ଚେନ୍ନାଇ: ଆସନ୍ତା 18 ତାରିଖରେ ଚଳିତ ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ। ଯାହାକୁ ନେଇ ଉତ୍ସାହିତ ଅଛନ୍ତି ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁର ଭୋଟର । ଏହି ଦିନ ରାଜ୍ୟର ମୋଟ 39ଟି ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ମତ ଦେଇ ତାମିଲନାଡୁର ରଙ୍ଗନାଥପୁରମ ଜିଲ୍ଲାପାଳ କହିଛନ୍ତି ଯେ, ଚଳିତ ମାସ 18 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଜିଲ୍ଲାରେ ଅବାଧ, ସ୍ବଚ୍ଛ ଏବଂ ମୁକ୍ତ ନିର୍ବାଚନ କରିବା ପାଇଁ ରଙ୍ଗନାଥପୁରମ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତି ରହିଛି । ରାଜ୍ୟର ଭେଲୋର ଲୋକସଭା ଆସନରେ ମତଦାନ ହେବା ନେଇ ସନ୍ଦେହ ଦେଖାଦେଇଛି।
କାରଣ ସେଠାରେ ନିର୍ବାଚନ ପୂର୍ବରୁ ବିପୁଳ ପରିମାଣ ଟଙ୍କା ଜବତ ହୋଇଥିଲା । ଏହା ଦ୍ବାରା ନିର୍ବାଚନ ପ୍ରଭାବିତ ହେବାର ସମ୍ଭାବନା ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏପରିକି ନିର୍ବାଚନ ବାତିଲ ହେବା ନେଇ ଚର୍ଚ୍ଚା । ଏହା ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ସେଠାରେ ନିର୍ବାଚନ ହେବ।
ଏଥର ତାମିଲନାଡୁରେ ଦେଖିବାକୁ ମିଳିବ ଦ୍ବିମୁଖୀ ମୁକାବିଲା । ଦୁଇ ପ୍ରମୁଖ ଜାତୀୟ ଦଳ କଂଗ୍ରେସ ଏବଂ ବିଜେପି ଏହି ରାଜ୍ୟରେ ନିଜର ଆଞ୍ଚଳିକ ମେଣ୍ଟ ସହଯୋଗୀଙ୍କ ସହ ନିର୍ବାଚନକୁ ଓହ୍ଲାଇଛନ୍ତି । ଏଠାରେ ବିଜେପି ନେତୃତ୍ବାଧିନ ଏନଡିଏ ମେଣ୍ଟର ପ୍ରମୁଖ ସହଯୋଗୀ ହେଉଛି ଏଆଇଏଡିଏମ୍କେ । ସେହିପରି କଂଗ୍ରେସ, ଡିଏମକେ ସମେତ ଅନ୍ୟ ଦଳ ସହ ମେଣ୍ଟ କରି ନିର୍ବାଚନକୁ ଓହ୍ଲାଇଛନ୍ତି।
ତାମିଲନାଡୁକୁ ଛାଡି ଆସାମ, ବିହାର,ଛତିଶଗଡ, ଜାମ୍ମୁକାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ଓଡିଶା, ତ୍ରିପୁରା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ପଣ୍ଡିଚେରୀରେ ଭୋଟଗ୍ରହଣ କରାଯିବ ।