ଭୋପାଳ: କୋରୋନା ସଂକ୍ରମଣ ଏବେ ସରକାର ତଥା ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟି ଗଲାଣି। କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି । ତେବେ ମଧ୍ୟପ୍ରଦେଶରେ ଜଣେ ବିଧାୟକଙ୍କୁ କୋରୋନା ସଂକ୍ରମଣ ହୋଇଥିବା ଜଣା ପଡିଛି । ବିଧାୟକ ଜଣକ ଶୁକ୍ରବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ମତଦାନ କରିବା ଲାଗି ବିଧାନସଭା ପହଞ୍ଚିଥିଲେ । ତେବେ ଏହି ଘଟଣା ଏବେ ମଧ୍ୟପ୍ରଦେଶ ସରକାରଙ୍କ ଚିନ୍ତା ବଢାଇ ଦେଇଛି ।
ରାଜ୍ୟସଭାରେ ମତଦାନ କରିଥିବା ବିଧାୟକଙ୍କୁ କୋରୋନା
ମଧ୍ୟପ୍ରଦେଶରେ ଜଣେ ବିଧାୟକଙ୍କୁ କୋରୋନା ସଂକ୍ରମଣ ହୋଇଥିବା ଜଣାପଡିଛି । ବିଧାୟକ ଜଣକ ଶୁକ୍ରବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ମତଦାନ କରିବା ଲାଗି ବିଧାନସଭା ପହଞ୍ଚିଥିଲେ ।
ସୂଚନା ମୁତାବକ, ଦେଶର ଆଠଟି ରାଜ୍ୟର ୧୯ଟି ରାଜ୍ୟସଭା ଆସନ ପାଇଁ ଶୁକ୍ରବାର ମଦତାନ ହୋଇଥିଲା । ମଧ୍ୟପ୍ରଦେଶର ଜାବଦ ବିଧାନସଭା କ୍ଷେତ୍ରରୁ ବିଜେପି ବିଧାୟକ ଓମପ୍ରକାଶ ସକଲେଚା ବିଧାନସଭା ପହଞ୍ଚି ମତଦାନ କରିଥିଲେ । ତେବେ ସେ ଶନିବାର କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ ବ୍ୟତୀତ ତାଙ୍କ ପରିବାରର ଆଉ ଜଣେ ସଦସ୍ୟ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ତେବେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ହୋଇଥିବା ବିଜେପିର ବୈଠକରେ ମଧ୍ୟ ସେ ଯୋଗ ଦେଇଥିବା କୁହାଯାଉଛି । ବିଧାୟକ ଜଣକ କୋରୋନାରେ ଆକ୍ରାନ୍ତ ହେବା ଘଟଣା ସାମ୍ନାକୁ ଆସିବା ପରେ ବିଧାନସଭା ସଚିବାଳୟ ପକ୍ଷରୁ ରାଜ୍ୟସଭା ନିର୍ବାଚନ ସମୟର ଫୁଟେଜ ବାହାର କରିବାର ନିର୍ଦ୍ଦେଶ ଦିଆଯାଇଛି । ବିଧାୟକଙ୍କ ସମ୍ପର୍କରେ କିଏ କିଏ ଆସିଥିଲେ ସେନେଇ ସନ୍ଧାନ ଜାରି ରହିଛି ।