ଚଣ୍ଡିଗଡ:ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ ଟିମ୍ ହରିୟାଣାର ମାନେସର ସ୍ଥିତ ରିସୋର୍ଟରେ ପହଞ୍ଚିଛି। ଏହି ରିସୋର୍ଟରେ ସଚିନ ପାଇଲଟଙ୍କ ଗ୍ରୁପର କଂଗ୍ରେସ ବିଧାୟକ ରହିଛନ୍ତି । ଏଥିସହିତ ଏଠାରେ ହରିୟାଣା ପୋଲିସ ରାଜସ୍ଥାନ ଏସଓଜି ଦଳକୁ ରିସୋର୍ଟରେ ପ୍ରବେଶ କରିବାରୁ ଅଟକାଇଥିଲା । ମାତ୍ର ଏବେ ରାଜସ୍ଥାନ ଏସଓଜିର 5ଜଣିଆ ଟିମକୁ ପଚାରାଉଚରା ପାଇଁ ରିସୋର୍ଟ ଭିତରକୁ ଏଣ୍ଟ୍ରି ପାଇଁ ଅନୁମତି ଦେଇଛି ।
ମିଳିଥିବା ସୂଚନା ଅନୁଯାୟୀ, ବିଧାୟକ କିଣାବିକାରେ ଘୋଡା ବେପାରକୁ ନେଇ ଅଡିଓ ଟେପ୍ ଭାଇରାଲ ମାମଲାରେ ଏକ ବିବୃତ୍ତି ନେବାକୁ ଏସଓଜି ଟିମ ଏଠାରେ ପହଞ୍ଚିଛି । ଏସଓଜି ଟିମର ଦଳ ଭୱଁରଲାଲଙ୍କୁ ପଚରାଉଚରା କରିବାକୁ ଏଠାରେ ପହଞ୍ଚିଥିଲା । ପ୍ରଥମେ ପ୍ରବେଶ ପାଇଁ ଅନୁମତି ମିଳି ନଥିଲା ଶେଷରେ ହୋଟଲକୁ ପ୍ରବେଶ ପାଇଁ ଏସଓଜି ଟିମକୁ ଅନୁମତି ମିଳିଛି । ପ୍ରଥମେ ସମସ୍ତ ଦସ୍ତାବିଜ ଯାଞ୍ଚ ପରେ ଏସଓଜିକୁ ଏଣ୍ଟ୍ରି ଅନୁମତି ଦିଆଯିବ ବୋଲି କହିଥିଲା ହରିୟାଣା ପୋଲିସ । ହୋଟଲ ଆଖପାଖରେ ବହୁ ସଂଖ୍ୟକ ପୋଲିସ ମୁତୟନ ରହିଛନ୍ତି ।
ରାଜସ୍ଥାନରେ ଘୋଡାବେପାର ଅଡିଓ ସାମ୍ନାକୁ ଆସିବା ପରେ ସ୍ପେଶାଲ ଅପରେସନ୍ ଗ୍ରୁପ୍ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ, କଂଗ୍ରେସ ବିଧାୟକ ଭୱଁରଲାଲ ଶର୍ମା ଏବଂ ବିଜେପି ନେତା ସଞ୍ଜୟ ଜୈନାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜୈନଙ୍କୁ ମଧ୍ୟ ଗିରଫ କରାଯାଇଛି। କଂଗ୍ରେସ ମୁଖ୍ୟ ସଚେତକ ମହେଶ ଯୋଶୀଙ୍କ ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି ।