ପାଟନା: ଉନ୍ନାଓରେ ପୁଣି ଲଜ୍ୟା । ପୀଡିତାକୁ କିରୋସିନି ଢାଳି ଜିଅନ୍ତା ଜାଳିଲେ ଅଭିଯୁକ୍ତ । ହାଇଦ୍ରାବାଦର ମହିଳା ପଶୁ ଡାକ୍ତରଙ୍କ ସହ ଗଣଦୁଷ୍କର୍ମ ହତ୍ୟା ଘଟଣା ଲୋକଙ୍କ ମନରୁ ଲିଭିନଥିବାବେଳେ ଗୁରୁବାର ଉତ୍ତରପ୍ରଦେଶର ଉନ୍ନାଓର ବିହାର ଥାନା ନିକଟ ହିନ୍ଦୁ ନଗର ଗାଁର ଜଣେ ଦୁଷ୍କର୍ମ ପୀଡିତାଙ୍କୁ 5 ଜଣ ଲୋକେ କିରୋସିନି ଢାଳି ଜିଅନ୍ତା ଜାଳିଛନ୍ତି । ଯାହାଫଳରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲ ପଠାଯାଇଛି ।
ପୋଲିସର ସୂଚନା ଅନୁଯାୟୀ, ଗତ 2018 ଡିସେମ୍ବର 10ରେ ଦୁଇଜଣ ଯୁବକ ଶୁଭମ ଏବଂ ଶିବମ ପୀଡିତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଏହାପରେ ପୀଡିତା ଜଣଙ୍କ 2019 ମାର୍ଚ୍ଚ ମାସରେ ଲାଲଗଞ୍ଜ ଥାନାରେ ଏନେଇ ଏକ ଅଭିଯୋଗ କରିଥିଲେ । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଶୁଭମଙ୍କୁ ଗିରଫ କରିଥିଲେ ।
କିଛି ମାସ ପରେ ଜାମିନ ମିଳିବା ପରେ ଶୁଭମ ଜେଲରୁ ବାହାରିଥିଲା । ଜେଲରୁ ବାହାରି ଶୁଭମ୍ ମୌକାର ଅପେକ୍ଷାରେ ଥିଲା । ତେବେ ଗୁରୁବାର ପୀଡିତା ଜଣଙ୍କ କୋର୍ଟକୁ ଯିବା ସମୟରେ ଶୁଭମ ଏବଂ ତାର 4ଜଣ ସାଥୀ ପୀଡିତାଙ୍କ ଉପରେ କିରୋସିନି ଢାଳି ଜିଅନ୍ତା ଜାଳିଥିଲେ ।
ଯାହାଫଳରେ ପୀଡିତାଙ୍କ ଶରୀରର 70 ପ୍ରତିଶତ ଜଳିଯାଇଥିବାବେଳେ ତାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ଏପଟେ ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଦେଖି ପୋଲିସ ମହିଳାଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ଏହି ଘଟଣାରେ 5 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।