ମୁମ୍ବାଇ: ଏକବିଂଶ ଶତାବ୍ଦୀର ଏହି ଆଧୁନିକ ଯୁଗରେ ମଣିଷ ଯାଇ ଚନ୍ଦ୍ରରେ ପହଞ୍ଚିଥିବାବେଳେ ଆଜି ବି ଅନେକ ସ୍ଥାନରେ ଘୋଟି ରହିଛି ଅନ୍ଧବିଶ୍ବାସର ଅନ୍ଧକାର । ଯାହାର ବଶବର୍ତ୍ତୀ ହୋଇ ସେ କରି ପକାଏ ଏମିତି କିଛି କାମ ଯାହା ବିଶ୍ବାସର ବହିର୍ଭୁତ । ଏମିତି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ଜଲଗାଁଓ ଜିଲ୍ଲାରେ । ଜୀବନ ଫେରିପାଇବା ଆଶାରେ ଡାକ୍ତରଖାନା ଭିତରେ ଦୁଇ ବାଳକଙ୍କୁ ଲୁଣରେ ପୋତିଲେ ପରିବାର ଲୋକେ ।
ସୂଚନା ଅନୁସାରେ ଜଲଗାଁଓ ଜିଲ୍ଲାର ମେହୁଲ ଜଳପ୍ରପାତରେ ପହଁରିବା ପାଇଁ ଯାଇଥିବା ଦୁଇଜଣ ବାଳକ ମହମ୍ମଦ ଓମାର ଜାକି ଅହମଦ(12 ବର୍ଷ) ଓ ମହମ୍ମହ ଅବୁଲୈସ ଜାକି ଅହମଦ(16 ବର୍ଷ)ଙ୍କ ପାଣିରେ ବୁଡିଯିବାରୁ ମୃତ୍ୟୁ ହୋଇଥିଲା । ତେବେ ଉଭୟଙ୍କ ଜୀବନ ଫେରିବା ଆଶାରେ ଜିଲ୍ଲା ସରକାରୀ ଡାକ୍ତରଖାନାରେ ସେମାନଙ୍କ ମୃତଦେହକୁ ରାତି ସାରା ଲୁଣରେ ଘୋଡାଇ ରଖାଯାଇଥିଲା ।
ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ କାରଣ ମୃତକଙ୍କ ପରିବାର ଲୋକେ ଶୁଣିଥିଲେ ଯେ ଜଣେ ବ୍ୟକ୍ତିର ଯଦି ପାଣିରେ ବୁଡି ମୃତ୍ୟୁ ହୁଏ, ତେବେ ତିନି ଚାରି ଘଣ୍ଟା ପର୍ଯ୍ୟନ୍ତ ତାର ଜୀବିତ ହେବା ନେଇ ଆଶା ରହିଥାଏ । ପାଣିରେ ବୁଡିଥିବା ଲୋକକୁ ଯଦି ଅଧା କ୍ବିଣ୍ଟାଲ ଲୁଣରେ ଘୋଡାଇ ରଖାଯାଏ, ତେବେ ତାର ଜୀବନ ଫେରିବ । ଏହି କଥାକୁ ବିଶ୍ବାସ କରି ଘର ଲୋକେ ବାଳକଙ୍କ ମୃତଦେହକୁ ଲୁଣରେ ଘୋଡାଇ ରଖିବାକୁ ଚାହିଁଥିଲେ । ରାତି ସମୟ ହୋଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନଥିଲା । ତେଣୁ ଡାକ୍ତର ମଧ୍ୟ ପରିବାର ଲୋକଙ୍କୁ ଏଥିପାଇଁ ଅନୁମତି ଦେଇଦେଇଥିଲେ । ଏହାପରେ ରାତି ସାରା ଜୀବନ ଫେରିବା ଆଶାରା ଉଭୟ ନାବାଳକଙ୍କ ମୃତଦେହକୁ ଲୁଣରେ ଘୋଡାଇ ରଖିଥିଲେ ପରିବାର ଲୋକେ ।
କିନ୍ତୁ ଅନ୍ଧବିଶ୍ବାସ କେବେ କାହାକୁ ନା ଜୀବନ ଦେଇଛି ନା ଦେଇ ପାରିବ । ଏଠାରେ ମଧ୍ୟ ସମାନ ଘଟଣା ଘଟିଥିଲା ଓ ଶେଷରେ କୋହଭରା ଚିତ୍କାର କରି ଉଠିଥିଲେ ପରିବାର ଲୋକେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏପରି କାର୍ଯ୍ୟ ପାଇଁ ଉଚ୍ଚ ଶିକ୍ଷିତ ଡାକ୍ତର ମଧ୍ୟ ଅନୁମତି ଦେଲେ କିପରି ?