ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟ ରାୟ ଦେବା ସହ ମଧ୍ୟସ୍ଥି ନିଯୁକ୍ତି କରିଛନ୍ତି । ଏଥିପାଇଁ 3 ଜଣିଆ ପ୍ୟାନେଲ ଗଠନ ହୋଇଛି । ଏଥିରେ ଅଧ୍ୟକ୍ଷତା କରିବେ ଅବସରପ୍ରାପ୍ତ ବିଚାରପତି ଏଫଏମ କଲ୍ଲିଫୁଲ୍ଲାହ ।
କମିଟିର ଆଉ ଦୁଇ ଜଣ ସଦସ୍ୟ ହେଲେ ଆର୍ଟ ଅଫ ଲିଭିଙ୍ଗର ପ୍ରତିଷ୍ଠାତା ତଥା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଏବଂ ବରିଷ୍ଠ ଓକିଲ ଶ୍ରୀରାମ ପଞ୍ଚୁ । ଏହି କମିଟି ମଧ୍ୟସ୍ଥି ପ୍ରକ୍ରିୟା ଏକ ସପ୍ତାହ ମଧ୍ୟରେ ଆରମ୍ଭ କରିବ । ଏହାସହ 4 ସପ୍ତାହ ମଧ୍ୟରେ ପ୍ରଥମ ରିପୋର୍ଟ ଦାଖଲ କରିବେ । 8 ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ କୁମାର ଗୋଗୋଇଙ୍କ ନେତୃତ୍ବରେ ଗଠିତ 5 ଜଣିଆ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଏହି ପ୍ରକ୍ରିୟା ଫୈଜାବାଦରେ ଚାଲିବ । ଏହାକୁ ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରଖାଯିବ । ଏଥିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବ୍ୟାନ କରାଯିବ । ଉତ୍ତର ପ୍ରଦେଶ ସରକାର ପ୍ରକ୍ରିୟାରେ ଦରକାର ହେବାକୁ ଥିବା ସମସ୍ତ ଆବଶ୍ୟକତା ଯୋଗାଇଦେବେ । ଏହାସହ କମିଟି ସଦସ୍ୟ ଯଦି ଭବିଷ୍ୟତରେ କୌଣସି ଆଇନଗତ ସାହାଯ୍ୟ ଚାହିଁବେ ତେବେ ତାଙ୍କୁ ଯୋଗାଇ ଦିଆଯିବ । ଏପରିକି ଯଦି କମିଟିରେ ଅଧିକ ସଦସ୍ୟ ଆବଶ୍ୟକ ହୁଏ ତେବେ ଏହା ମଧ୍ୟ ଯୋଗାଯିବ ।
ଏହି ରାୟ ଶୁଣାଇବା ସହ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ମଧ୍ୟସ୍ଥି ନିଯୁକ୍ତି ସମୟରେ କୌଣସି ପ୍ରକାର ଆଇନଗତ ବାଧା ସୃଷ୍ଟି ହୋଇନଥିଲା । ତେବେ ଏହି ନିଯୁକ୍ତି ନେଇ ପୂର୍ବରୁ ହିନ୍ଦୁ ସଙ୍ଗଠନ ବିରୋଧ କରୁଥିବାବେଳେ ମୁସଲିମ ସଙ୍ଗଠନ ସମର୍ଥନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଅଯୋଧ୍ୟାର ବିବାଦୀୟ ୨.୭୭ ଏକର ପରିମିତ ଜାଗାକୁ ନିର୍ମୋହି ଆଖଡା, ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଏବଂ ରାମଲାଲା ବିରାଜମାନ ମଧ୍ୟରେ ବଣ୍ଟନକୁ ନେଇ ଏହି ବିବାଦ ଦେଖାଦେଇଛି ।
ଏହାକୁ ତିନି ଭାଗରେ ବାଣ୍ଟି ଦେବା ପାଇଁ ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ବିରୋଧ କରି ୧୪ଟି ଆବେଦନ ଦାଖଲ ହୋଇଥିଲା । ଏହି ମାମଲାର ଶୁଣାଣି କରି ଗତ ବୁଧବାର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ 5 ଜଣିଆ ଖଣ୍ଡପୀଠ ବୁଧବାର ବିଭିନ୍ନ ପକ୍ଷର ଶୁଣାଣି କରିଥିଲେ । ଏହାସହ ସର୍ବୋଚ୍ଚ ନ୍ୟାୟାଳୟ ରାୟକୁ ସଂରକ୍ଷିତ ରଖିଥିଲେ ।
ସେହିପରି ଏହି ମାମଲା କେବଳ ୧୫୦୦ ବର୍ଗଫୁଟ ଜମିର ସ୍ବତ୍ବ ହସ୍ତାନ୍ତର ପ୍ରସଙ୍ଗ ସମ୍ବଳିତ ନୁହେଁ, ବରଂ ଏହା ସହିତ ଲୋକଙ୍କ ଧର୍ମାବେଗ ଜଡିତ ବୋଲି ଖଣ୍ଡପୀଠ ମନ୍ତବ୍ୟ କରିଥିଲେ । ଏହି ମାମଲା ମଧ୍ୟସ୍ଥିଙ୍କ ଦ୍ବାରା ସମାଧାନ କରିବାକୁ ଖଣ୍ଡପୀଠ କହିଥିଲେ । ଯଦି ମଧ୍ୟସ୍ଥିଙ୍କ ଦ୍ବାରା ବିବାଦ ସମାଧାନ ହେବାର ଏକ ପ୍ରତିଶତ ମଧ୍ୟ ସୁଯୋଗ ଅଛି ତେବେ ଏପରି କରିବାକୁ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଥିଲେ । ତେବେ ଏହି ମାମଲା ସହ ଜଡିତ ନିର୍ମୋହି ଆଖଡା ବ୍ୟତୀତ ଅନ୍ୟ ହିନ୍ଦୁ ସଂଗଠନ ସବୁ ସର୍ବୋଚ୍ଚ ଅଦାଲତ ଦ୍ବାରା ପ୍ରସ୍ତାବିତ ମଧ୍ୟସ୍ଥତା ପ୍ରକ୍ରିୟାକୁ ବିରୋଧ କରୁଛନ୍ତି । କିନ୍ତୁ ମୁସଲିମ ସଂଗଠନ ସବୁ ଏହା ସପକ୍ଷରେ ଅଛନ୍ତି ।