ଓଡିଶା

odisha

ETV Bharat / bharat

ଭାରତ-ବାଂଲାଦେଶ ମଧ୍ୟରେ ପ୍ରତିଷେଧକ ଟିକା ସଂପର୍କିତ ଆଲୋଚନା ଆଢୁଆଳରେ ରହିଯିବ କି ତୀସ୍ତା ?

କୋଭିଡ୍‌-19 ଭୂତାଣୁ ନିରୋଧୀ ପ୍ରତିଷେଧକ ଟିକାର ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷଣରେ ବାଂଲାଦେଶକୁ ଭାରତ ଅଗ୍ରାଧିକାର ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେବା ସହିତ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଂଲା, ବୁଧବାର ଦିନ ତାଙ୍କର ଅଚାନକ ଦୁଇଦିନିଆ ବାଂଲାଦେଶ ଗସ୍ତ ଶେଷ କରିଥିଲେ ମଧ୍ୟ ଅନ୍ତତଃ ଜଣେ ପର୍ଯ୍ୟବେକ୍ଷକଙ୍କ ମତରେ, ହୁଏତ ତୀସ୍ତା ନଦୀଜଳ ପରିଚାଳନା ନିମନ୍ତେ ଢାକାକୁ ପ୍ରାୟ 1 ବିଲିଅନ୍‌ (ଶହ କୋଟି) ଡଲାରର ଋଣ ମଞ୍ଜୁର କରିବା ଲାଗି ବେଜିଂ ନେଇଥିବା ନିଷ୍ପତ୍ତି ହିଁ ଏହି ଗସ୍ତର କାର୍ଯ୍ୟସୂଚୀରେ ସ୍ଥାନ ପାଇଥିଲା ।

corona vaccine
ଭାରତ-ବାଂଲାଦେଶ ମଧ୍ୟରେ ପ୍ରତିଷେଧକ ଟିକା ସଂପର୍କିତ ଆଲୋଚନା ଆଢୁଆଳରେ ରହିଯିବ କି ତୀସ୍ତା ?

By

Published : Aug 20, 2020, 7:08 AM IST

ନୂଆଦିଲ୍ଲୀ:କୋଭିଡ୍‌-19 ଭୂତାଣୁ ନିରୋଧୀ ପ୍ରତିଷେଧକ ଟିକାର ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷଣରେ ବାଂଲାଦେଶକୁ ଭାରତ ଅଗ୍ରାଧିକାର ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେବା ସହିତ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଂଲା, ବୁଧବାର ଦିନ ତାଙ୍କର ଅଚାନକ ଦୁଇଦିନିଆ ବାଂଲାଦେଶ ଗସ୍ତ ଶେଷ କରିଥିଲେ ମଧ୍ୟ ଅନ୍ତତଃ ଜଣେ ପର୍ଯ୍ୟବେକ୍ଷକଙ୍କ ମତରେ, ହୁଏତ ତୀସ୍ତା ନଦୀଜଳ ପରିଚାଳନା ନିମନ୍ତେ ଢାକାକୁ ପ୍ରାୟ 1 ବିଲିଅନ୍‌ (ଶହ କୋଟି) ଡଲାରର ଋଣ ମଞ୍ଜୁର କରିବା ଲାଗି ବେଜିଂ ନେଇଥିବା ନିଷ୍ପତ୍ତି ହିଁ ଏହି ଗସ୍ତର କାର୍ଯ୍ୟସୂଚୀରେ ସ୍ଥାନ ପାଇଥିଲା । ନିଜ ନାମ ପ୍ରକାଶ ନ କରିବା ସର୍ତ୍ତରେ, ଭାରତ-ବାଂଲାଦେଶ ସଂପର୍କ ଉପରେ ତୀକ୍ଷ୍‌ଣ ନଜର ରଖିଥିବା ଏହିପର୍ଯ୍ୟବେକ୍ଷକ ଜଣକ, ଇଟିଭି ଭାରତକୁ କହିଛନ୍ତି ଯେ, “(ଶ୍ରୀଲଙ୍କା) ଏହି ଗସ୍ତ କାର୍ଯ୍ୟସୂଚୀରେ ତୀସ୍ତା ଜଳ ପ୍ରସଙ୍ଗ ନିଶ୍ଚିତ ଭାବରେ ରହିଥିବ ।” ପର୍ଯ୍ୟବେକ୍ଷକ ଜଣକ କହିଲେ, “ଆମେ ଏହି ପ୍ରସଙ୍ଗକୁ ନେଇ ଚିନ୍ତିତ ବୋଲି ଭାରତ ହୁଏତ ସେମାନଙ୍କୁ କହିଥାଇପାରେ ।”

ବିଶ୍ବ ମହାମାରୀ ସଂପର୍କିତ ବିଭିନ୍ନ କଟକଣା ଲାଗୁ ହେବା ପରବର୍ତ୍ତୀ ସମୟରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତରେ ଆସି ଶ୍ରୀଂଲା ମଙ୍ଗଳବାର ଦିନ ଢାକାରେ ପହଞ୍ଚିଥିଲେ ଏବଂ ବୁଧବାର ଦିନ ବାଂଲାଦେଶ ବୈଦେଶିକ ସଚିବ ମାସୁଦ ବିନ ମୋମେନ୍‌ଙ୍କ ସହିତ ବୈଠକରେ ଯୋଗ ଦେବା ପରେ ଗଣମାଧ୍ୟମକୁ କହିଥିଲେ ଯେ, ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସ୍ତରରେ ଥିବା କୋଭିଡ୍‌-19 ପ୍ରତିଷେଧକ ଟିକାକୁ ଭାରତ ପ୍ରାଥମିକତା ଭିତ୍ତିରେ ବାଂଲାଦେଶକୁ ପ୍ରଦାନ କରିବ । ତାଙ୍କର ଏହି ଅଚାନକ ଏବଂ ସଂକ୍ଷିପ୍ତ ଗସ୍ତକୁ “ଖୁବ୍‌ ସନ୍ତୋଷଜନକ” ବୋଲି ବର୍ଣ୍ଣନା କରିବା ସହିତ ଶ୍ରୀଂଲାଙ୍କ ବିବୃତି ଉଦ୍ଧାର କରି ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ, “ଯେତେବେଳେ ଏକ ପ୍ରତିଷେଧକ ଟିକା ପ୍ରସ୍ତୁତ ହୋଇଯିବ, ବନ୍ଧୁ, ଅଂଶୀଦାର ଏବଂ ପଡ଼ୋଶୀମାନଙ୍କୁ ଏହା ବିନା ସର୍ତ୍ତରେ ପ୍ରଦାନ କରାଯିବ.. ଆମେ ବାଂଲାଦେଶକୁ ସବୁବେଳେ ପ୍ରାଥମିକତା ଦେଇଆସିଛୁ ।” ପୂର୍ବରୁ ବାଂଲାଦେଶରେ ଭାରତର ହାଇକମିସନର ରୂପେ କାର୍ଯ୍ୟ ତୁଲାଇଥିବା ଭାରତୀୟ ବୈଦେଶିକ ସଚିବ କହିଲେ ଯେ, ବିଶ୍ବର 60 ପ୍ରତିଶତ ଟିକା ପ୍ରସ୍ତୁତ କରୁଥିବା ଭାରତରେ ଏବେ ଏହି ଟିକା ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ ଆଗକୁ ଏହାକୁ ପ୍ରଚୁର ପରିମାଣରେ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ତାଙ୍କ ବିବୃତ୍ତିରେ ମୋମେନ କହିଲେ ଯେ, ତାଙ୍କ ଦେଶରେ ଏହି ପ୍ରତିଷେଧକ ଟିକାର ପରୀକ୍ଷଣ ଆରମ୍ଭ କରିବାରେ ସହଯୋଗ କରିବାକୁ ବାଂଲାଦେଶ ପ୍ରସ୍ତୁତ ରହିଛି । ସେ କହିଲେ, “ସେମାନେ (ଭାରତ) ଆମକୁ କହିଛନ୍ତି ଯେ ଏହି ପ୍ରତିଷେଧକ ଟିକା କେବଳ ଭାରତ ପାଇଁ ତିଆରି କରାଯିବ ନାହିଁ, ବରଂ, ପ୍ରାଥମିକ ପର୍ଯ୍ୟାୟରେ ହିଁ ଏହା ବାଂଲାଦେଶରେ ଉପଲବ୍‌ଧ ହେବ ।” ବିଶ୍ବ ମହାମାରୀର ପ୍ରାଦୁର୍ଭାବ ଦେଖାଦେବା ପରେ ଭାରତ ବାଂଲାଦେଶକୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (PPE) ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟରକ୍ଷା ଉପକରଣ ଏବଂ ଟାବ୍‌ଲେଟ୍‌ ପ୍ରଦାନ କରିଥିଲା । ମଙ୍ଗଳବାର ଦିନ ମୋମେନ୍‌ କହିଲେ ଯେ, ଚୀନରେ ହେଉ କି ରୁଷିଆରେ କିମ୍ବା ଆମେରିକାରେ, ଯେ କୌଣସି ଦେଶରେ ଉପଲବ୍‌ଧ ସମସ୍ତ ପ୍ରତିଷେଧକ ଟିକା ପାଇବା ଲାଗି ବାଂଲାଦେଶ ଚାହୁଁଛି । ମଙ୍ଗଳବାର ରାତିରେ ଢାକାରେ ପହଞ୍ଚିବା ପରେ ଶ୍ରୀଂଲା ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଏବଂ ଦକ୍ଷିଣ ଏସିଆର ଏହି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କକୁ ଆହୁରି ମଜଭୁତ କରିବା ସକାଶେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଏକ ବ୍ୟକ୍ତିଗତ ବାର୍ତ୍ତା ତାଙ୍କୁ ପ୍ରଦାନ କରିଥିଲେ ।

ବୁଧବାର ଦିନ ମୋମେନଙ୍କ ସହିତ ବୈଠକ ପରେ ହାସିନାଙ୍କ ସହିତ ତାଙ୍କର ଘଣ୍ଟାଏ କାଳ ବୈଠକ ସଂପର୍କରେ ଉଲ୍ଲେଖ କରି ଶ୍ରୀଂଲା କହିଲେ ଯେ ବିଶ୍ବ ମହାମାରୀ ସମୟରେ ମଧ୍ୟ ଭାରତ-ବାଂଲାଦେଶ ମଧ୍ୟରେ ରହିଥିବା ସୁସଂପର୍କକୁ ଆଗେଇ ନେବା ପାଇଁ ମୋଦି ତାଙ୍କୁ ଢାକାକୁ ପଠାଇଛନ୍ତି । ସେ କହିଲେ, “ମୁଁ ଏଠାକୁ ଆସିବାର କାରଣ ହେଉଛି ଆମ ପ୍ରଧାନ ମନ୍ତ୍ରୀ ଅନୁଭବ କଲେ ଯେ, କୋଭିଡ୍‌ ସମୟରେ ସେତେ ବେଶୀ ଯୋଗାଯୋଗ ସ୍ଥାପନ ହୋଇପାରୁନାହିଁ ସତ, କିନ୍ତୁ ସଂପର୍କ ଅବ୍ୟାହତ ରହିବା ଆବଶ୍ୟକ ।” “ଆମେ ଆମର ଦୃଢ଼ ଦ୍ବିପାକ୍ଷିକ ସଂପର୍କକୁ ଅବ୍ୟାହତ ରଖି ଆଗକୁ ବଢ଼ିବା ଆବଶ୍ୟକ ଏବଂ ପ୍ରାଥମିକ ଭାବେ କେବଳ ସେହି କଥାକୁ ଦୃଷ୍ଟିରେ ରଖି ମୁଁ ଏଠାକୁ ଆସିଛି ।” ବାଂଲାଦେଶର ବିକାଶରେ ଭାରତ ଏକ ପ୍ରମୁଖ ସହାୟତାକାରୀ ଅଂଶୀଦାର ରୂପେ ଯୋଗ ଦେଇଆସିଛି ଏବଂ ଉଭୟ ଦେଶର ନାଗରିକମାନଙ୍କ ମଧ୍ୟରେ ସ୍ଥାପିତ ସଂପର୍କକୁ ପ୍ରୋତ୍ସାହିତ କରିବା ବ୍ୟତୀତ ବିଭିନ୍ନ ପ୍ରମୁଖ ଯୋଗାଯୋଗ ପ୍ରକଳ୍ପରେ ଉଭୟ ପକ୍ଷ ଏକତ୍ର କାର୍ଯ୍ୟ କରୁଛନ୍ତି ।

2020-21ରେ ବାଂଲାଦେଶର ପ୍ରତିଷ୍ଠାତା ନେତା ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସକାଶେ ଉଭୟ ପକ୍ଷ ମିଳିତ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହା ବ୍ୟତୀତ, ଆସନ୍ତା ବର୍ଷ ଉଭୟ ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୈତିକ ସଂପର୍କ ସ୍ଥାପନର 50 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯିବ । ଯଦିଓ କୋଭିଡ୍‌-19 ପ୍ରତିଷେଧକ ଟିକା ପ୍ରସ୍ତୁତି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ସ୍ଥାପନ ହିଁ ଶ୍ରୀଂଲାଙ୍କ ଗସ୍ତର ମୂଳ ଉଦ୍ଦେଶ୍ୟ ଥିଲା ବୋଲି କୁହାଯାଉଛି, ତଥାପି, ଲଦାଖରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ପରିପ୍ରେକ୍ଷୀରେ ବାଂଲାଦେଶ ଉପରେ ପ୍ରଭାବ ବିସ୍ତାର ଲାଗି ବେଜିଂର ଉଦ୍ୟମକୁ ପ୍ରତିହତ କରିବା ତାଙ୍କର ଏହି ଅଚାନକ ଗସ୍ତର ଉଦ୍ଦେଶ୍ୟ ଥିଲା ବୋଲି ବିଭିନ୍ନ ମହଲରେ ଅନୁମାନ କରାଯାଉଛି ।

ପୂର୍ବରୁ, ଚୀନର ସିନୋଭାକ୍‌ ବାୟୋଟେକ୍‌ ଲିମିଟେଡ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କୋଭିଡ୍‌-19 ପ୍ରତିଷେଧକ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରିବା ପ୍ରସ୍ତାବକୁ ବାଂଲାଦେଶର ସରକାରୀ ଭେଷଜ ଗବେଷଣା ସଂସ୍ଥା ଅନୁମୋଦନ କରିଥିଲା । କିନ୍ତୁ ଏହି ଅନୁମୋଦନକୁ ଏବେ ସ୍ଥଗିତ ରଖାଯାଇଛି । ତୀସ୍ତା ନଦୀ ଜଳ ପରିଚାଳନା ନିମନ୍ତେ ଢାକାକୁ ବେଜିଂ 1 ବିଲିଅନ୍‌ ଡଲାର ଋଣ ପ୍ରଦାନ ଲାଗି ନେଇଥିବା ନିଷ୍ପତ୍ତି, ନୂଆଦିଲ୍ଲୀ ପାଇଁ ନୂଆ ମୁଣ୍ଡବ୍ୟଥାର କାରଣ ହୋଇଛି । ଏହି ଦକ୍ଷିଣ ଏସୀୟ ଦେଶର ନଦୀ ଜଳ ପରିଚାଳନା କ୍ଷେତ୍ରରେ ପ୍ରଥମ ଥର ପାଇଁ ଚୀନ ସଂପୃକ୍ତ ହୋଇଛି । ଯଦିଓ ବାଂଲାଦେଶ ଭାରତର ନିକଟତମ ପଡ଼ୋଶୀ, ତଥାପି, ବହୁ ଦଶନ୍ଧି ଧରି ତୀସ୍ତା ନଦୀଜଳ ବଣ୍ଟନ ପ୍ରସଙ୍ଗକୁ କେନ୍ଦ୍ର କରି ଦୁଇ ଦେଶ ମଧ୍ୟରେ ଏକ ବିବାଦୀୟ ସ୍ଥିତି ଲାଗି ରହିଛି । 2011ରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂହଙ୍କ ଢାକା ଗସ୍ତ ଅବସରରେ ଭାରତ ଓ ବାଂଲାଦେଶ ମଧ୍ୟରେ

ତୀସ୍ତା ନଦୀଜଳ ବଣ୍ଟନ ସଂପର୍କିତ ଏକ ବୁଝାମଣା ପ୍ରାୟତଃ ସ୍ବାକ୍ଷରିତ ହେବାକୁ ଯାଉଥିଲା । କିନ୍ତୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧ ଯୋଗୁଁ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଥିଲା । ହିମାଳୟ ପର୍ବତମାଳାର ପୂର୍ବ ଦିଗରୁ ବାହାରିଥିବା ତୀସ୍ତା ନଦୀ ଭାରତର ସିକ୍କିମ ଓ ପଶ୍ଚିମ ବଙ୍ଗ ରାଜ୍ୟ ଦେଇ ପ୍ରବାହିତ ହେବା ପରେ ବାଂଲାଦେଶରେ ପ୍ରବେଶ କରିଛି । ଯଦିଚ ଏହା ବାଂଲାଦେଶର ସମତଳ ଅଞ୍ଚଳରେ ବନ୍ୟାର ଏକ ସ୍ରୋତ, ହେଲେ ଶୀତ ଋତୁରେ ପ୍ରାୟ ଦୁଇ ମାସ ଧରି ଏହା ଶୁଷ୍କ ରହିଥାଏ । ଉଭୟ ଦେଶର ସୀମାରେ ଅବସ୍ଥିତ ଫାରାକ୍କା ବ୍ୟାରେଜ୍‌ ନିକଟସ୍ଥ ଭୂପୃଷ୍ଠ ଜଳ ବଣ୍ଟନ ନିମନ୍ତେ 1996ରେ ସଂପାଦିତ ‘ଗଙ୍ଗା ନଦୀଜଳ ଚୁକ୍ତିନାମା’ ଅନୁରୂପ ଢାଞ୍ଚାରେ ତୀସ୍ତା ନଦୀଜଳର ଏକ ‘ନ୍ୟାୟସଂଗତ’ ବଣ୍ଟନ ଲାଗି ବାଂଲାଦେଶ ଇଚ୍ଛାପ୍ରକାଶ କରିଆସୁଛି । ହେଲେ ଏହା ଏ ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ ।

ଦୁଇ ଦେଶ ମଧ୍ୟରେ ଅନ୍ତଃସୀମାନ୍ତ ବୁଝାମଣା ଉପରେ ସଂଲଗ୍ନ ଭାରତୀୟ ରାଜ୍ୟଗୁଡ଼ିକର ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଭାବ ରହିଆସିଥିବାରୁ ତୀସ୍ତା ନଦୀଜଳ ଚୁକ୍ତି ଅନୁମୋଦନରୁ ପଶ୍ଚିମ ବଙ୍ଗ ବିରତ ରହିଆସୁଛି ଏବଂ ଏହା ଫଳରେ ବୈଦେଶିକ ନୀତି ପ୍ରଣୟନରେ ବାଧା ସୃଷ୍ଟି ହୋଇଛି । ଏବେ, ବୃହତ୍‌ ରଙ୍ଗପୁର ଅଞ୍ଚଳରେ ବାଂଲାଦେଶ ପକ୍ଷରୁ ପ୍ରସ୍ତୁତ ତୀସ୍ତା ନଦୀର ବ୍ୟାପକ ପରିଚାଳନା ଏବଂ ପୁନରୁଦ୍ଧାର ପ୍ରକଳ୍ପ ପାଇଁ ଚୀନ ପାଖରୁ 85 କୋଟି 30 ଲକ୍ଷ ଡଲାରର ଋଣ ପାଇବା ଲାଗି ବାଂଲାଦେଶ ଆଗ୍ରହ ପ୍ରକାଶ କରିଛି ଏବଂ ବେଜିଂ ଏଥିରେ ସମ୍ମତ ହୋଇଛି । 98 କୋଟି 30 ଲକ୍ଷ ଡଲାରର ଏହି ପ୍ରକଳ୍ପରେ ତୀସ୍ତା ନଦୀର ଜଳ ସଂରକ୍ଷଣ ପାଇଁ ଏକ ବିଶାଳ ଜଳଭଣ୍ଡାର ନିର୍ମାଣର ପରିକଳ୍ପନା କରାଯାଇଛି । ପର୍ଯ୍ୟବେକ୍ଷକ ଜଣକ କହିଲେ, “ଯଦି ଏହା (ଚୀନ ଦ୍ବାରା ଆର୍ଥିକ ସହାୟତାରେ ନିର୍ମିତ ତୀସ୍ତା ଜଳ ପ୍ରକଳ୍ପ) ଯୋଗୁଁ ଆମ ଦେଶର ସୁରକ୍ଷା କ୍ଷେତ୍ର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଭାରତ ଅନୁଭବ କରେ, ତେବେ ନୂଆଦିଲ୍ଲୀ ପାଲଟା ପଦକ୍ଷେପ ନେବା ଦିଗରେ ବିଚାର କରିବ ।”

ବାଂଲାଦେଶର ନୌବାହିନୀକୁ ଦୁଇଟି ବୁଡ଼ାଜାହାଜ ଯୋଗାଇ ଦେବା ସମେତ କକ୍‌ସ ବଜାରସ୍ଥିତ ପେକୁଆରେ ବିଏନ୍‌ଏସ୍‌ ଶେଖ ହାସିନା ବୁଡ଼ାଜାହାଜ ଘାଟି ନିର୍ମାଣ ଭଳି ପ୍ରତିରକ୍ଷା ପ୍ରକଳ୍ପକୁ ଭାରତର ପୂର୍ବ ପଟରେ ଅବସ୍ଥିତ ପଡ଼ୋଶୀ ଦେଶରେ ଚୀନ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରୁଛି । ଭାରତ ପାଇଁ ଆଉ ଏକ ଚିନ୍ତାର ବିଷୟ ହେଉଛି ଯେ ଚୀନ୍‌ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ମାନସ ସନ୍ତାନ ରୂପେ ଅଭିହିତ ବେଲ୍‌ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (BRI)କୁ ମଧ୍ୟ ବାଂଲାଦେଶ ପ୍ରଧାନ ମନ୍ତ୍ରୀ ହାସିନା ସ୍ବୀକାର କରିନେଇଛନ୍ତି । BRIର ଅନ୍ୟତମ ପ୍ରମୁଖ ପ୍ରକଳ୍ପ ଚାଇନା ପାକିସ୍ତାନ ଇକୋନୋମିକ୍‌ କରିଡର (CPEC), ପାକିସ୍ତାନ ଅଧିକୃତ କାଶ୍ମୀର ମଧ୍ୟ ଦେଇ ଯାଉଥିବାରୁ ଭାରତ ଏହି ପ୍ରକଳ୍ପରେ ଭାଗ ନେବାକୁ ମନା କରିଦେଇଛି । ଦକ୍ଷିଣ ଏସିଆର ଅନ୍ୟାନ୍ୟ ଦେଶ ତୁଳନାରେ ବାଂଲାଦେଶ ସହ ଭାରତର ଘନିଷ୍ଠ ସଂପର୍କ ରହିଥିବା ସତ୍ତ୍ବେ ବଙ୍ଗୋପସାଗରରେ ଚୀନର ସାମୁଦ୍ରିକ ପରିଚାଳନା ଯୋଜନାରେ ସହାୟତା କରିବାକୁ ଢାକା ରାଜି ହୋଇଛି । ଇଟିଭି ଭାରତ ସହ ବାର୍ତ୍ତାଳାପ ଅବସରରେ ପର୍ଯ୍ୟବେକ୍ଷକ ଜଣକ କହିଲେ, “ବାଂଲାଦେଶ ଉପରେ ଚୀନର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି ଏବଂ ଚୀନ କଥାରେ ହିଁ ଢାକା ଗୋଟି ଚାଳନା କରୁଛି ।”

ଅରୁଣିମ ଭୁୟାଁ

ABOUT THE AUTHOR

...view details