ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ମୋଦି ସରକାର ସପକ୍ଷରେ ରାହୁଲ ଗାନ୍ଧୀ । ପାକିସ୍ତାନଙ୍କୁ ମୁହଁତୋଡ ଜବାବ ଦେଲେ ଭାରତର ପ୍ରମୁଖ ବିରୋଧୀ ଦଳର ପୂର୍ବତନ ସଭାପତି । ରାହୁଲ କହିଲେ, କାଶ୍ମୀର ସମସ୍ୟା ଭାରତର ଆଭ୍ୟନ୍ତରୀଣ କଥା । କେବଳ ପାକିସ୍ତାନ କାହିଁକି, ବିଶ୍ବର ଅନ୍ୟ କୌଣସି ଦେଶ ମଧ୍ୟ ଏହି ପ୍ରସଙ୍ଗରେ ମୁଣ୍ଡ ପୁରାଇବାର ଆବଶ୍ୟକତା ନାହିଁ ।
ବୈଦେଶିକ ମାମଲାରେ ଦଳ ମତ ନିର୍ବିଶେଷରେ ଏକଜୁଟ ହେବାର ଆବଶ୍ୟକତା ରହିଛି । ଦିନେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ବିରୋଧୀଙ୍କୁ ଏପରି ଅପିଲ କରିଥିଲେ । ବିରୋଧୀ ଯେ କେବଳ ବିରୋଧ କରିବେ, ତାକୁ ନେଇ କଡା ଭାଷାରେ ସାମାଲୋଚନା କରିଥିଲେ ଅଟଳ । ଆଉ ଆଜି କାଶ୍ମୀର ପ୍ରସଙ୍ଗରେ ରାହୁଲଙ୍କ ଏକ ଟ୍ବିଟକୁ ନେଇ ଚର୍ଚ୍ଚା ସରଗରମ । ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ଘଟଣାକୁ କଡା ବିରୋଧ କରିଆସୁଥିବା କଂଗ୍ରେସ ଆଜି ପାକିସ୍ତାନର ଆଚରଣକୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି । ଟ୍ବିଟ କରି ରାହୁଲ ସ୍ପଷ୍ଟ କହିଛନ୍ତି ଯେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ ।