ଜୟପୁର: କୋରୋନା କଳା ବାଦଲ ଏବେ ଭାରତ ଆକାଶରେ । ଦିନକୁ ଦିନ ଏହି ଦୁଃସାଧ୍ୟ, ଜୀବନନାଶକ ଭାଇରସ ଭାରତରେ ଭୟର ବାତାବରଣ ଖେଳାଇବାରେ ଲାଗିଛି । ଦେଶରେ ସନ୍ଦିଗ୍ଧ, ଆକ୍ରାନ୍ତ ଓ ସଂକ୍ରମିତଙ୍କ ରିପୋର୍ଟ ବଢିବାରେ ଲାଗୁଛି । ଅନେକ ଅସାଧ୍ୟ ରୋଗକୁ ଆୟତ୍ତ କରିଥିବା ଚିକିତ୍ସା ବିଜ୍ଞାନ ବର୍ତ୍ତମାନ ସୁଦ୍ଧା କୋରୋନା ଆଗରେ ନାଚାର । ପ୍ରତିକାର ପାଇଁ ବାହାରିନାହିଁ ନିରାକରଣର ସୂତ୍ର, ଉପଚାର ପାଇଁ ଔଷଧ । ମାତ୍ର ଭାରତୀୟ ବୈଜ୍ଞାନିକଙ୍କ ଏକ ସଫଳ ଓ ବିରଳ ଉଦ୍ୟମ ଏବେ ଚର୍ଚ୍ଚାରେ । ରାଜସ୍ଥାନ ଡାକ୍ତରୀଦଳ କୋରୋନା ଭାଇରସରେ ସଂକ୍ରମତି ରୋଗୀଙ୍କୁ ଏଚ. ଆଇ.ଭି ଔଷଧ ଦେଇ ଆରୋଗ୍ୟ କରିଛନ୍ତି ।
ସୂଚନା ଯେ, ରାଜସ୍ଥାନର ସାୱାଇ ମ୍ୟାନ୍ ସିଂ (ଏସ୍ଏମ୍ଏସ୍) ଡାକ୍ତରଖାନାର ଡାକ୍ତରମାନେ ଏଚ୍ଆଇଭି, ସ୍ବାଇନ୍ ଫ୍ଲୁ ଏବଂ ମ୍ୟାଲେରିଆ ଔଷଧର ମିଶ୍ରଣ ବ୍ୟବହାର କରି ଜଣେ ଇଟାଲୀୟ କୋରୋନା ଭାଇରସ୍ (COVID -19) ରୋଗୀଙ୍କୁ ସଫଳତାର ସହ ଚିକିତ୍ସା କରିଛନ୍ତି ।
ଏହି ରୋଗୀ 23 ଜଣିଆ ଇଟାଲୀୟ ପର୍ଯ୍ୟଟକ ଦଳ ଭାବରେ ତାଙ୍କ ସ୍ବାମୀଙ୍କ ସହ ଭାରତ ଆସିଥିଲେ । ଏହାସହ ସେମାନେ ରାଜସ୍ଥାନର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିଥିଲେ । ସେତେବେଳେ ତାଙ୍କ ଠାରେ କୋରୋନା ନେଗେଟିଭ ରିପୋର୍ଟ ରହିଥିଲା । ଏହି ଗ୍ରୁଫରେ ରୋଗରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ପ୍ରଥମ କୋରୋନା ସନ୍ଦିଗ୍ଧ ରହିଥିଲେ । ପରେ ପୁଣେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ତାଙ୍କୁ ମାର୍ଚ୍ଚ 3ରେ କୋରୋନା ମାମଲାରେ ପଜେଟିଭ ରିପୋର୍ଟ ଭାବରେ ରିପୋର୍ଟ ଆସିଥିଲା । ତା ପରଦିନ ତାଙ୍କ ପତ୍ନୀଙ୍କ ଠାରେ ମଧ୍ୟ କୋରୋନା ପଜିଟିଭ୍ ରିପୋର୍ଟ ଆସିଥିଲା ।
ପରେ କୋରୋନା ସଂକ୍ରମିତଙ୍କୁ ଆରୋଗ୍ୟ କରିବା ପାଇଁ ସାୱାଇ ମ୍ୟାନ୍ ସିଂ (ଏସଏମଏସ)ର ଡାକ୍ତରୀଦଳ HIV ଚିକିତ୍ସା ପାଇଁ ଦୁଇଗୋଟି ଆବଶ୍ୟକୀୟ ଔଷଧର ମିଶ୍ରଣ କରି ପ୍ରଥମେ ଚିକିତ୍ସା କରିଥିଲେ । ଅତିରିକ୍ତ ମୁଖ୍ୟ ସଚିବ (ସ୍ବାସ୍ଥ୍ୟ ବିଭାଗ) ରୋହିତ କୁମାର ସିଂ କହିଛନ୍ତି, ଯେ, ସେ ରୋଗୀଙ୍କୁ ଦିନକୁ ଦୁଇଥର ଲୋପିନାଭିର 200mg / ରିଟୋନାଭିର 50mg ର ମିଶ୍ରଣ ଦେଇଥିଲୁ ।