ରାୟପୁର: ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ ଅବସରରେ ଦେଶବାସୀଙ୍କୁ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ମୋଦିଙ୍କ ଆହ୍ବାନର ଠିକ୍ 5 ବର୍ଷ ପୂର୍ବରୁ ପ୍ଲାଷ୍ଟିକ ବିରୋଧରେ ଲଢେଇ ଆରମ୍ଭ କରିଥିଲା ଛତିଶଗଡର ଅମ୍ବିକାପୁର ନଗର ନିଗମ ।
ନଗର ନିଗମ ପକ୍ଷରୁ ଡୋର-ଟୁ-ଡୋର ଅଳିଆ ଆବର୍ଜନା ସଂଗ୍ରହ ସହ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଆରମ୍ଭ ହୋଇଥିଲା ଅଭିଯାନ । ବର୍ଜ୍ୟବସ୍ତୁ ପରିଚାଳନା ପାଇଁ 2014ରୁ ନଗର ନିଗମ ଆରମ୍ଭ କରିଥିବା ଏହି ପ୍ରୟାସ ଅନ୍ୟ ରାଜ୍ୟ ପାଇଁ ମଡେଲ ଭଳି ସାବ୍ୟସ୍ତ ହୋଇଛି । ଅନ୍ୟପକ୍ଷରେ ସହରର ସଂଗୃହିତ ହେଉଥିବା ଆବର୍ଜନା ଗୁଡିକୁ ନିଗମ ପ୍ରଥମେ ବିଭିନ୍ନ ଭାଗରେ ବିଭକ୍ତ କରେ । ପରେ ଏହାକୁ ପୁନଃ ବ୍ୟବହାର ପାଇଁ ବ୍ୟବସାୟୀଙ୍କୁ ବିକ୍ରି କରାଯାଏ ।
ବର୍ଜ୍ୟବସ୍ତୁରୁ ମିଳୁଥିବା ରଙ୍ଗୀନ ପଲଥିନ ଗୁଡିକୁ ସିମେଣ୍ଟ କାରାଖାନାକୁ ବିକ୍ରି କରାଯାଉଥିବା ବେଳେ ପଲିଥିନ ଓ ପ୍ଲାଷ୍ଟିକକୁ ପୁନଃବ୍ୟବହାର ଉପଯୋଗୀ କରାଯାଇ ବିକ୍ରି କରାଯାଇଥାଏ । ନଗର ନିଗମର ଏହି ପଦକ୍ଷେପ ଯୋଗୁଁ ପରିବେଶ ସୁରକ୍ଷିତ ରହିବା ସହ ମହିଳାଙ୍କୁ ଯୋଗାଉଛି ରୋଜଗାରର ପନ୍ଥା । ସେପଟେ ବର୍ଜ୍ୟବସ୍ତୁ ପରିଚାଳନାରେ ନଗର ନିଗମ କେବଳ ଉଲ୍ଲେଖନୀୟ କାର୍ଯ୍ୟ କରିଛି ତାହା ନୁହେଁ, ଦେଶର ପ୍ରଥମ ଅଳିଆ କାଫେ ଖୋଲି ଭୋକିଲା ପେଟକୁ ଯୋଗାଉଛି ଆହାର ।