ନୂଆଦିଲ୍ଲୀ: ଦେଶର ଇତିହାସ ବଳିଦାନର ପୃଷ୍ଠାଭରା । ଶହ ଶହ ସଂଗ୍ରାମୀ ଏ ମାଟିରେ ଜନ୍ମି ଜନ୍ମଭୂମି ପ୍ରତି ସମର୍ପିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନ୍ୟତମ ଭଗତ ସିଂ । ଆଜି ବି ତାଙ୍କର ମହାନ କାମ ପିଢି ପରେ ପିଢିରେ ଅମର ହୋଇ ରହିଛି । ଏହି କ୍ରାନ୍ତିକାରୀ ଯବାନଙ୍କ ପାଇଁ ଭାରତ ଯୁବପିଢିଙ୍କୁ ପ୍ରେରଣା ଯୋଗାଇ ପାରିଛି । 1931 ମସିହା ଆଜିର ଦିନ(23 ମାର୍ଚ୍ଚ)ରେ କ୍ରାନ୍ତିକାରୀ ଭଗତ ସିଂ, ରାଜଗୁରୁ ଓ ସୁଖଦେବଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ହେଲେ ଆଖିରେ ନଥିଲା ଭୟ ବରଂ ଦେଶ ପାଇଁ ହସି ହସି ଦେଇଥିଲେ ପ୍ରାଣବଳି । ଆଜିର ଏହି ଦିନକୁ କ୍ରାନ୍ତିକାରୀ ଶହୀଦ ଦିବସ ରୂପେ ପାଳନ କରାଯାଉଛି ।
ଭଗତ ସିଂ 1907 ସେପ୍ଟେମ୍ବର 28ରେ ଜନ୍ମ ଗ୍ରହଣ କରିଥିଲେ । ଏକ ଶିଖ ପରିବାରରେ ଜନ୍ମିତ ଭଗତଙ୍କ ପରିବାର ମଧ୍ୟ ଦେଶପ୍ରେମୀ ଥିଲେ । ବାପା ଓ ଦାଦା ମଧ୍ୟ ଦେଶସେବା ପାଇଁ ଜେଲରେ ବନ୍ଦି ହୋଇଥିଲା । ଆଉ ସେହି ଠାରୁ ବୋଧେ ଦେଶସେବାର ପ୍ରେରଣା ପାଇଥିଲେ ଭଗତ । ବଡ ହୋଇ ସେ ଇଂରେଜମାନଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ସହ ଭାରତକୁ ଆଜାଦି କରିବାରେ ଦିଗରେ ଅନେକ ସଙ୍ଗଠନରେ ସାମିଲ ହୋଇଥିଲେ । ଅନେକ ସଙ୍ଗଠନ ମଧ୍ୟ ଆଜାଦିର ଲଢେଇ ଲଢିଥିଲେ । ଭଗତ ନାଁ ଶୁଣିଲେ ଥରହର ହୋଇଉଠୁଥିଲେ ଇଂରେଜ ସରକାର ।
1928 ମସିହାରେ ବ୍ରିଟିଶ ସରକାର ଭାରତରେ ହେଉଥିବା ରାଜନୈତିକ ବାତାବରଣର ଯାଞ୍ଚ ପାଇଁ ଏକ ସାଇମନ କମିଶନ ନାମକ ଦଳକୁ ଭାରତ ପଠାଇଥିଲେ । ହେଲେ ଏହି କମିଶନରେ କୌଣସି ଭାରତୀୟ ନଥିବାରୁ କେତେକ ରାଜନୈତିକ ଦଳ ଏହାକୁ ବହିଷ୍କାର କଲେ । ଏହାପରେ ସାରା ଦେଶରେ ଏହି କମିଶନ ବିରୋଧରେ ଆନ୍ଦୋଳନ ସୃଷ୍ଟି ହୋଇଥିଲା । 30 ଅକ୍ଟୋବର ଏହି କମିଶନ ଲାହୋର ପରିଭ୍ରମଣରେ ଆସିଥିବାବେଳେ ଲାଲା ଲଜପତ ରାୟ ଏହାକୁ ଜୋରଦାର ବିରୋଧ କରିଥିଲେ । ବ୍ରିଟିଶ ପୋଲିସ ସୁପରିଟେଣ୍ଡେଣ୍ଟ ଜେମ୍ସ ଏ. ସ୍କଟଙ୍କ ନେତୃତ୍ବରେ ଲାଠି ଚାର୍ଚ୍ଚ କରାଯାଇଥିଲା । ଯେଉଁଥିରେ ଗୁରୁତର ଭାବେ ଆହତ ହୋଇଥିଲେ ଲାଲା ଲଜପତ ରାୟ । ପରେ ଲାଲାଜୀଙ୍କ ହୃଦଘାତରେ ଦେହାନ୍ତ ହୁଏ । ଆଉ ଏହାର ପ୍ରତିଶୋଧ ନେବାକୁ ଯାଇ ଭଗତ ସିଂ, ରାଜଗୁରୁ, ଶୁଖଦେବ ଓ ଚନ୍ଦ୍ରଶେଖର ଆଜାଦଙ୍କ ସହ ମିଶି ଜେମ୍ସ ଏ. ସ୍କଟଙ୍କୁ ମାରିବାର ଉଦ୍ୟମ କଲେ । ହେଲେ ଭୁଲବଶତଃ ସେମାନେ ପୋଲିସ ଅଫିସର ଜେମ୍ସ ସାଣ୍ଡର୍ସଙ୍କୁ ହତ୍ୟା କରିଥିଲେ ।