ଜୟପୁର:ରାଜସ୍ଥାନ କଂଗ୍ରେସରୁ ସଚିନ ପାଇଲଟ ପଦ ହରାଇବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୁଅ ଏବେ ଦଳରେ ସକ୍ରିୟ ହେବାକୁ ଯାଉଛନ୍ତି । ଗେହଲୋଟଙ୍କ ପୁଅ ବୈଭବ ଗେହଲଟ ଶନିବାର ଜୟପୁରରେ କଂଗ୍ରେସର ବିରୋଧ ପ୍ରଦର୍ଶନ କାର୍ଯ୍ୟକ୍ରମରେ ପହଞ୍ଚିଛନ୍ତି । କଂଗ୍ରେସ ଶନିବାର ସମଗ୍ର ରାଜ୍ୟର ଜିଲ୍ଲା ମୁଖ୍ୟାଳୟରେ ବିଜେପି ବିରୋଧରେ ପ୍ରଦର୍ଶନ କରୁଛି । ଏହି ସମୟରେ ବିଜେପି ଉପରେ ବର୍ଷିଛନ୍ତି ବୈଭବ ଗେହଲଟ । ସେ କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାରକୁ ହଟାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ଏଥିପାଇଁ ବିଜେପିକୁ କଡା ନିନ୍ଦା କରିଛନ୍ତି ।
ବିଜେପି ବିରୋଧରେ ଜୟପୁରରେ ବିରୋଧ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଦଳ ସମର୍ଥକଙ୍କୁ ସମ୍ବୋଧିତ କରି ବୈଭବ ଗେହଲୋଟ କହିଛନ୍ତି, 'ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ରାଜସ୍ଥାନ ସରକାରକୁ ହଟାଇବା ଷଡଯନ୍ତ୍ରରେ ବିଜେପି ଜଡିତ ଅଛି । ଗତ ଦେଢ ବର୍ଷ ଧରି ଆମେ କୃଷକମାନଙ୍କ ପାଇଁ କାମ କରିଛୁ । ଆମେ କୋରୋନା ଭାଇରସ ସହ ସଫଳତାର ସହ ମୁକାବିଲା କରିଛୁ । ବିଜେପି ଏହାର ମୁକାବିଲା କରିପାରିବ ନାହିଁ । ତେଣୁ ସେମାନେ କଂଗ୍ରେସ ନେତୃତ୍ୱାଧୀନ ରାଜସ୍ଥାନ ସରକାରକୁ ହଟାଇବାକୁ ଷଡଯନ୍ତ୍ର କରୁଛନ୍ତି ।'