ଗାନ୍ଧୀନଗର: ସାନ ଭାଇ ଭଉଣୀଙ୍କୁ ପଢାଇବା ପାଇଁ ବଡ ଭାଇର ଆପ୍ରାଣ ଉଦ୍ୟମ । ନେତାଙ୍କଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ସଭିଙ୍କ ପାଖକୁ ଧାଇଁ ଧାଇଁ ଭାଇ ଭଉଣୀଙ୍କ ପଢା ପାଇଁ ଗୁହାରୀ କରିଥିଲା ଅହମ୍ମଦାବାଦର ଶାହିବୌଗସ୍ଥିତ ବସ୍ତିର 15 ବର୍ଷୀୟ ବିବେକ ଦାସ । କୁନି ବୟସରେ ଇଚ୍ଛା ଆଇଏଏସ ଅଫିସର ହେବା । ସାଥୀରେ ସ୍ବପ୍ନ ସାନ ଭାଇଭଉଣୀଙ୍କ ସରକାରୀ ସ୍କୁଲରେ ପାଠପଢା । ଏନେଇ ସରକାରୀ ବିଧି ବ୍ୟବସ୍ଥା ପଛରେ ଦୀର୍ଘ 6 ମାସ ଧାଇଁବା ପରେ ଶେଷରେ ବିବେକଙ୍କୁ ମିଳିଛି ସଂଘର୍ଷର ଫଳ ।
ଅହମ୍ମଦାବାଦଠାରୁ ଗାନ୍ଧୀନଗର ପର୍ଯ୍ୟନ୍ତ ଚାଲି ଚାଲି ସେ ନିଜ ଭାଇଭଉଣୀଙ୍କ ପଢା ପାଇଁ ଗୁହାରୀ କରିଥିଲେ । ହେଲେ ସମସ୍ତ ଜାଗାରେ ନିରାଶା ମିଳିବା ସତ୍ତ୍ବେ ବି ହାର ମାନିନଥିଲା ବିବେକ । ଏନେଇ ବାରମ୍ବାର ଚିଠି ଲେଖିଥିଲେ ବି କିଛି ସୁଫଳ ମିଳିପାରିନଥିଲା । ହେଲେ ଆଶାର କିରଣ ପରି ହଠାତ ଦିନେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ପାଖରୁ ବଢିଥିଲା ସହାୟତାର ହାତ ।