ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ, କୋଭିଡ୍-19 ମହାମାରୀ ଓ ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସର ରାଜ୍ୟ ମୁଖିଆଙ୍କ ସହ ଭିସି ଜରିଆରେ ଆଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହାସହ ଏପ୍ରସଙ୍ଗରେ କଂଗ୍ରେସର ଆଗାମୀ ରଣନୀତି କଣ ରହିବ ସେନେଇ ଆଲୋଚନା କରିଥିବା ସୂଚନା ମିଳିଛି । ବୈଠକରେ ରାହୁଲଙ୍କ ସହିତ କଂଗ୍ରେସର ମହାସଚିବ କେସି ବେଣୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ ।
ଗଲୱାନ ଘାଟିରେ ଶହୀଦ ହୋଇଥିବା 20 ଯବାନଙ୍କ ପାଇଁ କଂଗ୍ରେସ ଦେଶବ୍ୟାପୀ ‘ଶହୀଦଙ୍କୁ ସଲାମ୍’କାର୍ଯ୍ୟକ୍ରମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଜୁନ୍ 26 ତାରିଖରେ ସାରା ଦେଶରେ ଏହାକୁ ସୁଚାରୁରୂପେ କରିବାକୁ କୁହାଯାଇଛି ।
ସେହିପରି ଜୁନ୍ 29 ତାରିଖରେ ତୈଳଦର ବୃଦ୍ଧିକୁ ନେଇ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଧାରଣା ଦେବାକୁ ବୈଠକରେ କୁହାଯାଇଛି । ଏହାସହ ଏହି ତିନି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଥିବା ବିଶେଷସୂତ୍ରରୁ ଜଣାପଡିଛି ।