରଖିଛନ୍ତି । ସେନାର କଟକଣା ଯୋଗୁଁ ଆତଙ୍କୀଙ୍କ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ । ଏହାସହ ଲୋକେ ମଧ୍ୟ ଆତଙ୍କୀଙ୍କୁ ଆଗଭଳି ସାହାଯ୍ୟ କରୁନାହାନ୍ତି । ଫଳରେ ସେମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ ବନାଉଛନ୍ତି ।