ସିମଲା: ଦୁଇ ଦିନ ଧରି ଲାଗି ରହିଥିବା ବର୍ଷାରେ ହିମାଚଳ ପ୍ରଦେଶରେ ଜନଜୀବନ ବେଶ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀ,ନାଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସିରମୋର ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହେବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।
ବନ୍ୟାପାଣି ଭସାଇନେଲା କାର, ଅଳ୍ପକେ ବର୍ତ୍ତିଲେ 2ଜଣ - ବର୍ଷା ବିତ୍ପାତ
ହିମାଚଳ ପ୍ରଦେଶରେ ପୁଣିଥରେ ବର୍ଷା ବିତ୍ପାତ ଦେଖାଦେଇଛି । ଫଳରେ ଅଧିକାଂଶ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୁରଲା ନିକଟରେ ଏକ ନାଳରେ ବନ୍ୟା ପାଣି ଆସି ଏକ କାରକୁ ଭସାଇ ନେଇଛି । ମାତ୍ର ସେଥିରେ ଥିବା ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି ।
ମିଳିଥିବା ସୂଚନା ମୁତାବକ ଜିଲ୍ଲାର ସୁରଲା ଓ କୌଲାଓ୍ବାଭୁଣ୍ଡ ଅଞ୍ଚଳରେ ଯାଇଥିବା ନାଳରେ ବନ୍ୟା ଆସି ଏକ କାରକୁ ଭସାଇ ନେଇଥିଲା । ଉକ୍ତ କାରରେ ଥିବା ଦୁଇ ଜଣ ପାଟି କରିବାରୁ ଘଟଣାସ୍ଥଳରେ ଶତାଧିକ ଲୋକ ଜମା ହୋଇ ଯାଇଥିଲେ । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଯୁବକଙ୍କ ସହାୟତାରେ ଗାଡ଼ିରେ ଥିବା 2ଜଣଙ୍କୁ ଉଦ୍ଧାର କରାଯିବା ସହିତ ସେମାନଙ୍କୁ ରକ୍ଷା କରାଯାଇଥିଲା ।
ସେହିପରି ଉକ୍ତ ନାଳରେ ବନ୍ୟାପାଣି ମାଡ଼ିଯିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଘରେ ପାଣି ପଶିଯାଇଥିବା ସୂଚନା ମିଳିଛି । ପ୍ରବଳ ବର୍ଷାରେ ଫସଲରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି । ସେପଟେ ନଦୀକୁଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।