ନାଗପୁର: ପବିତ୍ର ବିଜୟା ଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ (ଆରଏସଏସ) ମୁଖ୍ୟ ଡ. ମୋହନ ଭାଗବତ ମୋଦି ସରକାରଙ୍କ ପ୍ରଶଂସା କରିଛନ୍ତି । ଗତକିଛି ଦିନରୁ ଦେଶରେ ସବୁ କିଛି ଠିକ ଚାଲିଥିବା ନେଇ ମହାରାଷ୍ଟ୍ରର ନାଗପୁରସ୍ଥିତ ସଙ୍ଘ ମୁଖ୍ୟାଳୟରେ ଆୟୋଜିତ ପଥ ସଞ୍ଚାଳନ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି ।
ମତଭେଦ ମଧ୍ୟରେ ନ୍ୟାୟିକ ବ୍ୟବସ୍ଥାରେ ଚାଲିବାକୁ ପଡିବ: ଭାଗବତ
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରତିଷ୍ଠା ଦିବସ ଅବସରରରେ ଆରଏସଏସ ମୁଖ୍ୟ ଡ. ମୋହନ ଭାଗବତଙ୍କ ସମ୍ବୋଧନ । ଭୀଡ ହିଂସାକୁ ଆଇନ ବ୍ୟବସ୍ଥାର ସୀମା ଲଙ୍ଘନ କହିଛନ୍ତି ସେ । ସମସ୍ତଙ୍କୁ ନ୍ୟାୟିକ ବ୍ୟବସ୍ଥା ଅନୁସାରେ ଚାଲିବାକୁ ଆହ୍ବାନ ଦେଇଛନ୍ତି ସେ ।
ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ପାଖରେ କଠୋର ନିଷ୍ପତ୍ତି ନେବାର କ୍ଷମତା ରହିଥିବା ଆରଏସଏସ ମୁଖ୍ୟ କହିଛନ୍ତି । ଦେଶ ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ରହିଛି । ଜାମ୍ମୁ ଓ କାଶ୍ମୀରରୁ 370 ଧାରା ଉଚ୍ଛେଦ ବଡ ପଦକ୍ଷେପ । ଏହାସହ ଚନ୍ଦ୍ରଯାନ-2 ବିଶ୍ବରେ ଭାରତର ସମ୍ମାନ ବଢାଇଥିବା ସେ ନିଜ ସମ୍ବୋଧନରେ କହିଛନ୍ତି ।
ଅନ୍ୟପକ୍ଷରେ ଆରଏସଏସ ମୁଖ୍ୟ ଭୀଡ ହିଂସା ପ୍ରସଙ୍ଗ ଉଠାଇଛନ୍ତି । ଏନେଇ ସେ କହିଛନ୍ତି ଯେ, ଆଇନ ବ୍ୟବସ୍ଥାର ସୀମା ଉଲଙ୍ଘନ କରି ସମାଜରେ ପରସ୍ପର ମଧ୍ୟରେ ସମ୍ବନ୍ଧକୁ ନଷ୍ଟ କରିବା ପାଇଁ ହିଂସାକାଣ୍ଡ ଘଟାଯାଉଛି । ଏହି ପ୍ରବୃତ୍ତି ଆମ ଦେଶର ପରମ୍ପରା ନୁହେଁ କି ଆମ ସମ୍ବିଧାନରେ ମଧ୍ୟ ନାହିଁ । ଯେତେ ମତଭେଦ ଥିଲେ ମଧ୍ୟ ଆଇନ ଓ ସମ୍ବିଧାନ ଅନୁସାରେ ରହିବା ସହ ନ୍ୟାୟିକ ବ୍ୟବସ୍ଥା ଅନୁସାରେ ଚାଲିବାକୁ ପଡିବ ବୋଲି ଆରଏସଏସ ମୁଖ୍ୟ ପ୍ରତିକ୍ରିୟା ରଖିଛନ୍ତି ।