ଅଯୋଧ୍ୟା: ଅଗଷ୍ଟ 5ରେ ଅଯୋଧ୍ୟାରେ ବହୁ ପ୍ରତିକ୍ଷୀତ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ହେବ ମନ୍ଦିର ନିର୍ମାଣର ଶୁଭ ଭୂମିପୂଜା। ସମାରୋହ ଅଭିଜାତ ମୁହୂର୍ତ୍ତରେ ଅର୍ଥାତ୍ ସକାଳ 11ଟାରୁ ଦିନ ସାଢେ 1ଟା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି। ବୈଦିକ ବେଳା ଓ ନକ୍ଷତ୍ର କାରଣରୁ ଏହି ସବୁଠାରୁ ପବିତ୍ର ସମୟ ବୋଲି ସ୍ଥିର କରାଯାଇଛି। ରାମ ମନ୍ଦିର ନିର୍ମାଣ କାମ ଥରେ ଆରମ୍ଭ ହୋଇଗଲେ ଏହି ସୁପ୍ରସିଦ୍ଧ ଦେବାଳୟର ନିର୍ମାଣ ସାଢେ 3 ବର୍ଷରେ ଶେଷ ହୋଇଯିବ ଏବଂ ବିଶ୍ବରେ ଏହା ସବୁଠାରୁ ଅନ୍ୟତମ ବିଶାଳ ହିନ୍ଦୁ ମନ୍ଦିର ଭାବେ ପରିଗଣିତ ହେବ।
ଭୂମି ପୂଜାରୁ ରାମ ମନ୍ଦିର ନିର୍ମାଣ, କେମିତି ରହିଛି ପ୍ରସ୍ତୁତି ଦେଖନ୍ତୁ.. ଭୂମି ପୂଜନ କ’ଣ ?
ଭୂମିପୂଜା ହେଉଛି ଏକ ପାରମ୍ପରିକ ନୀତି, ଯାହାକି କୌଣସି ନିର୍ମାଣ କାର୍ଯ୍ୟ, କୃଷି କାମ ପାଇଁ ଜମିରେ ହଳ କରିବା ପୂ୍ର୍ବରୁ କରାଯାଇଥାଏ। ହିନ୍ଦୁ ଶାସ୍ତ୍ରରେ ମାଟି ମା ଏବଂ ପ୍ରକୃତିକୁ ଅତ୍ୟନ୍ତ ଶୁଭ ବିଚାର କରାଯାଇଥାଏ। ସୁତରାଂ କୋଣସି ମନ୍ଦିର କିମ୍ବା ଘର/ବ୍ୟବସାୟ/କଳକାରଖାନା, ପ୍ରକଳ୍ପର ନିର୍ମାଣ କାମ ଆରମ୍ଭ କରିବା ପୂର୍ବରୁ ମାଟି ମା(ଭୂଦେବୀ)ଙ୍କର ଆଶୀର୍ବାଦ ନିଆଯାଇଥାଏ।
ପ୍ରତିଷ୍ଠିତ ମନ୍ଦିରର ଗଠନ ପ୍ରଣାଳୀ
ପ୍ରସ୍ତାବିତ ରାମ ମନ୍ଦିରର ମୂଳଦୂଆ 15 ଫୁଟ ଗଭୀର ରହିବ। ଏଥିରେ 8ଟି ସ୍ତର ରହିବ ଏବଂ ପ୍ରତି ସ୍ତର 2 ଫୁଟ ଚଉଡା ରହିବ। ରାମ ମନ୍ଦିରର ପ୍ରସ୍ତାବିତ ଉଚ୍ଚତା 161 ଫୁଟକୁ ବଢାଇ ଦିଆଯାଇଛି(ପୂର୍ବରୁ ପ୍ରସ୍ତାବ ଥିଲା 141 ଫୁଟ)। ମନ୍ଦିରର ଚଉଡା 140 ଫୁଟ ରହିବ। 69 ଏକର ଜମିରେ ନିର୍ମାଣ ହେଉଥିବା ଏହି ମନ୍ଦିରରେ 5ଟି ଗମ୍ବୁଜ ରହିବ, ଏହା ହେବ ବିଶ୍ବର ଏକମାତ୍ର ମନ୍ଦିର। ମନ୍ଦିରର ତିନିଟି ମହଲା ରହିବ। ପ୍ରତି ମହଲାରେ 106ଟି ଲେଖାଏଁ ସ୍ତମ୍ଭ ସହିତ ମନ୍ଦିରରେ ସର୍ବମୋଟ 318ଟି ସ୍ତମ୍ଭ ରହିବ। ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ସ୍ତମ୍ଭଗୁଡ଼ିକର ନିର୍ମାଣଶୈଳୀ ରହିବ। ସାଧୁସନ୍ଥଙ୍କ ପରାମର୍ଶ ନିଆଯାଇ ହନୁମାନ ଏବଂ କୃଷ୍ଣ ଆଦି ଭଗବାନଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ମନ୍ଦିର ପ୍ରଥମେ ଦୁଇ ମହଲା ହେବ ବୋଲି ସ୍ଥିର ହୋଇଥିଲା, କିନ୍ତୁ ମନ୍ଦିରର ଶୋଭା ବଢାଇବା ପାଇଁ ପରେ ଏହାକୁ ତିନି ମହଲା କରିବାକୁ ସ୍ଥିର ହୋଇଥିଲା। ଭକ୍ତମାନେ ଯେପରି ବସି ପୂଜାର୍ଚ୍ଚନା କରି ପାରିବେ ସେଥିପାଇଁ ମନ୍ଦିର ଭିତରେ ଅନେକ ସ୍ଥାନ ରଖାଯିବ। ଭକ୍ତମାନେ ଯେପରି ମନ୍ଦିର ପରିକ୍ରମା କରିପାରିବେ ସେହି ଆକାରରେ ମନ୍ଦିର ଗଠନ କରାଯିବ। ମନ୍ଦିରର ପାଞ୍ଚଟି ଦ୍ବାର ରହିବ। ସିଂହଦ୍ବାର, ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ପୂଜା ପ୍ରକୋଷ୍ଠ ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପରିକ୍ରମା ସହିହତ ‘ଗର୍ଭ ଗୃହ’। ରାମ ଲାଲାଙ୍କ ବିଗ୍ରହ ତଳ ମହଲାରେ ବିରାଜମାନ ହେବେ।
ମନ୍ଦିର ପାଇଁ ଇଟା, ବାଲି ଓ ମାଟି
ମନ୍ଦିରର ଭୂମିପୂଜାରେ ଗୟା ଧାମରୁ ଆସିଥିବା 40 କେଜି ଓଜନର ଏକ ରୁପା ଇଟା ଏବଂ ଫାଲଗୁ ନଦୀର ବାଲି ବ୍ୟବହୃତ ହେବ। ଭୂମିପୂଜା ସମୟରେ ମନ୍ଦିରର ପବିତ୍ର ସ୍ଥଳ ଭିତରେ 5ଟି ରୂପା ଇଟା ଖଞ୍ଜାଯିବ। ହିନ୍ଦୁ ପୁରାଣ ଅନୁଯାୟୀ ଏହି ପାଞ୍ଚଟି ଇଟାକୁ ପଞ୍ଚ ଗ୍ରହର ପ୍ରତୀକ ଭାବେ ବିଶ୍ବାସ କରାଯାଉଛି। ପବିତ୍ର ଗଙ୍ଗା,ଯମୁନା ଓ ସରସ୍ବତୀର ସଂଗମ ସ୍ଥଳରୁ ମାଟି ଓ ପାଣି ଭୂମି ପୂଜା ପାଇଁ ଅଯୋଧ୍ୟା ଅଣାଯିବ। ବିଭିନ୍ନ ମନ୍ଦିର ଓ ଗୁରୁଦ୍ବାରା ଆଦି 11ଟି ପବିତ୍ର କ୍ଷେତ୍ରରୁ ମାଟି ଓ ବାଲି ମଧ୍ୟ ଭୂମି ପୂଜାରେ ବେଳେ ବ୍ୟବହାର ହେବ।
ରାମ ମନ୍ଦିର ପରିସର
ପ୍ରସ୍ତାବିତ ରାମ ମନ୍ଦିର 10 ଏକର ଜମିରେ ନିର୍ମାଣ ହେବ ଏବଂ ଅବଶିଷ୍ଟ 57 ଏକର ରାମ ମନ୍ଦିର କଂପ୍ଲେକ୍ସ ଆକାରରେ ବିକାଶ କରାଯିବ। ମନ୍ଦିର ହତା ମଧ୍ୟରେ 27ଟି ନକ୍ଷତ୍ର ବୃକ୍ଷ ରୋପଣ କରାଯିବ। ‘ନକ୍ଷତ୍ର ବାଟିକା’ର ମୂଳ ଲକ୍ଷ୍ୟ ହେବ ଲୋକେ ସେମାନଙ୍କ ଜନ୍ମଦିନରେ ଗଛମୂଳେ ବସି ଧ୍ୟାନ କରିପାରିବେ ଏବଂ ବୃକ୍ଷମୂଳେ ବସି ପ୍ରଭୁଙ୍କର ପ୍ରାର୍ଥନା କରି ପାରିବେ। ରାମ ମନ୍ଦିର ମୂଳଦୂଆ ନିର୍ମାଣରେ କଂକ୍ରିଟ ଏବଂ ମୋରାଙ୍ଗ ନାମରେ ଏକ ନିର୍ମାଣ ସାମଗ୍ରୀ ବ୍ୟବହାର କରାଯିବ। ଲୁହା ସାମଗ୍ରୀ ବ୍ୟବହୃତ ହେବନାହିଁ। ଇତିମଧ୍ୟରେ ବାଲ୍ମିକୀ ରାମାୟଣରେ ଦର୍ଶାଯାଇଥିବା ଅନେକ ବୃକ୍ଷ ରାମ ମନ୍ଦିର ହତା ଭିତରେ ରୋପଣ କରାଯିବ ଏବଂ ପୂରା ଅଞ୍ଚଳକୁ ବାଲ୍ମିକୀ ରାମାୟଣଙ୍କ ନାଁରେ ନାମିତ କରାଯିବ। ପ୍ରଭୁ ରାମଙ୍କ ଜୀବନଲୀଳା ଏବଂ ବିଭିନ୍ନ ଦିଗକୁ ନେଇ ହତା ଭିତରେ ଏକ ‘ରାମକଥା କୁଞ୍ଜ ପାର୍କ’ ମଧ୍ୟ ନିର୍ମାଣ ହେବ। ରାମ ମନ୍ଦିର ନେଇ ହୋଇଥିବା ଖନନ ବେଳେ ଯାହାସବୁ ମିଳିଥିଲା ସେସବୁ ସାଇତି ରଖିବା ପାଇଁ ଏକ ସଂଗ୍ରହାଳୟ ମଧ୍ୟ ହତା ଭିତରେ ରହିବ। ଏଥିସହିତ ଗୋଶାଳା, ଧର୍ମଶାଳା ଏବଂ ଅନ୍ୟ କିଛି ମନ୍ଦିର ନିର୍ମାଣ ମଧ୍ୟ କରାଯିବ। ରାମ ମନ୍ଦିର ଭୂମି ପୂଜା ପାଇଁ ତମ୍ବାର ଏକ ପାତ୍ର ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ରାମ ମନ୍ଦିର ସଂକ୍ରାନ୍ତି ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂସ୍କୃତରେ ଉଲ୍ଲେଖ ରହିଛି। ମନ୍ଦିର ନାମ, ସ୍ଥାନ, ମନ୍ଦିର ଖୋଲାଯିବା ସମୟ ଆଦି ସମସ୍ତ ତଥ୍ୟ ତମ୍ବା ପ୍ଲେଟରେ ଉଲ୍ଳେଖ ରହିବ।
ମନ୍ଦିର ନିର୍ମାଣର ସ୍ଥପତି
ପ୍ରକଳ୍ପର ମୁଖ୍ୟ ସ୍ଥପତିକାର ଚନ୍ଦ୍ରକାନ୍ତ ସୋମପୁରାଙ୍କ ଦୁଇ ପୁଅ ସ୍ଥପତିକାର ନିଖିଳ ସୋମପୁରା ଏବଂ ଆଶିଷ ସୋମପୁରା ମନ୍ଦିର ନିର୍ମାଣର ନୂଆ ନକସା ପ୍ରସ୍ତୁତ କରିଛନ୍ତି। ମନ୍ଦିର ନିର୍ମାଣ ବାବଦରେ 300 କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ମନ୍ଦିର ଚତୁର୍ଦ୍ଦିଗରେ 20 ଏକର ଜମିର ବିକାଶ ବାବଦରେ 1 ହଜାର କୋଟି ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା ରହିଥିବା ଆକଳନ କରାଯାଇଛି। ଗତବର୍ଷ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ସର୍ବସମ୍ମତକ୍ରମେ ଦେଇଥିବା ରାୟରେ ବାବ୍ରି ମସଜିଦ ଭଙ୍ଗାଯାଇଥିବା ବିବାଦୀୟ 2.77 ଏକର ଜମି କେନ୍ଦ୍ର ସରକାରଙ୍କ ପାଖରେ ରଖିଛନ୍ତି। ମନ୍ଦିର ନିର୍ମାଣର ତିନି ମାସ ମଧ୍ୟରେ ଏହି ଜମି ମନ୍ଦିର ଟ୍ରଷ୍ଟକୁ ଦେବା ଲାଗି ନିର୍ଦ୍ଦେଶ ରହିଛି।