ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ନୂତନ ରାମ ମନ୍ଦିରକୁ ନେଇ ଏକ ପ୍ରାସଙ୍ଗିକ ପ୍ରଶ୍ନ ଉଠିବ । ଏହାକୁ ରାମ ଜନ୍ମଭୂମି ମନ୍ଦିର ବୋଲି କୁହାଯିବ ନା କେବଳ ଏକ ନୂତନ ରାମ ମନ୍ଦିର ? ବିଶେଷଜ୍ଞମାନଙ୍କ ମତାମତ ଅନୁସାରେ ପ୍ରଥମେ ବାବ୍ରୀ ମସଜିଦ ଢାଞ୍ଚା ସହିତ ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ହୋଇଥିଲା । ପରେ ସେଠାରୁ କେବଳ ମୂର୍ତ୍ତି ଉଦ୍ଧାର କରାଯାଇଥିଲା ଏବଂ ପ୍ରାର୍ଥନା କରିବା ଲାଗି ତମ୍ବୁ ନିର୍ମିତ ଅସ୍ଥାୟୀ ମନ୍ଦିରରେ ରଖାଯାଇଥିଲା । 1992 ମସିହା ଡିସେମ୍ବର 6 ତାରିଖର ଧ୍ବଂସଲୀଳାରୁ ଉତ୍ପନ୍ନ ମାଟିକାଦୁଅ ଏବଂ ଧ୍ବଂସାବଶେଷ ଭିତରେ ମନ୍ଦିରର ମୂଳ ଗର୍ଭଗୃହ ହଜିଯାଇଥିଲା । ଅଗଷ୍ଟ 3ରେ ନୂତନ ରାମ ମନ୍ଦିର ପାଇଁ ଭୂମି ପୂଜନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଭୂମି ପୂଜନ ପରେ, ଅଗଷ୍ଟ 5 ତାରିଖ ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭିତ୍ତି ପ୍ରସ୍ତର ସ୍ଥାପନର ସ୍ମାରକୀ ରୂପେ ପାଞ୍ଚଟି ରୁପା ଇଟା ସ୍ଥାପନ କରିବେ । ପ୍ରଥମେ ଏହି ଉତ୍ସବରେ ପ୍ରାୟ 250 ଜଣ ଅତିଥି ଯୋଗ ଦେବେ ବୋଲି ସ୍ଥିର କରାଯାଇଥିଲା । କିନ୍ତୁ ଏବେ ଅତିଥି ତାଲିକାକୁ 125ରେ ସୀମିତ ରଖାଯାଇଛି ଏବଂ ଏଥିରେ ଏଲ୍.କେ.ଆଡ଼ଭାନି, ଏମ୍.ଏମ୍.ଯୋଶୀ, ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଏବଂ ରାମ ଜନ୍ମଭୂମି ଆନ୍ଦୋଳନର ପଥପ୍ରଦର୍ଶକ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଭଳି ବ୍ୟକ୍ତିତ୍ବ ସ୍ଥାନ ପାଇଛନ୍ତି ।ମନ୍ଦିରର ଯେଉଁ ସ୍ଥାନରେ ନୂତନ ଗର୍ଭଗୃହ ରହିବ ସେଠାରେ 40 କିଲୋଗ୍ରାମ ଓଜନର ଏକ ରୁପା ଫଳକ ସ୍ଥାପନ କରାଯିବ ।
ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ, ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମସ୍ଥାନ ବୋଲି ବିଶ୍ବାସ କରାଯାଉଥିବା ମୂଳଗର୍ଭଗୃହ ସ୍ଥାନରେ ଏକ ନୂତନ ଗର୍ଭଗୃହ ନିର୍ମାଣ କରାଯାଉଛି । ଭୂମି ପୂଜନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଦେଶର ସମସ୍ତ ପବିତ୍ର ନଦୀରୁ ଅଣାଯାଇଥିବା ପାଣି ଓ ମାଟିକୁ ମଧ୍ୟ ସେଠାରେ ଅଜାଡ଼ି ଦିଆଯିବ । ନିଶ୍ଚିତ ରୂପରେ ନୂତନ ରାମ ମନ୍ଦିର ପରିସର ଏକ ଚମତ୍କାର କଳାକୃତିର ରୂପ ନେବ । 120 ଏକର ଜମିରେ ପରିବ୍ୟାପ୍ତ ଏହି ମନ୍ଦିର ହେବ ବିଶ୍ବର ତୃତୀୟ ବୃହତ୍ତମ ହିନ୍ଦୁ ପୂଜାସ୍ଥଳୀ । ପ୍ରଥମ ଦୁଇଟି ସ୍ଥାନରେ କାମ୍ବୋଡ଼ିଆର ଆଙ୍କୋର ୱାଟ ମନ୍ଦିର ପରିସର ଏବଂ ତାମିଲ ନାଡୁର ତିରୁଚିରାପଲ୍ଲୀସ୍ଥିତ ଶ୍ରୀ ରଙ୍ଗାନନ୍ଦ ସ୍ବାମୀ ମନ୍ଦିର ରହିଛି । ଏହି ମନ୍ଦିର ବେଢ଼ାରେ ମୁଖ୍ୟ ମନ୍ଦିର ରୂପେ ପ୍ରଭୁ ରାମଙ୍କ ମନ୍ଦିର ରହିବ ଏବଂ ଏହାକୁ ଘେରି ସୀତା, ଲକ୍ଷ୍ମଣ, ଭରତ ଏବଂ ହନୁମାନଙ୍କ ମନ୍ଦିର ରହିବ । ନାଗରାଜ ସ୍ଥାପତ୍ୟ ଶୈଳୀରେ ଏହି ନୂତନ ରାମ ମନ୍ଦିର ନିର୍ମାଣ ପାଇଁ ଯୋଜନା କରାଯାଇଛି । ଏହା 76,000ରୁ 84,000 ବର୍ଗଫୁଟ ଅଞ୍ଚଳରେ ସ୍ଥାପିତ ହେବ । 1983ରେ ଚନ୍ଦ୍ରକାନ୍ତ ସୋମପୁରାଙ୍କଦ୍ବାରା ଏହି ମନ୍ଦିରର ଗଠନ ଶୈଳୀ ବା ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା । ସୋମପୁରା ପରିବାର ଗୁଜରାଟର ସୋମନାଥ ମନ୍ଦିରର ଡିଜାଇନ କରିଥିଲେ ଏବଂ ସେମାନଙ୍କୁ ଏହି ନୂତନ ମନ୍ଦିରର ଢାଞ୍ଚା ପ୍ରସ୍ତୁତ କରିବ ସହିତ ଏହାର ପଥର ଖୋଦେଇ ଖମ୍ବ ଓ କାନ୍ଥ କାମର ଦାୟିତ୍ବ ଦିଆଯାଇଥିଲା । ପ୍ରଥମେ ପ୍ରସ୍ତୁତ କରାଯାଇଥିବା ଡିଜାଇନରେ ନୂତନ ମନ୍ଦିରର ଉଚ୍ଚତା 141 ଫୁଟ ରହିଥିଲା ଏବଂ ପରେ ଏହାକୁ 161 ଫୁଟକୁ ବୃଦ୍ଧି କରାଯାଇଛି । ପ୍ରଥମରୁ ସୋମପୁରା 2 ମହଲାର ମନ୍ଦିର ଗଢ଼ିବାକୁ ଚାହୁଁଥିଲେ ହେଁ ଡିଜାଇନରେ ଆନୁପାତିକ ସାମଞ୍ଜସ୍ୟ ରଖିବା ପାଇଁ ଏବେ ଏହାକୁ 3 ମହଲା ବିଶିଷ୍ଟ କରିବା ପାଇଁ ଯୋଜନା କରାଯାଇଛି । ଏହି ମନ୍ଦିରର ଏକ ବିଶାଳ ମୁଖ୍ୟ ସୌଧ ଏବଂ ଚାରିଟି କ୍ଷୁଦ୍ର ସୌଧ ରହିବ । ମନ୍ଦିରର ଦୈର୍ଘ୍ୟ 300 ଫୁଟ ଏବଂ ପ୍ରସ୍ଥ 280 ଫୁଟ ରହିବ ଏବଂ ଏଥିରେ ପାଞ୍ଚଟି ପ୍ରାଙ୍ଗଣ ରହିବ । ଗୂଢ଼ ମଣ୍ଡପ ବା ନିବୁଜ ପ୍ରାଙ୍ଗଣରେ ମନ୍ଦିରର ଗର୍ଭଗୃହ ସ୍ଥାପିତ ହେବ । ମୁଖ୍ୟତଃ ପ୍ରଭୁଙ୍କ ଦର୍ଶନ ପାଇଁ ଏହି ପ୍ରାଙ୍ଗଣ ବ୍ୟବହୃତ ହେବ । ଏହା ବ୍ୟତୀତ ଦର୍ଶନାର୍ଥୀଙ୍କୁ ସ୍ଥାନ ଦେବା ପାଇଁ ସେଠାରେ ପ୍ରାର୍ଥନା ମଣ୍ଡପ, କୀର୍ତ୍ତନ ମଣ୍ଡପ, ନୃତ୍ୟ ମଣ୍ଡପ ଏବଂ ରଙ୍ଗ ମଣ୍ଡପ ରହିବ । ଦିନର ଯେ କୌଣସି ସମୟରେ ଏହି ମଣ୍ଡପଗୁଡ଼ିକରେ 5,000-8,000 ଭକ୍ତ ରହିପାରିବେ ।