ସରନ: ପୂର୍ବ ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଥିବା ଏଲ୍ଏସି ନିକଟରେ ହୋଇଥିବା ମୁହାଁମୁହିଁ ପରିସ୍ଥିତିରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଛନ୍ତି । ଶହୀଦଙ୍କ ପରିବାର ଆଖିରେ ଲୁହ, ସାରା ଗାଁରେ ଶୋକାକୁଳ ପରିବେଶ, ଦେଶରେ ଚୀନ ବିରୋଧୀ ଆକ୍ରୋଶ । ଏପରିସ୍ଥଳେ ଭାରତ-ଚୀନ ମୁହାଁମୁହିଁ ହେବା ସ୍ଥାନରେ ନିୟୋଜିତ ଜଣେ ଯବାନଙ୍କ ପରିବାରର କାହାଣୀ ଏବେ ଚର୍ଚ୍ଚାରେ । ଯବାନଙ୍କ ଶହୀଦ ହେବା ଖବର ପରିବାରକୁ ମିଳିଥିଲା, ମାତ୍ର ପରବର୍ତ୍ତୀ ସମୟରେ ନିଜେ ଯବାନ ଜଣକ ଘରକୁ ଫୋନ କରି ସେ ବଞ୍ଚିଥିବା କହିଥିଲେ । ଏବେ ଲୁହ, କାନ୍ଦଣାରେ ଫାଟି ପଡୁଥିବା ଘରେ ଖୁସିର ମାହୋଲ ।
ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ବିହାର ସାରନ ଜିଲ୍ଲାର ଯବାନ ସୁନୀଲ କୁମାର ଭାରତ-ଚୀନ୍ ସୀମାରେ ଥିବା ଗଲୱାନ ଉପତ୍ୟକାରେ ହୋଇଥିବା ହିଂସାତ୍ମକ ଘଟଣାରେ ଶହୀଦ ହୋଇଥିବା ସୂଚନା ମିଳିଥିଲା । ଏହାପରେ ପରିବାର ଏବଂ ପୋଲିସ ଅଧିକାରୀଙ୍କୁ ସେନା ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ଖବର ପାଇବା ମାତ୍ରେ ତାଙ୍କ ପରିବାର ଓ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ମାତ୍ର ବୁଧବାର ସକାଳେ ସୁନୀଲ ତାଙ୍କ ପତ୍ନୀ ମେନେକା କୁମାରୀଙ୍କ ସହ କଥା ହୋଇଥିଲେ । ଏହାସହ ପତ୍ନୀଙ୍କୁ ଫୋନରେ କହିଥିଲେ ଯେ, ସେ ଭଲରେ ଅଛନ୍ତି, ଚିନ୍ତା କରିବାର କୌଣସି କାରଣ ନାହିଁ ।